ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଶିକ୍ଷା ବିକାଶ ସମିତି ଓଡିଶା ପକ୍ଷରୁ କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ସମସ୍ତ ସମ୍ପାଦକ ଏବଂ ପ୍ରଧାନାଚାର୍ଯ୍ୟଙ୍କୁ ନେଇ ଦୁଇ ଦିନିଆ ବୈଠକ ଆୟୋଜିତ ହୋଇଛି। ଆଜି କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ବବୃବାହାନ ପ୍ରଧାନ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି। ଏଥିରେ ବିଇଓ ଶ୍ରୀ ପ୍ରଧାନଙ୍କ ସମେତ ଶିକ୍ଷା ବିକାଶ ସମିତି ଓଡିଶାର ଉପସଭାପତି ଗାୟତ୍ରୀ ବାହିନୀପତି, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗାର ସମ୍ପାଦକ ଅଭୟ କୁମାର ଦେବତା ଓ ଶିକ୍ଷା ବିକାଶ ସମିତି ଓଡିଶା ଦକ୍ଷିଣ ସମ୍ଭାଗର ସଭାପତି ରୂପ ସିଂ ରାଉତ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ ଶିଶୁ, ଅଭିଭାବକ ଓ ଅଭିଭାବିକା , ସଭାପତି ଓ ସମ୍ପାଦକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ସହିତ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ବାଧୀନତାର ୭୫ ବର୍ଷର ଆଜାଦି କା ଅମୃତ ମହୋତ୍ସବକୁ ମନେ ପକାଇବାକୁ ସ୍ଥାନୀୟ ବିଦ୍ୟା ମନ୍ଦିରର ୭୫ଜଣ ଶିଶୁ ଭାଇ ଭଉଣୀ ମାନଙ୍କୁ ନେଇ ସ୍ବାଗତ ସଂଗୀତ ଗାନ କରାଯାଇଥିଲା। ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଦ୍ବାରା ପରିଚାଳିତ ଶ୍ରୀ ଭାରତୀ କୃଷ୍ଣ ମେଧା ପରୀକ୍ଷା ଓ ପ୍ରାଦେଶିକ ମେଧା ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଓ ରାୟଗଡା ଜିଲ୍ଲାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଦକ୍ଷିଣ ସମ୍ଭାଗ ସଂଯୋଜକ ସୁକାନ୍ତ କୁମାର ବେହେରା ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷା ବିକାଶ ସମିତି ଓଡିଶା ଦକ୍ଷିଣ ସମ୍ଭାଗ ସଂପାଦକ ଶ୍ରୀଧର ଶତପଥି, କୋରାପୁଟ ବିଭାଗ ନିରୀକ୍ଷକ ସୁବ୍ରତ କୁମାର ପଟ୍ଟନାୟକ, କଳାହାଣ୍ଡି ବିଭାଗ ନିରୀକ୍ଷକ ବିପିନ ବିହାରୀ ମିଶ୍ର, କୋରାପୁଟ ସହ ବିଭାଗ ନିରିକ୍ଷକ ମାଧବ ଶତପଥି, ଦକ୍ଷିଣ ସମ୍ଭାଗ ପ୍ରଭାରୀ ପ୍ରଦୀପ ମଲ୍ଲିକ ଓ ସଞ୍ଜୟ କୁମାର ମିଶ୍ର, ଦକ୍ଷିଣ ସମ୍ଭାଗ କାର୍ଯ୍ୟାଳୟ ପ୍ରମୁଖ କର୍ଣ୍ଣ ନାଏକ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଅଗଷ୍ଟ ୬ ଓ ୭ ଦୁଇଦିନ ଧରି ଚାଲିବ। ଆଜିର କାର୍ଯ୍ୟକ୍ରମରେ ୫୨ଜଣ ପ୍ରଧାନ ଆଚାର୍ଯ୍ୟ ଓ ୨୮ ଜଣ ସଂପାଦକ ଯୋଗଦାନ କରିଥିଲେ। ଶେଷରେ ଅଭୟ କୁମାର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ।