✍🏼ଶ୍ରୀ ଜଗଦାନନ୍ଦଜୀ
ଆଦ୍ୟାଶକ୍ତି ପରମବୈଷ୍ଣବୀ, ଯୋଗମାୟା, ସୃଷ୍ଟି ସ୍ଥିତି ବିନାଶକାରିଣୀ, ବ୍ରହ୍ମା ବିଷ୍ଣୁ ମହେଶ୍ୱର ଯାତ କାରିଣୀ, ଦୟାମୟୀ, କରୁଣାମୟୀ, ପ୍ରେମମୟୀ, ବାତ୍ସଲ୍ୟମୟୀ ମା’କାଳୀ ଯୁଗେ ଯୁଗେ ନିଜର ଭକ୍ତ ପତିତ ମାନଙ୍କୁ ଉଦ୍ଧାର କରିବା ପାଇଁ ଆବିର୍ଭୂତା ହୋଇଥାନ୍ତି । ତାଙ୍କରି ଲୀଳା ଓ ମାୟା ଶକ୍ତିକୁ ବୁଝିବା ସହଜସାଧ୍ୟ ନୁହେଁ । ଶ୍ରଦ୍ଧା ଭକ୍ତି, ଗତି ମୁକ୍ତି ପ୍ରଦାୟିନୀ, ଭକ୍ତବତ୍ସଳା ସେହି ମା’ ଙ୍କର ଅନେକ ରୂପ ତତ୍ତ୍ଵ କଥା ଗାଥା କାହାଣୀ ରହିଯାଇଛି ।
ସେହି କାହାଣୀମାନଙ୍କ ମଧ୍ୟରୁ ଚଣ୍ଡୀପୁରାଣରେ ମହିଷାସୁର ବଧ କଥାଟି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ସତ୍ୟଯୁଗରେ ମହିଷାସୁର ନାମକ ଏକ ଦୈତ୍ୟ ବ୍ରହ୍ମାଙ୍କ ଠାରୁ ବରପ୍ରାପ୍ତ କରି ନିଜ ଶକ୍ତିର ଦୁରୁପଯୋଗ କରି ଅନେକ ସାଧୁସନ୍ଥ, ଦେବତା, ତପସ୍ୱୀ, ସଦ୍ ପୁରୁଷମାନଙ୍କୁ କଷ୍ଟ ଦେଇ ଆସୁଥିଲା । ମହିଷାସୁରର ଦୁଷ୍ଟତା କ୍ରୁରତା ଏତେ ବଢ଼ିଯାଇଥିଲା ଯେ ଦେବତାମାନେ ମଧ୍ୟ ନିଜର ପଦପଦବୀର ଅସ୍ତିତ୍ବକୁ ବଞ୍ଚାଇ ପାରୁନଥିଲେ । ସ୍ଵର୍ଗ ଲୋକକୁ ପରିତ୍ୟାଗ କରି ଗିରିଗୁମ୍ଫାରେ ନିଜକୁ ଲୁଚାଇ ରଖୁଥିଲେ ।
ମହିଷାସୁରର କବଳରୁ ମୁକ୍ତି ପାଇବା ପାଇଁ ସମସ୍ତ ଦେବତାମାନେ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ନିକଟରେ ପ୍ରାର୍ଥନା କରୁଥିଲେ ମହିଷାସୁର କବଳରୁ ନିଜକୁ ରକ୍ଷାକରିବା ପାଇଁ ତ୍ରିଦେବ ମଧ୍ୟ ନିଜର ଅସମର୍ଥତା ପ୍ରକାଶ କଲେ ଏବଂ ସେତେବେଳେ ସମସ୍ତ ଦେବତା ମାନଙ୍କ ମନରେ ବିଷାଦ ଛାୟା ଖେଳିଯାଇଥିଲା । ତେବେ ଆମକୁ ରକ୍ଷା କରିବ କିଏ ?
ଭଗବାନ ବିଷ୍ଣୁ ସମସ୍ତ ଦେବତାମାନଙ୍କୁ ମା’ ଆଦ୍ୟାଶକ୍ତିଙ୍କ ଶରଣାପନ୍ନ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ଦେବତାଙ୍କର ଆକୁଳ ପ୍ରାର୍ଥନାରେ ମା’ ଆଦ୍ୟାଶକ୍ତି ଭଗବତୀ ପ୍ରକଟ ହୋଇଥିଲେ । ଏପରି ଦୁଃଖଦ ସମୟରେ ପ୍ରକଟ ହୋଇଥିବାରୁ ମା’ ଙ୍କର ନାମ ଦୁର୍ଗାଭାବେ ପରିଚିତ ହୋଇଥିଲା, ଏବଂ ମା’ ଦୁର୍ଗାଙ୍କର ଦଶଭୂଜାରେ ଦେବତାମାନେ ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ରଦାନ କରିଥିଲେ । ଦେବତାମାନଙ୍କୁ ଆଶ୍ୱସ୍ତି ଦେଇଥିଲେ ମୁଁ ନିଶ୍ଚିତ ଭାବରେ ମହିଷାସୁରର ପ୍ରାଦୁର୍ଭାବରୁ ତୁମକୁ ରକ୍ଷା କରିବି ।
ତତ୍ ପରେ ମା’ ଦୁର୍ଗା ଚଣ୍ଡମୁଣ୍ଡକୁ ବଧ କରି ସମଗ୍ର ଅସୁର ସମାଜ ମଧ୍ୟରେ ଭୟସଞ୍ଚାର କରାଇଥିଲେ ।ମହିଷାସୁର ବ୍ରହ୍ମାଙ୍କୁ ମାଗିଥିବା ସ୍ତ୍ରୀ ହାତରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ସତ୍ୟ ହୋଇଗଲା । ସେ ଆଦ୍ୟାଶକ୍ତି, ବିଭିନ୍ନ ସମୟରେ ବିଭିନ୍ନ ରୂପ ନେଇଥାନ୍ତି ।
ସମୁଦ୍ର ମନ୍ଥନ ସମୟରେ ସେହି ମା’ ଲକ୍ଷ୍ମୀ ରୂପରେ ପ୍ରକଟିତ ହୋଇଥିଲେ ଏବଂ ବିଷ୍ଣୁଙ୍କର ଅର୍ଦ୍ଧାଙ୍ଗିନୀ ରୂପରେ ଶୋଭାପାଉଛନ୍ତି । ମା’ ଲକ୍ଷ୍ମୀ ସମସ୍ତଙ୍କ ପ୍ରତି ସମଦୃଷ୍ଟି ଦେଇ ଭକ୍ତିରେ ଯେ ପ୍ରାର୍ଥନା କରେ ସେ ଆଶିର୍ବାଦ କରିଥାନ୍ତି । ବିଦ୍ୟାର ଅଧିଷ୍ଠାତ୍ରୀ ମା’ ବାକ୍ ଦେବୀ ସରସ୍ଵତୀ ସେହି ମା’ଙ୍କର ଦ୍ବିତୀୟ ରୂପରେ ବ୍ରହ୍ମାଙ୍କର ଆହ୍ଲାଦିନୀ ଶକ୍ତି, ହୋଇପାରିଥିଲେ । ମା’ ସରସ୍ବତୀଙ୍କର କୃପାରେ ମୁର୍ଖ ଟିଏ ବି ପାଣ୍ଡିତ୍ୟ ଲାଭ କରିପାରେ, ଯିଏ କି ସୃଜନ ଶକ୍ତିର ସାମ୍ରାଜ୍ଞୀ ଭାବେ ପରିଚିତା ।
ମା’ ଙ୍କର ପ୍ରଥମ ରୂପ ମହାକାଳୀ ଅଟନ୍ତି, ଯେ କି ଶକ୍ତିର ପ୍ରତୀକ । ଏହି ତ୍ରିଶକ୍ତି ,ମା ‘କାଳୀ ,ମା କାଳୀ, ମହାଲକ୍ଷ୍ମୀ ଓ ମହାସରସ୍ବତୀ ହିଁ ସଂସାରର ସମସ୍ତ ଶକ୍ତିର ଉତ୍ସ । ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କର ସୃଷ୍ଟି, ସ୍ଥିତି, ବିନାଶ କରିବାରେ ଶକ୍ତି ରୂପେ ମା’ ଆଦ୍ୟାଶକ୍ତି, ହିଁ ସାହାଯ୍ୟ କରିଥାନ୍ତି ।
କଳିଯୁଗରେ ଜାଗ୍ରତ ଦେବତା କାଳୀକୃଷ୍ଣ । କଳୌ ଜାଗ୍ରତ କାଳୀ କଳୌ ଜାଗ୍ରତ କୃଷ୍ଣ ଏବଂ ଶାସ୍ତ୍ରରେ ଏକଥା ମଧ୍ୟ ପ୍ରମାଣିତ ଭଗବାନ ଶ୍ରୀକୃଷ୍ଣ କାଳୀରୂପ ଧାରଣ କରିଥିଲେ ଏବଂ ଏହି କାଳୀ କଳିଯୁଗରେ ଶ୍ରୀକ୍ଷେତ୍ରରେ ବିରାଜିତ କରିଥିବା ଶ୍ରୀ ଜଗନ୍ନାଥ ସ୍ବରୂପ ।
ଏଣୁ କୁହାଯାଇଛି ଯେ “ନୀଳାଦ୍ରୌ ତୁ ଜଗନ୍ନାଥ ସାକ୍ଷାତ୍ ଦକ୍ଷିଣକାଳୀକା” । କୃଷ୍ଣଙ୍କର ରୂପ ଶ୍ୟାମଳ ବର୍ଣ୍ଣ ବା କଳା । ସେହି ମହାନ୍ କଳାରୁ ବା ଅନ୍ଧାରରୁ ହିଁ ସମଗ୍ର ବିଶ୍ୱର ସୃଷ୍ଟି । ତେଣୁ କରି କାଳୀକୃଷ୍ଣ ସଂଘର ସଂସ୍ଥାପକ ସଦ୍ ଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ ମହାରାଜ କହନ୍ତି –
‘ଯିଏ କାଳୀ ସିଏ କୃଷ୍ଣ ନାହିଁ ଭିନ୍ନା ଭିନ୍ନ
କାଳୀକୃଷ୍ଣ ଏକ ରୂପ ଜଣାଇଲେ ଆପଣ, ନୀଳାଚଳେ ଜଗନ୍ନାଥ ରୂପେ କାଳୀକୃଷ୍ଣ, ଦର୍ଶନ ମାତ୍ରକେ ଯାର ମୁକ୍ତି ହୁଏ ଜନ “।
ମନୁଷ୍ୟ ଯଦି ଆଜି କଥା କହିପାରୁଛି ତେବେ ବାକ୍ ଶକ୍ତିର ସାହାଯ୍ୟରେ, ସେହିପରି ଦେଖିବା, ଶୁଣିବା, ଚାଲିବା, ଧନ ଅର୍ଜନ କରିବା, ବୁଦ୍ଧି, ବିବେକ, ଜ୍ଞାନ ସବୁ କିଛି ଶକ୍ତି ଦ୍ଵାରା ପରିଚାଳିତ ହୋଇଥାଏ । ଶକ୍ତି ରହସ୍ୟ ଶକ୍ତି ତତ୍ତ୍ଵ ଅତ୍ୟନ୍ତ ଗୁଢ ଗହନପୂର୍ଣ୍ଣ ଅଟେ । ମାତ୍ର ଶକ୍ତି ବିନା କିଛି ବି ପାଇବା ସମ୍ଭବପର ନୁହେଁ, ଯଦି ଶ୍ରୀ କୃଷ୍ଣଙ୍କୁ ପ୍ରାପ୍ତ କରିବାର ଅଛି ତେବେ ରାଧା ଶକ୍ତିଙ୍କର କୃପା ବିନା ସମ୍ଭବପର ହୋଇପାରିବ ନାହିଁ ।
ଶରୀରରୁ ଶକ୍ତି ଚାଲିଗଲେ ଶରୀର ଜଡ଼ ହୋଇଯାଏ, “ଦେବୀ ବିନା ଦେବ ଶବଟି ମାତର ।
ସେହି ମହାଶକ୍ତିର ମହାପର୍ବ କାଳୀପୂଜା ଅବସରରେ ମା’ଙ୍କର କୃପା ଲାଭ କରିବା ସହ ବିଶ୍ଵର ମଙ୍ଗଳ ସାଧନ ହେଉ । ସେହି ମା’ ମହାକାଳୀ ଭକ୍ତମାନଙ୍କର ପାଇଁ ମାତୃରୂପରେ ପୂଜିତ । ସେହି ମା’ ଦୁଷ୍ଟମାନଙ୍କର ପାଇଁ ମହାଭୟଙ୍କରୀ, ସାଧୁସନ୍ଥ, ମାତୃ ଉପାସକ ମାନଙ୍କ ପାଇଁ ସେ ଅତ୍ୟନ୍ତ କରୁଣାମୟୀ । ଏଣୁ ମା’ ଙ୍କୁ ପ୍ରେମ, ଶ୍ରଦ୍ଧା, ଭକ୍ତି ଓ ବିଶ୍ବାସ ସହକାରେ ପୂଜନ କରିବା ବିଧେୟ ।
ଗାଈ ଟିଏ ଯେତେବେଳେ ବାଛୁରୀକୁ କୁ ଜନ୍ମ ଦିଏ ତତ୍ କ୍ଷଣାତ୍ ବାଛୁରୀର ଦେହରେ ଲାଗିଥିବା ସମସ୍ତ ମଇଳାକୁ ଚାଟି ଚାଟି ସଫା କରିଦିଏ ଠିକ୍ ସେହିପରି ମା’ କାଳୀଙ୍କର ଜିଭ ଯେଉଁ ଲମ୍ବିତ ଅଛି,ବାଳୁତ ସଦୃଶ ମା’ ଙ୍କୁ ଯଦି ଶ୍ରଦ୍ଧା, ଭକ୍ତି, ପ୍ରେମ କରେ ତେବେ ସେ ଭକ୍ତର ସମସ୍ତ ପାପତାପକୁ ନଷ୍ଟ କରି ନିଜର କରିନିଅନ୍ତି । ମା’ କାଳୀ ନିବସ୍ତ୍ରା କାରଣ ସେ ବିଶ୍ଵର ପ୍ରସବ କାରିଣୀ । ଏହି ଭାବ ଧାରାରେ କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ବ୍ରହ୍ମଲୀନ ସଦ୍ ଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ ମହାରାଜ କହନ୍ତି, ଯିଏ କାଳୀ ସିଏ କୃଷ୍ଣ , ଯିଏ ଶ୍ୟାମ ସେହିଁ ଶ୍ୟାମା ।
ମା’ ଙ୍କର କୃପା ପ୍ରାପ୍ତ କରିବା ପାଇଁ ଆବଶ୍ୟକ ହୋଇଥାଏ ଶ୍ରଦ୍ଧା, ଭକ୍ତି, ପ୍ରେମ ଓ ବିଶ୍ବାସ । ଯେପରି ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରେମ ଓ ତୁଳସୀ ପତ୍ର ଦ୍ବାରା ପୂଜନ କରାଯାଇଥାଏ ଠିକ୍ ସେହିପରି ମା’ ମନ୍ଦାର ପୁଷ୍ପ ଗ୍ରହଣ କରି ଭକ୍ତର ମନୋବାଞ୍ଛା ପୂର୍ଣ୍ଣ କରିଥାନ୍ତି । ମାତୃଶକ୍ତି ବିନା ସଂସାରରେ କିଛି ବି ସମ୍ଭବପର ହୋଇ ନ ଥାଏ ।
ସେହି ମହାଶକ୍ତିଙ୍କର ସତ୍ତାକୁ ସମସ୍ତେ କିଛି ନା କିଛି ଅନୁଭବ କରିଥିଲେ ମଧ୍ୟ ନିଜର ଅଜ୍ଞତା ଯୋଗୁଁ ସ୍ବୀକାର କରିବା ହୁଏତ କଷ୍ଟ ହୋଇପାରେ, ସେହି ଶକ୍ତି ହିଁ ବିଷ୍ଣୁଙ୍କର ବୈଷ୍ଣବୀ ଶକ୍ତି, ବ୍ରହ୍ମାଙ୍କର ବ୍ରହ୍ମାଣୀ ଶକ୍ତି, ଋଦ୍ରଙ୍କର ଋଦ୍ରାଣୀ ଶକ୍ତି । ଭାରତର ଗ୍ରାମେ ଗ୍ରାମେ ବିଭିନ୍ନ ଶକ୍ତି ରୂପରେ ସେ ପୂଜିତା ।
ପ୍ରତ୍ୟେକ ଘରେ ସେ ଇଷ୍ଟଦେବୀ ଭାବରେ ବିଦ୍ୟମାନ ମା’ ର ମନ ଅତି କୋମଳ ଭକ୍ତ ଆକୁଳ ହୋଇ ବ୍ୟାକୁଳ ଭାବରେ ଡାକିଲେ ଛଟପଟ ହୋଇ ମା’ ତୁରନ୍ତ ପୁତ୍ରର ଦୁଃଖ ହରଣ କରିବା ପାଇଁ ପ୍ରକଟିତ ହୁଅନ୍ତି । ସେହି ମା’ ଙ୍କର ପର୍ବ କାଳୀପୂଜା ସମସ୍ତ ସାଧକ ,ଭକ୍ତ ମାନଙ୍କ ପାଇଁ ଏକ ଅପୂର୍ବ ଦିବସ ।
ମା’ ଙ୍କର ଆରାଧନା କରି ପ୍ରାର୍ଥନା କରିବା “ନାରୀ ଜାତିର ସମ୍ମାନ ରହୁ, ଗୋହତ୍ୟା ବନ୍ଦ ହେଉ, ଅତ୍ୟନ୍ତ ଆବଶ୍ୟକ ବ୍ୟକ୍ତି ପାଖରେ ଆବଶ୍ୟକ ଉପକରଣ ପହଁଞ୍ଚୁ, ବୃଦ୍ଧ ପିତାମାତାଙ୍କର ସମ୍ମାନ ସେବାରେ ଅବହେଳା ନ ରହୁ, ଯୁବ ସମାଜ ଆଧ୍ୟାତ୍ମିକ ଆଡ଼କୁ ମନୋନିବେଶ କରନ୍ତୁ, ଗୀତା ଭାଗବତ ବାଣୀ ବଜାୟ ରହୁ । ଆସନ୍ତୁ, ସମସ୍ତ ଶକ୍ତି ସାଧକ ମା’ ଙ୍କର ଏହି ପାର୍ବଣରେ ଏକତ୍ରିତ ହୋଇ ଗୁହାରୀ କରିବା ।