ଆଲୋକର ପର୍ବ ଦୀପାବଳୀ

✍🏼 ବିଶ୍ବବିଜୟୀ ଦାଶ

ଓଁ ଅସତୋ ମା ସଦ୍‌ଗମୟ ।
ତମସୋ ମା ଜ୍ୟୋତିର୍ଗମୟ ।
ମୃତ୍ୟୋର୍ମା ଅମୃତଂ ଗମୟ ।।
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।।

ବୃହଦାରଣ୍ୟକ ଉପନିଷଦର ଏହି ଶ୍ଳୋକଟିକୁ ଆମେ ସଭିଁଏ ପିଲାଟିଦିନରୁ ଶୁଣିଆସିଛେ । ଏହାର ଅର୍ଥ ହେଉଛି – ହେ! ସର୍ବଶକ୍ତିମାନ, ଆମକୁ ଅସତ୍ୟରୁ ସତ୍ୟ ଆଡ଼କୁ ନେଇଚାଲ । ଅନ୍ଧକାରରୁ ଆଲୋକ ଆଡ଼କୁ ନେଇଚାଲ । ମୃତ୍ୟୁରୁ ଅମରତ୍ବ ଆଡ଼କୁ ନେଇଚାଲ ।


ଆଲୋକର ପର୍ବ ହେଉଛି ଦୀପାବଳି। ଅନ୍ଧକାର ଉପରେ ଆଲୋକ ଏବଂ ଅଜ୍ଞାନ ଉପରେ ଜ୍ଞାନର ବିଜୟର ପ୍ରତୀକ। ଏଣୁ ଏହି ଅବସରରେ ଉପରୋକ୍ତ ଚିର ସବୁଜ ଶ୍ଳୋକର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି । ଚାରିଆଡ଼େ ଦୀପ, ବାଣ ଓ ମିଠାର ଆସର । ଦୀପାବଳି ପାଇଁ ସମଗ୍ର ଭାରତବର୍ଷ ହୁଏ ଉତ୍ସବମୁଖର । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ, ଯାହାକୁ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ ।

ଘରେ ଘରେ ଆନନ୍ଦ ଉଲ୍ଲାସର ସୁଅ ଛୁଟିବା ସହ ବିଭିନ୍ନ ରଙ୍ଗ ବେରଙ୍ଗର ରଙ୍ଗୋଲି ଦ୍ୱାରା ଘରକୁ ସଜାବାରେ ଲାଗିପଡ଼ିଛନ୍ତି ଲୋକେ । ଦୀପାବଳିରେ ସମଗ୍ର ଭାରତରେ ଦିବ୍ୟ ଜନନୀଙ୍କର ନାନା ରୂପରେ ପୂଜା କରାଯାଏ । ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳିରେ ମା’ କାଳୀଙ୍କ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟରାତ୍ରିରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ ।

ବିଭିନ୍ନ ଶକ୍ତି ପୀଠ ସମେତ ମୂର୍ଣ୍ଣୟୀ ମୂର୍ତ୍ତିଙ୍କ ଆରାଧନା କରାଯାଏ । ସେହିପରି ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଦୀପାବଳି ଅବସରରେ ଗଣେଶ ଓ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ବିଶେଷକରି, ଉତ୍ତର ଭାରତରେ ଏହା ବହୁଳ ଭାବେ ପାଳିତ ହୁଏ । ସେହିପରି ମିଥିଳା ଓ ନେପାଳରେ ଏହି ପର୍ବରେ ମହାନିଶା ଦେବୀଙ୍କ ପୂଜା କରାଯାଏ ।


ଓଡ଼ିଶାରେ ଏହି ଦିନ ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦେଇସାରି କାଉଁରିଆ କାଠି ଜାଳାଯାଏ । ମହାଳୟା ତିଥିରେ ପିତୃପୁରୁଷଙ୍କୁ ଆବାହନ କରି ପିଣ୍ଡଦାନ କରାଯାଉଥିବା ବେଳେ ଦୀପାବଳି ତିଥିରେ ଆଲୋକ ଦେଖାଇ ସେମାନଙ୍କୁ ବିଦାୟ ଦିଆଯାଇଥାଏ ।

‘ପିତୃ ଲୋକଂ ପରିତାଜ୍ୟ, ଆଗତା ଯେ ମହାଳୟେ, ଉଜ୍ଜ୍ୱଳେ ଜ୍ୟୋତିଷାଂ ମାର୍ଗେ, ପ୍ରପଦ୍ୟନ୍ତୋ ବ୍ରଜନ୍ତୁତେ’, ଅର୍ଥାତ ପିତୃପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରାଯାଏ ।


ଅସଂଖ୍ୟ ଭକ୍ତ ସେଦିନ ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ବି ଜାଳନ୍ତି । ପିତୃଗଣଙ୍କ ଆଶୀର୍ବାଦ କାମନା କରନ୍ତି । କାଉଁରିଆ କାଠି ଜାଳିବାବେଳେ ଉଚ୍ଚାରଣ କରନ୍ତି – ବଡ଼ବଡ଼ୁଆ ହୋ ଅନ୍ଧାରରେ ଆସି ଆଲୁଅରେ ଯାଅ, ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରସାଦ ଖାଇ, ବାଇଶି ପାହାଚ଼ରେ ଗଡ଼ଗଡାଉ ଥାଅ ।


ପୁରାଣ ଅନୁଯାୟୀ, ୧୪ ବର୍ଷ ପରେ ରାମ, ରାବଣଙ୍କୁ ବଧ କରି ଦୀପାବଳିରେ ଅଯୋଧ୍ୟା ଫେରିଥିଲେ । ଅଯୋଧ୍ୟାବାସୀ ଘୃତ-ଦୀପ ଜାଳି ଏହି ଦିନ ରାମଙ୍କୁ ସ୍ୱାଗତ କରିଥିଲେ। ସେହିପରି ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ନାରକାସୁରକୁ ବଧ କଲା ପରେ ତା’ ପରଦିନ ବ୍ରଜବାସୀ ଦୀପ ଜାଳି ଉତ୍ସବ ପାଳନ କରିଥିଲେ । ସେହି ଦିନ ମଧ୍ୟ ଥିଲା ଦୀପାବଳି ।


ମାଟିର ଦୀପ ହେଲା ପଞ୍ଚତତ୍ତ୍ୱରେ ଗଢ଼ା ଆମ ଶରୀରର ପ୍ରତୀକ ଏବଂ ତା’ ମଧ୍ୟରେ ଜଳୁଥିବା ଦୀପଶିଖା ଅଜର, ଅମର, ଅବିନାଶୀ ଆତ୍ମାର ପ୍ରତୀକ । ତେଣୁ ଅଜ୍ଞାନ ଅନ୍ଧକାରକୁ ଦୂର କରିବାକୁ ହେଲେ ଆତ୍ମଜ୍ୟୋତିକୁ ଜାଗ୍ରତ କରିବା ନିତାନ୍ତ ଆବଶ୍ୟକ । ଏହି ଅଜ୍ଞାନରୂପୀ ଅନ୍ଧାର ହେଲା ମନୁଷ୍ୟ ଭିତରେ ଛପି ରହିଥିବା କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଈର୍ଷା, ଆଳସ୍ୟ ଇତ୍ୟାଦି ବିକାରଗୁଡ଼ିକ ।

ଏ ଗୁଡ଼ିକ ଦୂର କରିବାକୁ ହେଲେ ପରମଜ୍ୟୋତିରେ ଆତ୍ମଜ୍ୟୋତିକୁ ଉଦ୍ଭାସିତ କରିବାକୁ ହୁଏ । ଜ୍ଞାନର ଆଲୋକ ହିଁ ଏ ସୃଷ୍ଟିର ଶ୍ରେଷ୍ଠ ଆଲୋକ । ଜ୍ଞାନ ମାଧ୍ୟମରେ ଜଣେ “ନିଜ’ର ପରିଚୟ ପାଇ ପରମାତ୍ମାଙ୍କର ପରିଚୟ ପାଇବାକୁ ସମର୍ଥ ହୋଇପାରିଥାଏ ।


ଦୀପାବଳୀର ମୁଖ୍ୟ ଆର୍କଷଣ ହେଉଛି ବାଣ ଫୁଟା । ସନ୍ଧ୍ୟା ହେଉ ହେଉ ଚ଼ାରିଆଡ଼େ ବାଣ ଫୁଟାର ଆସର ଜମିଯାଇଥାଏ । ବାଣରୁ ନିର୍ଗତ ଧୂଆଁ ବାୟୁ ମଣ୍ଡଳକୁ ପ୍ରଦୂଷଣ କରିଥାଏ, ଯାହା ଫଳରେ ସବୁଜ ପରିବେଶ ନଷ୍ଟ ହୁଏ । ଅଧିକ ଶବ୍ଦ କରୁଥିବା ବାଣ ଫୁଟେଇବା ଦ୍ବାରା ଶ୍ରବଣ ଶକ୍ତିକୁ ଗଭୀର ଆଘାତ ଦେଇଥାଏ ।


ବାଣରୁ ନିର୍ଗତ ଧୂଆଁରେ ସଲଫର ଡ଼ାଇଅକ୍ସାଇଡ଼, କାର୍ବନ ଡ଼ାଇଅକ୍ସାଇଡ଼ ଓ କାର୍ବନ ମନୋକ୍ସାଇଡ଼ ଭଳି ମାରାତ୍ମକ ଗ୍ୟାସ ଶ୍ବାସ ଭଳି ମାରାତ୍ମକ ରୋଗ ସୃଷ୍ଟି କରେ । ଛୋଟ ପିଲାଙ୍କୁ ଆଦୌ ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ, ଯଦି ଦେବେ ତାଙ୍କ ପାଖେ ପାଖେ ରୁହନ୍ତ ।


ବାଣ ଫୁଟାଇବାର ମାହୋଲ ମନକୁ କ୍ଷଣିକ ଆନନ୍ଦ ଦିଏ, ହେଲେ ତାହାର କୁପ୍ରଭାବ ପରିବେଶ ଓ ସମାଜ ଉପରେ ପଡ଼ିଥାଏ । ତେଣୁ ସମସ୍ତ ଜନସାଧାରଣଙ୍କୁ ମୋର ବିନମ୍ର ନିବେଦନ, ମାଟି ଦୀପ ଜାଳି ଓ ଗୃହ କୁ ଆଲୋକ ରେ ସଜାଇ ଦୀପାବଳୀ ହସ ଖୁସିରେ ମନାନ୍ତୁ । ଯେତେ କମ୍ ଧୂଆଁ, କମ୍ ଶବ୍ଦ ହେଉଥିବା ବାଣ ବ୍ୟବହାର କରନ୍ତୁ ।


ଆଲୋକର ପର୍ବ ଦୀପାବଳୀ ଉପଲକ୍ଷେ ସମସ୍ତ ଯୁବ, ଛାତ୍ର ବନ୍ଧୁ ଓ ଗୁରୁଜନ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ପର୍ବ ସମସ୍ତଙ୍କ ଜୀବନ କୁ ଆଲୋକିତ କରୁ,ଏହାହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।

ଯୁବ ସ୍ତମ୍ଭକାର
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ପିନ୍- ୭୫୨୦୩୫
ଫୋନ: ୬୩୭୦୨୦୮୪୨୮
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.