ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରେ ରୋର ଭୟ ଲାଗିରହିଛି। ଏଥିରୁ ବାଦ ପଡ଼ିନାହିଁ ନର୍ଲା ବ୍ଲକ। ଚୋର, ଡକାୟତ, ଅଜଣା ବ୍ୟକ୍ତିଙ୍କ ଭୟ ଜନସାଧାରଣଙ୍କ ଆଖିର ନିଦ ହଜାଇ ଦେଇଛି। ସାମାଜିକ ଗଣମାଧ୍ୟମରେ ଏନେଇ ଅନେକ ବିଭ୍ରାନ୍ତିକର ତଥ୍ୟ ମଧ୍ୟ ପ୍ରତାରିତ ହେଉଛି। ବ୍ଳକର ଊଣାଅଧିକେ ସମସ୍ତ ଗାଁରେ ଲୋକେ ରାତି ଅନିଦ୍ରା ରହି ଗାଁକୁ ସୁରକ୍ଷା ଦେଉଛନ୍ତି। ଏକପ୍ରକାର କୋକୁଆ ଭୟ ଦେଖାଦେଇଛି। ରାତି ହେବା ପୂର୍ବରୁ ଯିଏ ଯେଉଁଠି ଥିଲେ ଘରମୁହାଁ ହେଉଛନ୍ତି। କହିବାକୁ ଗଲେ ସନ୍ଧ୍ୟା ପରେ ପରେ ଗାଁଗୁଡ଼ିକରେ ଅଘୋଷିତ କର୍ଫ୍ୟୁ ଲାଗିଲା ପରି ମନେ ହେଉଛି। ନର୍ଲା ବ୍ଲକର ସାନ ଗୁଣ୍ଡରୀ ଗ୍ରାମର ଜଣକ ଘରୁ ଚୋରି ଓ ଆନ୍ୟ ଜଣକ ଘରୁ ଚୋରି ଉଦ୍ୟମ ହେବାପରେ ରୋମାଞ୍ଚଳ ସାହୁଙ୍କ ନେତୃତ୍ୱରେ ଏକ ବୈଠକ କରାଯାଇ ଗ୍ରାମର ଯୁବ ଗୋଷ୍ଠୀ ଗୀତାମ ରଣା, ଚିନ୍ତାମଣି ସାହୁ, ଦୀପକ ରଣା, ଲୁଚ ରଣା, ଗୋକୁଳ ରଣା ପ୍ରମୁଖ ହାତରେ ଠେଙ୍ଗା ଧରି ପାଳି ଅନୁଯାୟୀ ରାତିସାରା ଗାଁ କୁ ପହରା ଦେଇ ଜଗୁଥିବା ଜଣା ପଡ଼ିଛି। ସେହିଭଳି ପଲମ ଫାଣ୍ଡି କେସିଙ୍ଗା ଥାନା ଅଧିନ ଧଅଁରାମାଲର ପିପଲପଡ଼ାର ଯୁବକମାନେ ରାତି ପହରା ଦେଉଥିବା ଦେଖାଯାଇଛି। କୁଞ୍ଜବନ ଗଉଡ, କୈଳାସ ଗଉଡ, ଭବାନୀ ଗଉଡ, ସାସ୍ବତ ପଟ୍ଟନାୟକ, ହରିଶ ଭୋଇ, ସୁମନ୍ତ କୁମାର ପ୍ରମୁଖ ଧଅଁରାମାଲ ପିପୋଲପଡାର ଯୁବକମାନେ ରାତି ଅନିଦ୍ରା ହୋଇ ଗାଁ ପହରା ଦେଉଥିବା ଜଣାପଡିଛି। ତେବେ ଗୁଜବକୁ ବିଶ୍ବାସ ନକରି ନିଜେ ସତର୍କ ରହିବାକୁ ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ଗତ ତିନିମାସ ତଳେ ନର୍ଲା ଚାରିଛକ ନିକଟସ୍ଥ ସନ୍ତୋଷ ଦାସଙ୍କ ଘରୁ ବାଇକ ଚୋରୀ ହୋଇଥିଲା। ସମୀର ଗନ୍ତାୟତଙ୍କ ଘରୁ ତାଲା ଭାଙ୍ଗି ସୁନାରୁପା ଚୋରୀ ହୋଇଥିଲା। ସେହିଭଳି ଗତ ସପ୍ତାହରେ ନର୍ଲାର ମହାପାତ୍ରଙ୍କ ସୁନା କାରିଗରୀ ଦୋକାନରୁ ରାତିରେ ବାଡିପଟେ ପଶି ଚୋରମାନେ ତିନି ତୋଳା ସୁନା, ୧୨୦ ଗ୍ରାମ ରୁପା ଓ ୯୦୦୦ ଟଙ୍କା ଚୋରୀ ହୋଇଥିବା ନେଇ ନର୍ଲା ଥାନାରେ ଏତେଲା ଦେଇଥିଲେ ଶ୍ରୀ ମହାପାତ୍ର। ଏଣୁ ନର୍ଲାରେ ଚୋରୀ ଭଳି ଘଟଣା ବଢି ଚାଲିଥିବା ବେଳେ ପୋଲିସ ଏଥିପ୍ରତି ଗୁରୁତ୍ୱ ଦେଇ କଡାକଡି ପେଟ୍ରୋଲିଂ କରୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।