ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦରଦାମ ବୃଦ୍ଧିକୁ ନେଇ ନର୍ଲା ସାପ୍ତାହିକ ବଜାର ଠାରେ ନର୍ଲା କଂଗ୍ରେସର ହାଲ୍ଲାବୋଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନର୍ଲା ବ୍ଲକ କଂଗ୍ରେସ ସଭାପତି ସମୀର ଚାନ୍ଦଙ୍କ ନେତୃତ୍ୱରେ ରବିବାର ଦରଦାମ ବୃଦ୍ଧିକୁ ନେଇ ଆୟୋଜିତ ଏହି ହାଲ୍ଲାବୋଲ କାର୍ଯ୍ୟକ୍ରମରେ କଳାହାଣ୍ଡି ପର୍ଯ୍ୟବେକ୍ଷକ ଡମ୍ବରୁ ଛତ୍ରିଆ, ଜିଲ୍ଲା ସଭାପତି ଭାରତ ବେମାଲ, ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ କଳାହାଣ୍ଡି ସଂଯୋଜକ ସରୋଜ ବାଗ, ଜିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ଦେବାଶିଷ କୁମାର, ଯୁବକଂଗ୍ରେସ ବ୍ଲକ ସଭାପତି ଦୀପୁ ପାତ୍ର, ବ୍ଲକ ଉପସଭାପତି ସୁଦାମ ପଧାନ ଓ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ ଦ୍ବାରା ଅହେତୁକ ଦରଦାମ ବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କ ମୁଣ୍ଡବ୍ୟଥାର କାରଣ ସାଜିଲାଣି। ସେହିପରି ଗ୍ୟାସ, ପେଟ୍ରୋଲ, ଡିଜେଲ, ଖାଉଟି ସାମଗ୍ରୀ ଯଥା ତେଲ, ଲୁଣ, ଡାଲି, ଚାଉଳ, ବିସ୍କୁଟ, ଭଳି ସାମଗ୍ରୀ ପନିପରିବା ଇତ୍ୟାଦିର ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ଅଡୁଆରେ ପକାଇଲାଣି। ଚୂଡ଼ା, ମୁଢି, ଅଟା, ଗୁଡ, ଉଖୁଡା, ଦହି, ପନିର ଓ ସ୍କୁଲ ପିଲାଙ୍କ ପେନସିଲ, କଟର, ଖାତା ଉପରେ ସରକାର ଟେକ୍ସ ଲଗାଇବା ବୋଝ ଉପରେ ନଳିତାବିଡା ସଦୃଶ। ଏଣୁ କେନ୍ଦ୍ର ସରକାରଙ୍କ ଏଭଳି ଗରୀବ ମାରଣ ନୀତି ଉପରେ କଂଗ୍ରେସ ନେତାମାନେ ଗର୍ଜିଥିଲେ। ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ବେମାଲ ମତବ୍ୟକ୍ତ କରିଛନ୍ତି।