ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ପ୍ରଥମ ଥର ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଗ ଧାଡ଼ିର କଳାକାର ମାନଙ୍କୁ ନେଇ କୁମୁଦିନୀ ପଣ୍ଡାଙ୍କ ପ୍ରଯୋଜନାରେ ସୋର୍ଟ ମୁଭି କ୍ରିଏସନ୍ ବ୍ୟାନେରରେ ବୁଲୁ କୁମାରଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ ହେବାକୁ ଯାଉଛି ଚଳଚ୍ଚିତ୍ର ‘ମିଛ ସପନ’ । ଏବେ ଜୋର୍ ସୋରରେ ଏହାର ସୁଟିଂ ଚାଲିଛି । ଏହି ଚଳଚିତ୍ରର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ଖଳନାୟକ ଭୂମିକାରେ ଅଭିନୟ କରୁଥିବା ରାୟଗଡ଼ା ଜିଲ୍ଲାର ଜଣାଶୁଣା କଳାକାର ସୁପ୍ରିତ୍ ଓରଫ୍ ସନ୍ତୋଷ କୁମାର ବଛା । ମହାମାରୀ କୋରୋନା ସମୟ ଠାରୁ ତାଙ୍କୁ ଦେଖିବାକୁ ମିଳି ନଥିଲା କୋରାପୁଟିଆ ଇଣ୍ଡଷ୍ଟ୍ରିରେ । ୨୦୦୭ ମସିହାରେ ପ୍ରଥମ ଥର ରାୟଗଡ଼ା ଜିଲ୍ଲାର କୁଇ ଭାଷାରେ ଆଲବମ ପ୍ରାରମ୍ଭ କରିଥିଲେ ସୁପ୍ରିତ୍ ।
ଆଦିବାସୀ କୁଇ ଭାଷାର ପ୍ରଚାର ପ୍ରସାର ପାଇଁ ଜାରି ରଖିଥିବା ଉଦ୍ୟମ ପାଇଁ ସେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଏହାସହ କୋରାପୁଟିଆ ଭାଷାରେ ଅନେକ ଗୀତ ଓ କ୍ଷୁଦ୍ର ଚଳଚ୍ଚିତ୍ରରେ ସେ କଣ୍ଠଦାନ ଓ ଅଭିନୟ କରିଛନ୍ତି । ଏହାସହ ଅନେକ କ୍ଷୁଦ୍ର ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇ ବେଶ୍ ପ୍ରଶଂସିତ ମଧ୍ୟ ହୋଇଛନ୍ତି ସୁପ୍ରିତ୍ । ଆଞ୍ଚଳିକ ଅନେକ କଳାକାରଙ୍କୁ କଳା କ୍ଷେତ୍ରରେ ସୁଯୋଗ ଦେଇ ଲୁକାୟତ କଳା ପ୍ରତିଭାକୁ ନୂଆ ପରିଚୟ ଦେଇ ପାରିଛନ୍ତି ସେ । କୋରାପୁଟର ପରବ ମହୋତ୍ସବ, ମାଲକାନଗିରିର ମାଲ୍ୟବନ୍ତ ମହୋତ୍ସବ ଓ ରାୟଗଡ଼ାର ଚଇତି ମହୋତ୍ସବ ବେଳେ ଆଞ୍ଚଳିକ ଭାଷା, କଳା ସଂସ୍କୃତିକୁ ନାଚ ଗୀତ ମାଧ୍ୟମରେ ମଞ୍ଚକୁ ମାଟିର ମହକରେ ପରିଚିତ କରିବା ସହ ମା ମଝିଘରିଆଣୀ ଏଣ୍ଟରଟେନମେଣ୍ଟ ୟୁଟ୍ୟୁବ୍ ଚେନାଲ୍ ମାଧ୍ୟମରେ ମିଲିୟନ ମିଲିୟନ ଦର୍ଶକଙ୍କ ଠାରୁ ଉଚ୍ଚ ପ୍ରଶଂସା ଓ ଭଲ ପାଇବା ପାଇଛନ୍ତି । ଏବେ ଅନେକ ଦିନର ବ୍ୟବଧାନ ପରେ ସେ କଳା ଜଗତକୁ ଫେରୁଥିବାରୁ ଖୁବ୍ ଖୁସିବ୍ୟକ୍ତ କରିବା ସହ ଚଳଚ୍ଚିତ୍ରର ସଫଳ ପାଇଁ ଆଶାବାଦୀ ରହିଛନ୍ତି । ମିଛ ସପନ ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ନାୟିକା ଭାବେ ମାନସ ରଞ୍ଜନ ପଣ୍ଡା ଓ ସୋନାଲିକା ମହାପାତ୍ର ରହିଥିବା ବେଳେ ସହ ନାୟକ ଓ ନାୟିକା ଭାବେ ବୋବଲୁ ହିରୋ ଓ ସୋନି ରହିଛନ୍ତି ।
ସଙ୍ଗୀତ ନିର୍ଦ୍ଦେଶନାରେ ଅଛନ୍ତି ଆନନ୍ଦ କୁମାର ଓ ସୋମେସ୍ ଶତପଥୀ । ଚଳଚ୍ଚିତ୍ରର କାହାଣୀ ସନ୍ତୋଷ ଦାସ ଲେଖିଥିଲା ବେଳେ ବୁଲୁ କୁମାର ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେବା ସହ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି । କ୍ୟାମେରାରେ ଅଛନ୍ତି ଗୁଡୁ ଓ ଆଶୁତୋଷ ଏବଂ ପାର୍ଶ୍ଵ ଅଭିନେତାଙ୍କ ମଧ୍ୟରେ ପ୍ରଭାକର ମିଶ୍ର, ସୁଧୀର ଦାସ, ବିଶ୍ଵଜିତ୍ ମହାପାତ୍ର, ପ୍ରିତମ କୁମାର ପାଣି ଓ ଶିଶୁ କଳାକାର ଭାବେ ପ୍ରିନ୍ସେସ୍ ବୈଷ୍ଣବୀ ରହିଛନ୍ତି । ତେବେ ଜୟପୁର ଓ ନବରଙ୍ଗପୁର ପ୍ରେକ୍ଷାଳୟରେ ଏହି ଚଳଚ୍ଚିତ୍ରର ଶୁଭ ପ୍ରିମିୟର ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।