ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡିର ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଅନେକ ସ୍ଥାନରେ ମାଟି ଘର ସବୁ ଭୁଶୁଡ଼ି ପଡୁଥିବା ଦେଖାଯାଇଛି। ଲାଞ୍ଜିଗଡ଼ ବ୍ଲକ ମଧୁପୁର ଗାଁର ଭୀମ ନାଏକଙ୍କ ଘର ଲଗାଣ ବର୍ଷାରେ ଭୁଶୁଡ଼ି ପଡିବାରୁ ଚାରିବର୍ଷର ନାବାଳକର ବାମଗୋଡ଼ ଭାଙ୍ଗିଯାଇଛି। ଗରିବ ଦିନ ମଜୁରିଆ ଭୀମ ବଡ଼କଷ୍ଟରେ ପରିବାର ଚଳାଉଥିବା ବେଳେ ଆଜି ପର୍ଯ୍ୟନ୍ତ ସରକାରଙ୍କ ଯୋଜନାରେ ଘର ଖଣ୍ଡିଏ ମଧ୍ୟ ପାଇନାହାନ୍ତି। ଆଜି ତାଙ୍କ ମାଟିଘର ଲଗାଣ ବର୍ଷାରେ ଭାଙ୍ଗିଯିବାରୁ ଘରେ ଥିବା ନାବାଳକ ଉପରେ ପଡ଼ିଯିବାରୁ ବାମ ଗୋଡ଼ ଭାଙ୍ଗିଯାଇଛି। ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ପରିବାର ଲୋକେ ଚିକିତ୍ସା କରାଉଥିବା ଜଣାପଡ଼ିଛି। ତେବେ ଭୀମଙ୍କ ପରିବାରକୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଦାବି ହେଉଛି।