ଗଣେଶଙ୍କର ଦୁଇଟି ବିବାହ ହେଲା କାହିଁକି

✒️ରଜତ ବଂଶଲ

ପୁରାଣ ବର୍ଣ୍ଣନା ଅନୁଯାୟୀ, ଭଗବାନ ଗଣେଶ ବ୍ରହ୍ମଚାରୀ ରହିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କର ସଂକଳ୍ପ ଭାଙ୍ଗିଗଲା ଏବଂ ଗୋଟିଏ ନୁହେଁ, ଦୁଇଟି ବିବାହ ହୋଇଥିଲା । ଥରେ ଭଗବାନ ଗଣେଶ ଅନୁତାପରେ ବସିଥିଲେ । ସେହି ବାଟ ଦେଇ ତୁଳସୀ ଯାଉଥିଲେ । ତାଙ୍କୁ ଦେଖି ତୁଳସୀ ମୋହିତ ହୋଇଗଲେ ଓ ଗଣେଶଙ୍କୁ ବିବାହ ପ୍ରସ୍ତାବ ଦେଲେ । ତେବେ ଗଣେଶ ନିଜକୁ ବ୍ରହ୍ମଚାରୀ ଦର୍ଶାଇ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ତୁଳସୀ ଏଥିରେ କ୍ରୋଧିତ ହୋଇ ଗଣେଶଙ୍କୁ ଅଭିଶାପ ଦେଇଥିଲେ ଯେ; ତାଙ୍କର ଗୋଟିଏ ନୁହଁ, ଦୁଇଟି ବିବାହ ହେବ ।

ଅନ୍ୟ ଏକ କିମ୍ବଦନ୍ତି ଅନୁସାରେ, ତାଙ୍କର ରୂପ ଓ ହାତୀମୁଣ୍ଡ ଯୋଗୁଁ ଗଣେଶଙ୍କୁ କେହି ବିବାହ କରିବାକୁ ରାଜି ନଥିଲେ । ଯେଉଁଥିପାଇଁ ଗଣେଶ କ୍ରୋଧିତ ହୋଇ ଅନ୍ୟ ଦେବତାମାନଙ୍କ ବିବାହରେ ବାଧା ସୃଷ୍ଟି କରିବାକୁ ଲାଗିଲେ । ତା’ପରେ ସମସ୍ତ ଦେବତା ବିରକ୍ତ ହୋଇ ବ୍ରହ୍ମାଙ୍କ ପାଖରେ ପହଂଚିଲେ । ସମସ୍ୟାର ସମାଧାନ ତଥା ଗଣେଶଙ୍କୁ ମନାଇବା ପାଇଁ ବ୍ରହ୍ମା ତାଙ୍କର ଯୋଗ ଶକ୍ତି ବଳରେ ଦୁଇ କନ୍ୟା ରିଦ୍ଧି ଓ ସିଦ୍ଧିଙ୍କୁ ଜନ୍ମ ଦେଲେ । ଦୁହେଁ ବ୍ରହ୍ମାଙ୍କ ମାନସକନ୍ୟା ଥିଲେ । ଦୁହିଁଙ୍କୁ ବ୍ରହ୍ମା ଗଣେଶଙ୍କ ପାଖକୁ ନେଲେ ଏବଂ ସେମାନଙ୍କୁ ଶିକ୍ଷା ଦେବାକୁ ଅନୁରୋଧ କଲେ । ବ୍ରହ୍ମାଙ୍କ ଆଜ୍ଞା ପାଇ ଗଣେଶ ସେ ଦୁହିଁଙ୍କୁ ଶିକ୍ଷାଦାନ କରିବାକୁ ଲାଗିଲେ ।


ଯେତେବେଳେ ଗଣେଶଙ୍କ ପାଖକୁ କାହାର ବିବାହ ପ୍ରସ୍ତାବ ଆସୁଥିଲା, ସେତେବେଳେ ରିଦ୍ଧି ଓ ସିଦ୍ଧି ତାଙ୍କ ଧ୍ୟାନଭଙ୍ଗ କରୁଥିଲେ ଏବଂ ବିବାହ ଭାଙ୍ଗିଯାଉଥିଲା । ଧୀରେଧୀରେ ଗଣେଶ ହୃଦୟଙ୍ଗମ କଲେ ଯେ, ତାଙ୍କ ଛଡ଼ା ସମସ୍ତଙ୍କର ବିବାହ ବିନା ବାଧାବିଘ୍ନରେ ସମ୍ପନ୍ନ ହେଉଛି ।

ତେଣୁ ସେ ରିଦ୍ଧି ଓ ସିଦ୍ଧିଙ୍କ ଉପରେ କ୍ରୋଧିତ ହୋଇ ସେମାନଙ୍କୁ ଅଭିଶାପ ଦେବାକୁ ଉଦ୍ୟତ ହେଲେ ଗଣେଶ। ଠିକ୍ ସେତିକିବେଳେ ବ୍ରହ୍ମା ସେଠାକୁ ଆସି ଗଣେଶଙ୍କୁ ଏପରି କରିବାରୁ କ୍ଷାନ୍ତ ହେବାକୁ କହିଲେ । ଏଥିସହ ସେ ରିଦ୍ଧି ଓ ସିଦ୍ଧିଙ୍କୁ ବିବାହ କରିବାକୁ ଗଣେଶଙ୍କୁ ଅନୁରୋଧ କଲେ । ଗଣେଶ ବ୍ରହ୍ମାଙ୍କ କଥାରେ ରାଜି ହୋଇଗଲେ ଏବଂ ଏହିପରି ଭାବରେ ଗଣେଶଙ୍କର ଦୁଇଟି ବିବାହ ସମ୍ପନ୍ନ ହେଲା ।

ପ୍ରସାର ପରିଚାଳକ, ଓଡ଼ିଆ ବାର୍ତ୍ତା
ମୋ: 8637299595

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.