ସମର୍ପଣର ତିହାର ନୂଆଖାଇ

Omkar Vasthu
Omkar Vasthu

✍🏼 ଅଧ୍ୟାପକ ମୋହନ ଚରଣ ବିଷି

ନୂଆଖାଇ କେବଳ ଭାଇଚାରା ଓ ପରମ୍ପରାଗତ ପର୍ବ ନୁହେଁ। ଏହା ମଧ୍ୟ ସମର୍ପଣର ପର୍ବ ଅଟେ। କେଉଁ ଆଦିମ କାଳରୁ ମଣିଷ ପ୍ରକୃତିର ଉପାସନା କରି ଆସୁଅଛି। ପ୍ରକୃତିରୁ ଯାହାସବୁ ପ୍ରାପ୍ତ କରେ ସେଥିପାଇଁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ବିଭିନ୍ନ ରୂପରେ ପ୍ରକୃତିର ଆରାଧନା କରେ। ପ୍ରକୃତିରୁ ପ୍ରାପ୍ତ ଖାଦ୍ୟାନ୍ନକୁ ପ୍ରକୃତିକୁ ସମର୍ପଣ କରି ଭକ୍ଷଣ କରିଥାଏ। ବିଭିନ୍ନ ସମୟରେ ଉତ୍ପନ୍ନ ହେଉଥିବା ଶସ୍ୟକୁ ପ୍ରଥମେ ଦିଅଁ ଦେବତା ନିକଟରେ ଅର୍ପଣ କରିଥାଏ। ଯେମିତି ଧାନ ପୂର୍ବରୁ ଗୁରୁଜି, ସୁଆଁ, ମାଣ୍ଡିଆ ପ୍ରଭୃତିକୁ ଅର୍ପଣ କରେ ଚଷା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ନୂଆଖାଇ ଅର୍ଥାତ ପ୍ରଥମ ଥର ପାଇଁ ନୂଆ ଖାଦ୍ୟାନ୍ନକୁ ସମର୍ପଣ ପୂର୍ବକ ଖାଇବାକୁ ବୁଝାଇ ଥାଏ। ନୂଆଖାଇ ପୂର୍ବରୁ ଅନେକ ତିହାର ବା ପର୍ବ ପାଳନ ହୋଇଥାଏ। ଏହି ସବୁ ପର୍ବ ନୂଆଖାଇର ପ୍ରସ୍ତୁତି ପର୍ବ ଭାବରେ ଗଣାଯାଏ। ନୂଆଖାଇର ଏକ ମାସ ପୂର୍ବରୁ ଚିତାଲାଗି ଅମାବସ୍ୟାରେ ଧାନ ବିଳରେ କେନ୍ଦୁଡାଳ ବା କାଣ୍ଡ ପୋତାଯାଏ। ଏହା ପୋତିବାର ଉଦ୍ଦେଶ୍ୟ ହେଲା ଧାନ ଗଛରେ ରୋଗପୋକ ଲାଗିବ ନାହିଁ ଓ ଭଲ ଅମଳ ହେବ। ତାପରେ ପାଳନ କରେ ଗହ୍ମା ପୂର୍ଣ୍ଣିମା। ଏହିଦିନ ଗାଇ ବଳଦ ନିରୋଗ ରହିବା ପାଇଁ ଗାଈଗୋରୁଙ୍କୁ ବନ୍ଦାପନା କରାଯାଏ।

ଏହାପରେ ଗାଁର ପୁଝାରୀ ବା ଝାଙ୍କର ଗାଁରେ ରୋଗ ବୋହଲା କରନ୍ତି। ଏହି ରୋଗ ବୋହଲା କରିବାର କାରଣ ହେଲା ଗାଁର ଲୋକମାନେ ସୁସ୍ଥ ଓ ସୁରକ୍ଷିତ ରହନ୍ତୁ। ପୂର୍ବେ ବିଭିନ୍ନ ପ୍ରକାର ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରଥିଲେ ତେଣୁ ଗାଁର ଦେବାଦେବୀଙ୍କର ପୂଜାର୍ଚ୍ଚନା କରି ସନ୍ତୁଷ୍ଟ କରିପାରିଲେ ଗାଁରେ ରୋଗ ଦୁଃଖ ହୁଏ ନାହିଁ ବୋଲି ବିଶ୍ବାସ ରହିଛି।

ଏହାପରେ ଗାଁରେ ଦାଣ୍ଡସରା ହୋଇଥାଏ। ଏହାର ଅର୍ଥ ହେଲା ଗାଁ ସଂପୂର୍ଣ୍ଣ ଭାବରେ ସଫା ସୁତୁରା ହେବ। ଲୋକମାନେ ନିଜ ଘର ଦ୍ବାର ଲିପାପୋଛା କରନ୍ତି, ଘରର ପ୍ରତ୍ୟେକ ଲୁଗାପଟାକୁ ସଫା କରନ୍ତି, ଶୋଇବା ଘଟ ଠାରୁ ଝାଡୁ ପର୍ଯ୍ୟନ୍ତ ସଫାସୁତୁରା କରାଯାଏ।

ନୂଆଖାଇର ପାଞ୍ଚଦିନ ପୂର୍ବରୁ ପଡିଥାଏ ସପ୍ତପୁରୀ ଅମାବାସ୍ୟା। ଏହି ଅମାବସ୍ୟାରେ ନୂଆଖାଇ ପାଇଁ ଶୁଭ ମନାସୀ ପୂଜାର୍ଚ୍ଚନା କରାଯାଏ। ସପ୍ତପୁରୀ ଅମାବାସ୍ୟାକୁ ପୋରା ଉଁଆସା ବା ପରୁହାଁ ଉଁଆସ କୁହାଯାଏ। ପରୁହାଁ ଅର୍ଥ ହେଉଛି ପ୍ରଥମ ବା ଆଦ୍ୟ। ଏହା ହେଉଛି ଆଦ୍ୟ ଅମାବସ୍ୟା।

ଏହି ଅମାବାସ୍ୟା ହିଁ ସୂଚିତ କରେ ନୂଆଖାଇ ଆସୁଛି। ନୂଆଖାଇ ପୂର୍ବରୁ ଧାନଗଛ ନିରୋଗ, ଗାଇଗୋରୁ ନିରୋଗ ତଥା ମଣିଷ ସମାଜ ନିରୋଗ ରହିବା ପାଇଁ ପୋଏଲ ଉଁଆସ, ପୋରା ଉଁଆସ, ଦାଣ୍ଡସରା, ରୋଗ ବୋହେଲେନ ପ୍ରଭୃତି ପାଳନ କରିଥାଏ।


ସପ୍ତପୁରୀ ଅମାବସ୍ୟାରେ ଗାଁରେ ବିଭିନ୍ନ ପ୍ରକାରର ଖେଳ ଗାଁର ପିଲାଛୁଆ, କିଶୋର କିଶୋରୀମାନେ ଖେଳିଥାନ୍ତି। ଏହିଦିନ ଲୁପ୍ତପ୍ରାୟ ଖେଳ ସବୁ ଦେଖିବାକୁ ମିଲିଥାଏ। ସପ୍ତପୁରୀ ଅମାବସ୍ୟାର ପାଞ୍ଚଦିନ ପରେ ବହୁ ପ୍ରତିକ୍ଷିତ ନୂଆଖାଇ ବା ନବାନ୍ନ ଋଷି ପଞ୍ଚମୀତିଥିରେ ପଡେ। କିଛି ସଂପ୍ରଦାୟ ବା କିଛି ଅଞ୍ଚଳରେ ପଞ୍ଚମୀ ପୂର୍ବରୁ ବା ପରେ ନବାନ୍ନ ପାଳନ କରିଥାନ୍ତି।


ନବାନ୍ନର ପୂର୍ବ ଦିନ ସମସ୍ତ ପ୍ରସ୍ତୁତି ଶେଷ ହୋଇଥାଏ। ରାତିରେ ପୂଜାର୍ଚ୍ଚନା କରି ଜମିରୁ ପାଣି ଆଣାଯାଏ। ପାହାନ୍ତିଆରୁ ଧାନ ସଂଗ୍ରହ କରାଯାଏ। ପ୍ରତ୍ୟେକ ଘରେ ଛ’ତିଅଣ ନଭଜା ସହ ଧାନରୁ ଚୁଡା ପ୍ରସ୍ତୁତ ହୋଇଥାଏ। ଧାର୍ଯ୍ୟ ଲଗ୍ନ ଅନୁସାରେ ନୂଆ ନିଜ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରାଯାଏ। ଘରର ମୁରବି ସମସ୍ତଙ୍କୁ ନୂଆ ଦେଇଥାନ୍ତି। ସମସ୍ତେ କୃତଜ୍ଞତା ଜଣାଇ ନୂଆ ଭକ୍ଷଣ କରିଥାନ୍ତି।

ନୂଆଖାଇସାରି ଦେବାଦେବୀ ଓ ଘରର ବୟସ୍କ ମାନଙ୍କୁ ମୁଣ୍ଡିଆମାରି ଆଶୀର୍ବାଦ ଗ୍ରହଣ କରନ୍ତି। ସଂଧ୍ୟାରେ ନୂଆଖାଇ ଭେଟଘାଟ ହୋଇଥାଏ। ଏହି ଭେଟଘାଟରେ ସାନମାନେ ବଡମାନଙ୍କୁ ମୁଣ୍ଡିଆ ବା ଜୁହାର କରିଥାନ୍ତି।ଗାଁ ଦାଣ୍ଡରେ ନାଚଗୀତର ଆସର ଜମିଥାଏ। ନୂଆଖାଇ ପରଦିନକୁ ବାସି ତିହାର ଭାବେ ପାଳନ କରାଯାଏ। ଏହିଦିନ ଭୋଜିଭାତ ସହ ଘରେ ଘରେ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି।


ନୂଆଖାଇ ପାଇଁ ଯିଏଯେତେ ଦୂରେ ଥିଲେ ମଧ୍ୟ ଗାଁକୁ ଆସିଥାନ୍ତି। ସମସ୍ତେ ରାଗ, ରୁଷା, ଅଭିମାନ ଭୁଲି ଏକତ୍ର ମିଶି ନୂଆଖାଇରେ ସାମିଲ ହୋଇଥାନ୍ତି। ତେଣୁତ ନୂଆଖାଇକୁ ଭାଇଚାରାର ପର୍ବ କୁହାଯାଏ। ନୂଆଖାଇ ପୂର୍ବରୁ ଝିଅ ଘର, ମିତ, ସଂଗାତ ଘରମାନଙ୍କୁ ଜୋଗାର ଆସିଥାଏ। ଜୋଗାର ଅର୍ଥ ଖଜା, ପିଠା, ମିଠା ସହ ଲୁଗାପଟାକୁ ବୁଝାଏ। ଏହି ଜୋଗାର ଦିଆନିଆ ଏକ ସଦଭାବନାର ପ୍ରତୀକ।


ବର୍ତ୍ତମାନ ସମୟରେ ମଧ୍ୟ ନୂଆଖାଇ ପାଇଁ ଆଗ୍ରହ କମିନାହିଁ।ପରଂପରା କୁ ଉଜ୍ଜିବିତ କରି ରଖିବା ପାଇଁ ଦେଶର ବିଭିନ ସ୍ଥାନ ତଥା ବିଦେଶରେ ମଧ୍ୟ ନୂଆଖାଇ ଭେଟଘାଟ ଆୟୋଜନ ହୋଇଥାଏ। ଗାଁ ମାନଙ୍କରେ ମଧ୍ୟ ନୂଆଖାଇ ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଲିଥାଏ। ନୂଆଖାଇର ବିଶେଷତଃ ମଧ୍ୟରେ ରହିଛି ସମସ୍ତେ ନୂଆଲୁଗା ଧାରଣ କରନ୍ତି।

ପ୍ରକୃତିର ଅମୂଲ୍ୟ ଦାନ ଅନ୍ନକୁ ସମ୍ମାନ ଦେବାପାଇଁ କରଜ କରି ମଧ୍ୟ ନୂଆଖାଇକୁ ଜାକଜମକରେ ପାଳନ କରିଯାଏ। ପ୍ରକୃତିର ଅନନ୍ୟ ଉପହାର ଯାହା ମାଧ୍ୟମରେ ଜୀବନ ପରିପୁଷ୍ଟ ହୋଇଥାଏ ତାକୁ କେମିତି ଭୁଲିବ ମଣିଷ। ଅନ୍ନକୁ ବ୍ରହ୍ମ କୁହାଯାଏ। ଏହି ଅନ୍ନବ୍ରହ୍ମ ପ୍ରତି ଅନନ୍ୟ ସମର୍ପଣର ଭାବନା ମଣିଷ ପ୍ରକୃତି ପ୍ରତି କୃତଜ୍ଞତାର ନିଦର୍ଶନ ଅଟେ।


ବିଶେଷ ଭାବରେ ପଶ୍ଚିମ ଓଡ଼ିଶାରେ ନୂଆଖାଇ ପାଳନ ହେଉଥିଲେ ମଧ୍ୟ ଭାରତର ବିଭିନ୍ନ ରାଜ୍ୟରେ ନୂଆଖାଇକୁ ବିଭିନ୍ନ ସମୟରେ ଓ ବିଭିନ୍ନ ଭାବରେ ପାଳନ କରନ୍ତି। ପଶ୍ଚିମ ଓଡିଶାରେ ଭାଦ୍ରବ ଋଷି ପଞ୍ଚମୀ ତିଥିରେ ନୂଆଖାଇ ପାଳନ କରାଯାଏ। ଠିକ୍ ଏହି ସମୟରେ ପୋରାଧାନ, ଚିଙ୍ଗେର ଧାନ, ସେଟକା ଧାନ, ଭଟାଧାନ ଅମଳ ହୋଇଥାଏ।

ଏହି ଧାନ ଅମଳ ପରେ ଧାନରୁ ଚାଉଳ ପ୍ରସ୍ତୁତ କରି ଦୈନନ୍ଦିନ ଜୀବନ ନିର୍ବାହ କରିଥାଏ।ଏହି ଆଦ୍ୟ ଅନ୍ନକୁ ପ୍ରକୃତିକୁ ସମର୍ପଣ କରିବାର ନିଆରା ପରମ୍ପରା ହେଉଛି ନୂଆଖାଇ।ଅବଶ୍ୟ ଆଜିକାଲି ଆଉ ନୁଆଖାଇ ସରିଲାପରେ ନୂଆଧାନରୁ ଚାଉଳ ପ୍ରସ୍ତୁତ କରାଯିବାର କମିଗଲାଣି।ତାର କାରଣ ସରକାରଙ୍କ ତରଫରୁ ଚାଉଳ ଯୋଗାଣ ଓ ନିଜେ ମଧ୍ୟ ଚାଉଳ ଗଚ୍ଛିତ କରି ରଖୁଛନ୍ତି।


ନୁଆଖାଇର ଅନ୍ୟ ବିଶେଷତଃ ହେଲା ନବାନ୍ନକୁ ପତ୍ରରେ ଖାଇବା। ଏଥିପାଇଁ ଏକ ସ୍ବତନ୍ତ୍ର ପତ୍ର ବ୍ୟବହାର କରାଯାଏ। ଯାହାକୁ ଆମେ କୁରେପତ୍ର କହିଥାଉ। ଏହି କୁରେପତ୍ରରେ କୌଣସି ପ୍ରକାର ରୋଗପୋକ ଲାଗେ ନାହିଁ।କୁରେପତ୍ରର ଏକ ଔଷଧୀୟ ଗୁଣ କାରଣରୁ ଏହି ପତ୍ର ସୁରକ୍ଷିତ ଥାଏ।ଏହି ସମୟରେ ଅନ୍ୟଗଛର ପତ୍ରରେ ରୋଗପୋକ ଲାଗିଥାଏ। ବୋଧେ ଏଥିପାଇଁ କୁରେପତ୍ରରେ ନୂଆଖିଆ ଯାଏ।


ନୁଆ ପ୍ରସ୍ତୁତି ସମୟରେ ବିଶେଷ ଧ୍ୟାନ ଦିଆଯାଏ। ଧାନ ସଂଗ୍ରହ କରିସାରିଲା ପରେ ମାଟିପାତ୍ରରେ ଭଜାଯାଏ। ଭଜାଧାନକୁ ଢିଙ୍କି, କୋଟେନ ବା ଆଜିକାଲିର ହେମଦସ୍ତା ସାହାଯ୍ୟରେ କୁଟାଯାଏ। କୁଟିବାର ଅର୍ଥ ହେଲା ପାହାର ପକାଇବା। ଏହି ପାହାର ପକାଇବା ଦ୍ବାରା ଧାନରୁ ଚୁଡା ପ୍ରସ୍ତୁତ ହୋଇଥାଏ। ପରେ ଚୁଡାରୁ ଧାନ ଚୋପା ପାଛୁଡି ବାହାର କରାଯାଏ।

ନବାନ୍ନରେ ମିଲ ପ୍ରସ୍ତୁତ ଚୁଡା ବ୍ୟବହାର କରାଯାଏ ନାହିଁ। ହାତ ପ୍ରସ୍ତୁତ ଚୁଡା ହିଁ ନୂଆଖାଇ ପାଇଁ ଉପଯୁକ୍ତ ଅଟେ। ଚୁଡା ପ୍ରସ୍ତୁତ ପରେ ଗୁଡ, ମହୁ, କ୍ଷୀର ଦେଇ ସ୍ବତନ୍ତ୍ର ଭାବେ ଚଟକାଯାଏ। କୁରେପତ୍ରରେ ପ୍ରସ୍ତୁତ ଦନା ବା ପତ୍ରରେ ବଢାଯାଏ।ସ୍ବତନ୍ତ୍ର ବିଧିରେ ପୂଜାର୍ଚ୍ଚନା ପରେ ଧାର୍ଯ୍ୟଲଗ୍ନରେ ନବାନ୍ନ ଗ୍ରହଣ କରାଯାଏ।

ସାଧାରଣତଃ ଭାବରେ ଏହିସବୁ ବିଧି ନୁଆଖାଇରେ ପାଳନ ହୋଇଥାଏ। ନୂଆଖାଇକୁ ତାତ୍ତ୍ବିକ ଦୃଷ୍ଟିରୁ ଦେଖିଲେ ଜଣାଯାଏ ଯେ ମନୁଷ୍ୟ ପ୍ରକୃତିର ମହାନ ଦାନ ଯାହା ମାଧ୍ୟମରେ ବର୍ଷ ସାରା ଭୋକ ମେଣ୍ଟାଇଥାଏ। ସେହି ଅନନ୍ୟ ଦାନକୁ ପ୍ରଥମେ ସମର୍ପଣ କରିଥାଏ ନିଜ ଇଷ୍ଟ ଦେବାଦେବୀ ନିକଟରେ। ଏଥିପାଇଁ ପ୍ରକୃତି ରାଣୀକୁ ବିଧିପୂର୍ବକ ପୂଜାର୍ଚ୍ଚନା ମଧ୍ୟ କରିଥାଏ।ତେଣୁତ ନୂଆଖାଇ ଏକ ସମର୍ପଣର ପର୍ବ ଅଟେ।

ଗଡରାମାଲ, କୋକସରା
କଳାହାଣ୍ଡି
ମୋ-୯୭୭୭୪୬୮୮୪୧

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.