ନୂଆଖାଇ ପର୍ବରେ ଗାଁର ‘ଗଣା’ ଙ୍କ ଭୂମିକା: ଏକ ବିହଙ୍ଗାବଲୋକନ

ଆଦିମ ଶିକରଜୀବୀ ସମାଜ ଯେତେବେଳେ କୃଷିଜୀବୀ ସମୁଦାୟରେ ପରିଣତ ହେଲା, ସେହି ସମୟରେ ତା’ର ଚିନ୍ତା ଚେତନାରେ ପ୍ରଥମ କରି ଉତ୍ପାଦିତ ଅନ୍ନକୁ ପିତୃପୁରୁଷ ଓ ଦେବାଦେବୀଙ୍କୁ ସମର୍ପଣ କରିବାର ଭାବରୁ ନୂଆଖାଇ ପର୍ବର ଉଦ୍ଭବ ହେଲା । ପ୍ରାଚୀନ ଭାରତୀୟ କୃଷି ସଭ୍ୟତାର ଆଦ୍ୟ ପାର୍ବଣ ନୂଆଖାଇ ଆଜି ମଧ୍ୟ ପଶ୍ଚିମ ଓଡ଼ିଶା ସମେତ ଛତିଶଗଡ ଓ ଝାଡ଼ଖଣ୍ଡ ରାଜ୍ୟର କେତେକ ଅଞ୍ଚଳରେ ଲୋକାଚାର ଓ କୂଳାଚାର ଧାରାରେ ପାଳିତ ହୋଇଥାଏ ।

ପ୍ରାଚୀନ କାଳରୁ ଅନୁସୃତ କେତେକ ପ୍ରଥା ଓ ପରମ୍ପରାକୁ ନେଇ ପରିପୁଷ୍ଟ ହୋଇଥାଏ ମହାପାର୍ବଣ ନୂଆଖାଇ । ଏହି ପ୍ରଥା ଓ ପରମ୍ପରା ମଧ୍ୟରେ ରହିଛି ରୁଗୀବଲା ଓ ପନାପାଏନ୍ ଢଲା, ଖେଡ଼ଶୁଆ, ଜୁଗାର୍ ଭାର୍ ଇତ୍ୟାଦି । ଏସବୁ ଅନୁଷ୍ଠାନରେ ଗାଁର ଗୌନ୍ତିଆ, ଜାନୀ, ଝାଙ୍କର ଓ ଗଣା ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି । ତେବେ ଆଲୋଚ୍ୟ ପ୍ରସଙ୍ଗରେ ନୂଆଖାଇ ପର୍ବରେ ଗାଁର ‘ଗଣା’ଙ୍କ ଭୂମିକା ଉପରେ ଆଲୋକପାତ କରାଯିବାକୁ ଚେଷ୍ଟା କରାଯାଇଛି ।


ରାଜତନ୍ତ୍ର ସମୟରୁ ପଶ୍ଚିମ ଓଡ଼ିଶାର ପ୍ରତ୍ୟକ ଗାଁରେ ଜଣେ ଜଣେ ‘ଗଣା’ ରହି ଆସିଛନ୍ତି । ଗାଁର ଗୈାନ୍ତିଆ ବିଭିନ୍ନ ଜାତିର ହୋଇ ପାରନ୍ତି, କିନ୍ତୁ ବିଶେଷ କରି ଅବିଭକ୍ତ କଳାହାଣ୍ଡିରେ ଗଣା କେବଳ ଡମ୍ ଜାତିର ହୋଇଥାନ୍ତି ।

ଗଣା କଳାହାଣ୍ଡି ଗ୍ରାମ୍ୟ ଜୀବନର ପ୍ରମୁଖ ଅଙ୍ଗ, ତାଙ୍କ ବିନା କୌଣସି ପର୍ବପର୍ବାଣୀର କଳ୍ପନା ମଧ୍ୟ କରାଯାଇ ପାରେନାହିଁ । ସେ ପ୍ରତ୍ୟକ ପର୍ବପର୍ବାଣୀ ଓ ଦେବାଦେବୀ ଆରଧନାର ଆଦ୍ୟ ସୁତ୍ରଧର ।

‘ଗଣାର ଡାକ୍, ସର୍ଗର୍ ବାଟ୍’ – ଗଣାର ଡାକ କେବଳ ଗ୍ରାମର ଜନସାଧାରଣଙ୍କ କାନରେ ବାଜିଥାଏ ଏହା ନୁହଁ, ଦେବାଦେବୀମାନେ ମଧ୍ୟ ତା’ର ଡାକକୁ କାନେଇଥାନ୍ତି । ଗାଁର ପ୍ରତ୍ୟକ ଶୁଭ ଅଶୁଭ କାର୍ଯ୍ୟର ସୂଚନା ଗଣା ମାଧ୍ଯମରେ ପାଇଥାନ୍ତି ଗ୍ରାମବାସୀ । ତେଣୁ ଗଣାଙ୍କ ପ୍ରତି ପ୍ରତ୍ୟେକ ଗ୍ରାମବାସୀଙ୍କ ସ୍ବତନ୍ତ୍ର ଶ୍ରଦ୍ଧା ଓ ସମ୍ମାନ ରହିଥାଏ ।

ନୂଆଖାଇ ପାର୍ବଣର ଆଦ୍ୟରୁ ପ୍ରାନ୍ତ ଯାଏ ଗଣାଙ୍କ ବିଶେଷ ଭୂମିକା ରହିଥାଏ ‌। ଭାଦ୍ରବ ମାସର ଅୟରାରମ୍ଭ ପୂର୍ବରୁ ନୂଆଖାଇ ପ୍ରସ୍ତୁତି ପାଇଁ ଗାଁରେ ବୈଠକ ବସେ । ଗାଁର ଗଣା ଦାଣ୍ଡରେ ବୁଲି ଏହି ବିଷୟରେ ଗ୍ରାମବାସୀଙ୍କୁ ସୂଚନା ଦେଇଥାନ୍ତି ।

ଗଣାର ଡାକ ଶୁଣିବା ପରେ ଗ୍ରାମ୍ୟ ପରିବେଶରେ ନୂତନ କମ୍ପନ ସୃଷ୍ଟି ହୁଏ । ଗଣା ଗାଁ ମୁଣ୍ଡରେ ପ୍ରଥମ ଡାକ ଦେଇଥାନ୍ତି । ସେ ଯେଉଁ ସ୍ଥାନରେ ଠିଆହୋଇ କୁହାଟ ଛାଡିଥାନ୍ତି, ତାହା ହେଉଛି ଗବଡା ଗଦା । ଏହି ସ୍ଥାନର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ‘ଗବଡା’ ।

ଭାରତୀୟ ଶାକ୍ତ ତନ୍ତ୍ର ଧାରାର ବହୁ ପୂର୍ବରୁ କଳାହାଣ୍ଡିରେ ଅଭିଚାର ତନ୍ତ୍ର ଧାରା ରହିଥିଲା । ଏହି ଅଭିଚାର ତନ୍ତ୍ରର ଏକ ବଳିଷ୍ଠ ଦେବୀ ହେଉଛନ୍ତି ‘ଗବଡା’ । କୁହାଯାଏ ଗଣାର ନୂଆଖାଇ ସୂଚନା ଶୁଣିବା ପରେ ଗବଡା ଦେବୀ ସମସ୍ତ ଗ୍ରାମ୍ୟ ଦେବାଦେବୀଙ୍କୁ ତୁରନ୍ତ ବାର୍ତ୍ତା ପ୍ରରଣ କରିଥାନ୍ତି । ଗ୍ରାମ୍ୟ ଦେବାଦେବୀମାନେ ମଧ୍ୟ ଅଦୃଶ୍ୟ ରୂପରେ ନୂଆଖାଇ ପ୍ରସ୍ତୁତି ପାଇଁ ଆୟୋଜିତ ହୋଇଥିବା ବୈଠକରେ ଯୋଗ ଦେଇଥାନ୍ତି ।


ପୂର୍ବରୁ ଗୌନ୍ତିଆ, ଜାନୀ, ଝାଙ୍କର, ଗଣା ଆଦିଙ୍କ ଉପସ୍ଥିତିରେ ଗ୍ରାମର ଏକ ବୈଠକ ବସି ନୂଆଖାଇର ଦିବସ ଓ ସମୟ ଧାର୍ଯ୍ୟ କରାଯାଏ । ଏହି ବୈଠକରେ ଗ୍ରାମବାସୀମାନଙ୍କ ସହଯୋଗରେ ସାମୂହିକ ଭାବେ ରୁଗୀବଲା ଓ ପନାପାଏନ୍ ଢଲା କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଗୌନ୍ତିଆଙ୍କୁ ଅନୁରୋଧ କରାଯାଇଥାଏ । ସଠିକ୍ ସମୟ ପୂର୍ବରୁ ଏହି ସବୁ କାର୍ଯ୍ୟର ସୂଚନା ଗ୍ରାମବାସୀଙ୍କ ପାଖରେ ପହଞ୍ଚେଇବାର ଗୁରୁ ଦାୟିତ୍ୱ ଗଣାଙ୍କ ଉପରେ ଥାଏ ।

ନୂଆଖାଇର ସପ୍ତାହେ ପୂର୍ବରୁ କିମ୍ବା ସ୍ଥଳ ବିଶେଷରେ ଦୁଇ ତିନି ଦିନ ପୂର୍ବରୁ ଗ୍ରାମରେ ରୁଗୀବଲା ବା ରୁଗୀଯୁଗୀ ଅନୁଷ୍ଠିତ ହୋଇଥାଏ । ଏହାପରେ ପନାପାଏନ୍ (ପଣା) ଢଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ନୂଆଖାଇ ସହ ଏହି ପରମ୍ପରାର ଅଭିନ୍ନ ସମ୍ପର୍କ ଥିବାରୁ ଗ୍ରାମବାସୀମାନେ ଏହାକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରିଥାନ୍ତି ।


ଆଦିମ ମନୁଷ୍ୟ ସମାଜ ରୋଗ ବଇରାଗର ସ୍ରଷ୍ଟା ଭାବେ କେତେକ ଉପ ଦେବାଦେବୀମାନଙ୍କୁ ଗ୍ରହଣ କରୁଥିଲା ଓ ମନୁଷ୍ୟ ତଥା ଗୃହପାଳିତ ପଶୁପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ଅଭିଚାର ତନ୍ତ୍ରଧାରାରେ ଉପାସିତ ଦେବାଦେବୀମାନଙ୍କ ଶରଣ ନେଉଥିଲା । ଗ୍ରାମରୁ ରୋଗ ବଇରାଗ ଦୂର କରି ସମସ୍ତେ ସୁସ୍ଥ ସବଳ ହୋଇ ନବାନ୍ନ ଭକ୍ଷଣ କରିବାର ମାନସିକତା ନେଇ ଆଦିମ ଆଦିବାସୀ ସମାଜ ରୁଗୀବଲା ବିଧାନ ଆରମ୍ଭ କରିଥିଲା ।


ଗ୍ରାମର ଗଣା ପଡ଼ା ପଡ଼ା ବୁଲି ରୁଗୀବଲା ଦିନର ଘୋଷଣା କରିଥାଏ । ରୁଗୀବଲା ଦିନ ଗ୍ରାମର ସମସ୍ତ ପରିବାର ଖପରରେ ଜଳନ୍ତା ଅଙ୍ଗାର ରଖି ତା’ ଉପରେ ଝୁଣା ପକାଇ ଘରୁ ଗ୍ରାମର ମଧ୍ୟସ୍ଥଳକୁ ଆଣିଥାନ୍ତି । ଏଥିସହ କିଛି ଫୁଲାଲିଆ (ଖଇ) ଓ ଭାତିଆ (ଚାଉଳ, ଡାଲି, ପନିପରିବା, ପଇସା) ଆଦି ଆଣିଥାନ୍ତି ।

ଗ୍ରାମର ସମସ୍ତ ପରିବାର ଏସବୁ ଦ୍ରବ୍ୟ ଆଣି ଏକାଠି ଠୁଳ କରିବା ପରେ ଗଣା, ଜାନୀ, ଝାଙ୍କର ଅଭିଚାର ତନ୍ତ୍ର ମତରେ ପୂଜାପାଠ କରିଥାନ୍ତି । ଏହାପରେ ଗଣା ରୁଗୀବଲା ସାମଗ୍ରୀ ଧରି ଖଇ ବିଂଛିବିଂଛି ଗ୍ରାମରୁ ଦୁଷ୍ଟ ଶକ୍ତି ବାହାରି ଯିବାକୁ ନିର୍ଦ୍ଦେଶ କରିଥାନ୍ତି ।


ସେମାନେ ଗ୍ରାମ ଶେଷମୁଣ୍ଡରେ ରୁଗୀବଲା ସାମଗ୍ରୀସବୁ ରଖି ଗ୍ରାମ ଦେବାଦେବୀ ଯଥା- ଡୁକ୍ରୀବୁଡ଼ି, ଗଙ୍ଗାଦି, ଦୂଲା, ବସ୍ତରେନ୍, ମାଏଲି, ବୁଡ଼ାରଜା, ଜେନାବୁଡ଼ା, ଗବ୍ଡ଼ା, ଭୀମା, ଭୈରବ, ଡଙ୍ଗରବୁଡ଼ା, ବାରମୁନୀ, ଦୁଆରସୁନୀ, କୋକଡେନ୍, ପାହାଡ଼େନ୍ ଆଦି ଅନେକ ଦେବାଦେବୀଙ୍କ ପାଖରେ ଗ୍ରାମରୁ ରୋଗ ବଇରାଗ ହଟାଇବା ପାଇଁ ପ୍ରାର୍ଥନା କରନ୍ତି ଓ ରୁଗୀଯୁଗୀ ବଲାର ଅନ୍ତିମ ପର୍ଯ୍ୟାୟରେ ସମସ୍ତ ଦେବାଦେବୀମାନଙ୍କୁ ମଦ୍ୟ ଅର୍ପଣ ଓ କୁକୁଡ଼ା ବଳି ଦେଇଥାନ୍ତି ।


ସେହିପରି ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ପନା ପାଏନ୍ ଢଳା କାର୍ଯ୍ୟକ୍ରମରେ ଧର୍ନୀ ଦେବୀଙ୍କ ଶାନ୍ତି ବିଧାନ କରାଯାଇଥାଏ । ଗଣା ଏହି କାର୍ଯ୍ୟକ୍ରମ ସୂଚନା ପୂର୍ବରୁ ଗ୍ରାମବାସୀଙ୍କୁ ଦେଇଥାନ୍ତି । ଏହାସହ ପନାପାଏନ୍ ଢଳା ସମୟରେ ସେ ପ୍ରଥମେ ଗ୍ରାମ ଚାରିପଟେ ବୁଲି ଆସି ଗ୍ରାମ ମଝିରେ ପହଞ୍ଚିଥାନ୍ତି ।

ବିଶ୍ବାସ ରହିଛି ଗଣାଙ୍କ ପଛେ ପଛେ ଗ୍ରାମର ସମସ୍ତ ଦେବାଦେବୀ ପନାପାଏନ୍ ଢଳା ହେବାକୁ ଥିବା ସ୍ଥାନରେ ପହଞ୍ଚିଥାନ୍ତି । ତେଣୁ ଗ୍ରାମର ଆବାଳ ବୃଦ୍ଧ ବନିତା ସମସ୍ତେ ଗଣା ଓ ତାଙ୍କ ପଛରେ ଥିବା ଅଦୃଶ୍ୟ ଶକ୍ତିଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଥାନ୍ତି ।


ପୂର୍ବରୁ ପ୍ରସ୍ତୁତ ଆସ୍ଥାନରେ ବିଧିବିଧାନ ଅନୁକ୍ରମେ ଜାନୀ, ଝାଙ୍କର ଓ ଗଣାଙ୍କ ଉପସ୍ଥିତିରେ ଦିଶାରୀ ଏହି କାର୍ଯ୍ୟକ୍ରମ ସମ୍ପାଦନ କରିଥାଆନ୍ତି ‌। ଏହି ପରମ୍ପରା ମାଧ୍ୟମରେ ଆଦିମ ସମାଜ ପିତୃପୁରୁଷ ତତ୍ତ୍ୱ ଓ ଧରଣୀତତ୍ତ୍ୱରୁ ବିବର୍ତ୍ତିତ ଦେବାଦେବୀମାନଙ୍କୁ ଶାନ୍ତି କରିବାର ମାନସିିକତା ନେଇ ପରୋକ୍ଷରେ ପିତୃପୁରୁଷ, ଧର୍ନୀଦେବୀ ଓ ଅଦୃଶ୍ୟ ଶକ୍ତିଙ୍କଠାରେ ସମର୍ପଣ ଭାବ ଦେଖାଇଥାନ୍ତି ।


ନୂଆଖାଇର ପୂର୍ବ ଦିବସକୁ ‘ଉପାସ୍ ଦିନ୍’ ବୋଲି କୁହାଯାଇଥାଏ । ଏହି ଦିନ ଧର୍ନୀ ପୀଠରେ ଖେଡ଼ଶୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଗ୍ରାମର ଗୌନ୍ତିଆ ଓ ଜାନୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି । ତେବେ ସେମାନଙ୍କ ଆଗେ ଆଗେ ଗଣା ଚାଲିଥାନ୍ତି ।

ଗୌନ୍ତିଆ ଏହି ଦିନ ନିଜ ଶସ୍ୟକ୍ଷେତ୍ରକୁ ଯାଇ ବର୍ଷର ପ୍ରଥମ ଅମଳଯୋଗ୍ୟ ଛେଟକା ଧାନ କ୍ଷେତରେ କ୍ଷୀର ଢାଳି ଭୂଦେବୀ (ଧର୍ନୀ)ଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ କରିଥାନ୍ତି ଓ କ୍ଷେତରୁ କିଛି ଧାନ କେଣ୍ଡା ଆଣିଥାନ୍ତି ।

ପୂର୍ବରୁ ଧର୍ନୀ ଦେବୀଙ୍କ ଆସ୍ଥାନକୁ ସଫାସୁତୁରା କରାଯାଇଥାଏ । କ୍ଷେତରୁ ଆଣିଥିବା ଧାନକୁ ଗୌନ୍ତିଆ ଓ ଜାନୀ ଧର୍ନୀ ଦେବୀଙ୍କ ପାଖରେ ରଖି ପାରମ୍ପରିକ ବିଧାନରେ ପୂଜାର୍ଚ୍ଚନା କରିଥାନ୍ତି ।

ଏହି ଦିନ ଧର୍ନୀ ଦେବୀଙ୍କ ପାଖରେ ମଦ୍ୟ ଅର୍ପଣ କରାଯାଇଥାଏ ଏବଂ ଏହାକୁ ଗୌନ୍ତିଆ, ଜାନୀ, ଝାଙ୍କର ଓ ଗଣା ପ୍ରସାଦ ଜ୍ଞାନରେ ସେବନ କରିଥାନ୍ତି ।

ଖେଡ଼ଶୁଆ ଦିନ ଗୃହକର୍ତ୍ତାମାନେ ଓପାସ ରହି ସନ୍ଧ୍ୟା ପରେ ନିଜନିଜ ମଶାନ୍ କୁନା (ପିଦର ବା ପିତୃ ପୁରୁଷଙ୍କ ଆସ୍ଥାନ)ରେ ଆସନ୍ତାକାଲି ନୂଆ ଖାଇବା ବୋଲି ଗୃହର ଇଷ୍ଟ ଦେବାଦେବୀ ଓ ପିତୃପୁରୁଷଙ୍କୁ ନିମନ୍ତ୍ରଣ କରିଥାନ୍ତି । ଏହି ଅନୁଷ୍ଠାନ କୂଳାଚାର ବିଧିରେ ଭିନ୍ନ ଭିନ୍ନ ହୋଇଥାଏ । ଗୃହକର୍ତ୍ତା ପୁରୁଷାନୁକ୍ରମେ ଚାଲି ଆସିଥିବା ଧାରା ଅନୁସାରେ ଏହି ବିଧି ପାଳନ କରିଥାନ୍ତି ।


ନୂଆଖାଇର ଉପାସ ଦିନ ଗ୍ରାମର ପ୍ରତ୍ୟେକ ଗୃହକର୍ତ୍ତା ଗଣାଙ୍କୁ ଆଦର ସହକାରେ ଆମନ୍ତ୍ରଣ କରି ସାଧ୍ୟମତେ ଭାତିଆ ପ୍ରଦାନ କରିଥାନ୍ତି । ଏଥିରେ ଗଣାଙ୍କ ପ୍ରତି ସେମାନଙ୍କ ଶ୍ରଦ୍ଧା ଓ ସମ୍ମାନର ଭାବ ବାରି ହୋଇ ପଡିଥାଏ । ଗଣା ଗ୍ରାମ୍ୟ ସଂସ୍କୃତିର ମହାନ ବାର୍ତ୍ତାବହ ଭାବରେ କେଉଁ ଏକ ସ୍ମରଣାତୀତ କାଳରୁ ଆଜିର ବସ୍ତୁବାଦୀ ସମାଜ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ହୋଇ ରହି ଆସିଛନ୍ତି ।

‘ଦିଆରିର୍ ମୁଡ଼େ ଦେବତା, ଜାନୀର ଉଞ୍ଜଲା ଥି ଦେବତା, ଗଣାର ଖନ୍ଦେ ଦେବତା ହେଲେ ଗଁତିଆର ଘେରେ ଦେବତା’ ବୋଲି ଏକ ଲୋକାକ୍ତି ରହି ଆସିଛି । ତେବେ ଗ୍ରାମ୍ୟ ଜୀବନରେ ଗଣା ଜଣେ ସମ୍ମାନାସ୍ପଦ ବ୍ୟକ୍ତିତ୍ବ ଓ ମହାପାର୍ବଣ ନୂଆଖାଇ ଧାରାର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏହା ଅନସ୍ବୀକାର୍ଯ୍ୟ । 

✍🏼ସୁନୀଲ କୁମାର ଧଙ୍ଗଡାମାଝୀ

ସଂପାଦକ, ଓଡ଼ିଆ ବାର୍ତ୍ତା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.