✍🏼ବିଶ୍ବବିଜୟୀ ଦାଶ
କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ସମ୍ପନ୍ନ ରାଜ୍ୟ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଉଥିବା ବେଳେ ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ ଅନ୍ୟତମ । ସାରା ଭାରତବର୍ଷରେ ଶ୍ରାବଣ ପୂର୍ଣ୍ଣିମା ଦିନ ରକ୍ଷା ବନ୍ଧନ ପର୍ବ ପାଳିତ ହୋଇଥାଏ । ତେବେ ଏହା ଉତ୍କଳୀୟ ସଂସ୍କୃତିର ଏକ ମହାନ ପର୍ବ ଭାବେ ଖ୍ୟାତ ।
ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥି ଭାବେ ଗ୍ରହଣ କରାଯାଏ । ହଳ ମୂଷଳ ଧାରଣ କରିଥିବା ମହାପ୍ରଭୁ ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହି ଦିନ ଗୋମାତାଙ୍କୁ ପୂଜା କରାଯାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ସୂତା (ରାକ୍ଷୀ) ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି ।
ଓଡ଼ିଶାର ସବୁଆଡ଼େ ଅତି ଆନନ୍ଦ ଉଲ୍ଲାସରେ ଏହି ପର୍ବ ପାଳିତ ହେଉଥିବା ବେଳେ କୃଷକ ପରିବାରମାନଙ୍କରେ ପାରଂପରିକ ରିତିନିତି ଓ କୂଳାଚାର ଭିତ୍ତିରେ ଏହା ସଂପନ୍ନ ହୋଇଥାଏ । ଓଡ଼ିଶାର କେତେକ ଅଞ୍ଚଳରେ ଏହି ଦିନ ଗହ୍ମା ଡିଆଁ ମଧ୍ୟ ଅନୁଷ୍ଠିତ ହୋଇଥାଏ ।
ଗୋମାତାଙ୍କ ପୂଜା ସାରି ଚାଷୀମାନେ ନିଜ ନିଜ ଜମିବାଡ଼ିରେ ମଧ୍ୟ ଫୁଲ, ଦୀପ ଏବଂ ପିଠା ଦାନକରି ଭଲ ଫସଲ ଅମଳ ପାଇଁ ପ୍ରାର୍ଥନା କରିଥାନ୍ତି । ଏହି ସମୟରେ ଚାଷବାସ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାରୁ ଚାଷୀ ପରିବାର ଓ ପାଖ ପଡେ଼ାଶୀଙ୍କ ସହ ଖୁସି ମନାଇଥାଏ ।
ଶ୍ରୀମନ୍ଦିରରେ ମହାପ୍ରଭୁ ବଳରାମଙ୍କ ପବିତ୍ର ଜନ୍ମୋତ୍ସବ ସ୍ବତନ୍ତ୍ର ବିଧି ବିଧାନର ସହ ଅନୁଷ୍ଠିତ ହୋଇଥାଏ । ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ଶ୍ରୀମନ୍ଦିରରେ ପାଳନ କରାଯାଇଥାଏ । ଦେବୀ ସୁଭଦ୍ରା ତାଙ୍କ ବଡ଼ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି ।
ଭାଇ ଉଉଣୀଙ୍କ ପବିତ୍ର ବନ୍ଧନ ହେଉଛି ‘ରକ୍ଷା ବନ୍ଧନ’ ପର୍ବ । ଏହା ମନେପକେଇ ଦିଏ ଭାଇ-ଭଉଣୀଙ୍କ ସ୍ନେହ ଓ ପ୍ରେମର କାହାଣୀ । ଏନେଇ ଏହି ଉତ୍ସବ ସେମାନଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ ।
ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ଭାଇ ପ୍ରତି ଥିବା ପ୍ରେମକୁ ଦର୍ଶାଇଥିବାବେଳେ ଭାଇ ମଧ୍ୟ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିଥାଏ । ଏହି ବିଶେଷ ଅବସରରେ ଭାଇ ଓ ଭଉଣୀମାନେ ପରସ୍ପରକୁ ଉପହାର ଦେଇ ଖୁସି ମନେଇଥାନ୍ତି ।
ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ । ଏହି ସ୍ନେହ-ପ୍ରେମର ବନ୍ଧନରେ ବାନ୍ଧି ହୋଇ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ରାଜି ହୋଇଯାଏ ।
ତେବେ ଏହି ପ୍ରରମ୍ପରା ଆଜିକାଲିର ନୁହେଁ, ଏହା ଅତି ପ୍ରାଚ଼ୀନ । ପୁରାଣ ଓ ଇତିହାସରେ ରହିଛି ରକ୍ଷାବନ୍ଧନକୁ ନେଇ ଅନେକ ରୋଚକ କାହାଣୀ । ପୁରାଣରେ ଦୈତ୍ୟରାଜ ବଳି ଙ୍କ ଠାରୁ ମୋଗଲ ସମ୍ରାଟ ହୁମାୟୁନଙ୍କ ଯାଏଁ ରକ୍ଷାବନ୍ଧନ ଭଉଣୀର ସମ୍ମାନ ରକ୍ଷା କରିଆସିଛି ।
ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୈାଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳି ଙ୍କ ରାଜପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ । ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ ।
ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କ’ଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ ।
ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି ।କାହାଣୀଟି ଯଦୁପତି ଭଗବାନ କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଭଗବାନ ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ସମୟରେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ ବନ୍ଦ ହେଇଯାଇଥିଲା ।
ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ । ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ଲକ୍ଷେ ବସ୍ତ୍ର ଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ । ଏହି ପବିତ୍ର ଗହ୍ମାପୂର୍ଣ୍ଣିମା ଓ ରକ୍ଷା ବନ୍ଧନ ଅବସରରେ ସମସ୍ତ ଜନସାଧାରଣଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ।