ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଆପତ୍ତି ଅଭିଯୋଗର ଶୁଣାଣୀ ଓ ଆଶୁ ସମାଧାନ ଶିବିରରେ ଏକ ଅଘଟଣ ଘଟିଛି । ଏହି ଅଭିଯୋଗ ଶୁଣାଣୀ ଶିବିରକୁ ଆସିଥିବା ଜଣେ ବୃଦ୍ଧାଙ୍କ ଗୋଡ଼ ଭାଙ୍ଗିଛି । ତେବେ ଏହା ଏକ ଦୁଃଖଦ ଘଟଣା ହୋଇଥିଲେ ମଧ୍ୟ ବ୍ଲକ ପ୍ରଶାସନକ ଅଧିକାରୀ ଯେଉଁ ଭଳି ଆନ୍ତରିକତା ଦେଖାଇବା କଥା ତାହା ହୋଇନଥିବା ଅଭିଯୋଗ ହୋଇଛି । ପ୍ରଶାସନର ଏଭଳି ମନୋଭାବକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯେ, ସୋମବାର ଦିନ ପରଲସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ସଭା ସ୍ଥଳରେ ବ୍ଲକ ସ୍ତରୀୟ ଆପତ୍ତି ଅଭିଯୋଗର ଶୁଣାଣୀ ଓ ଆଶୁ ସମାଧାନ ଶିବିର ଆୟୋଜିତ ହୋଇଥିଲା । ସଭା ମଣ୍ଡପର ମଞ୍ଚ ଉପରେ ବିଡ଼ିଓଙ୍କ ପ୍ରଫୁଲ୍ଲ କୁମାର ଅଦୁ, ତହସିଲଦାର ରାକେଶ କୁମାର ପରୁଆ, ପରଲସିଙ୍ଗା ପଞ୍ଚାୟତ ସରପଞ୍ଚ କୃତ୍ତାଞ୍ଜଳ ଗଉଡ, ନାଏବ ସରପଞ୍ଚ ଗୀତାଞ୍ଜଳି ସାହୁ ପ୍ରମୁଖ ବସି ଲୋକଙ୍କ ଅଭିଯୋଗପତ୍ର ଗ୍ରହଣ କରୁଥିଲେ । ମଞ୍ଚର ଉଚ୍ଚତା ପ୍ରାୟ ୩ ଫୁଟ୍ ରହିଥିଲା । ମଞ୍ଚ ଉପରକୁ ଚଢ଼ିବାକୁ ବୟସ୍କମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ହେଲେ ପ୍ରଶାସନ ସେଥି ପ୍ରତି ଦୃଷ୍ଟି ନଦେଇ ମଞ୍ଚ ଉପରେ ବସି ଲୋକଙ୍କ ଅଭିଯୋଗପତ୍ର ଗ୍ରହଣ କରୁଥିଲା । ଏହି ସମୟରେ ପରଲସିଙ୍ଗା ପଞ୍ଚାୟତ ଅଧିନସ୍ଥ ସଉରାପଦର ଗ୍ରାମର ବୃଦ୍ଧ ନକୁଳ ମାଝୀଙ୍କ ସ୍ତ୍ରୀ ଅଞ୍ଚଳା ମାଝୀ ଭତ୍ତା ପାଇବା ଦାବି ନେଇ ଶିବିରକୁ ଆସି ମଞ୍ଚ ଉପରକୁ ଚଢି ବିଡ଼ିଓଙ୍କୁ ଆବେଦନ ପତ୍ର ପ୍ରଦାନ କରିଥିଲେ । ଆବେଦନପତ୍ର ବିଡ଼ିଓଙ୍କୁ ପ୍ରଦାନ କଲାପରେ ବୃଦ୍ଧା ଅଞ୍ଚଳା ମଞ୍ଚରୁ ତଳକୁ ଆସିବା ସମୟରେ ତଳେ ପଡିଯାଇଥିଲେ ଓ ତାଙ୍କର ଡାହାଣ ଗୋଡ଼ରେ ମାଡ ହେବା ଫଳରେ ସେ ଗୁରୁତର ହୋଇପଡିଥିଲେ । ଶିବିରରେ ଉପସ୍ଥିତ ରହିଥିବା ସ୍ବାସ୍ଥ୍ୟ ବିଭାଗ ଅଧିକାରୀଗଣ ବୃଦ୍ଧାଙ୍କ ଅବସ୍ଥା ଦେଖି ଏକ୍ସରେ କରିବା ପାଇଁ କହିଥିଲେ ଓ ଡାକ୍ତର ହରେକୃଷ୍ଣ ଧଳ ନିଜେ ଗୁରୁତର ବୃଦ୍ଧାଙ୍କୁ ଟେକି ନେଇ ସ୍ବାସ୍ଥ୍ୟ ବିଭାଗର ଗାଡ଼ିରେ ବସାଇଥିଲେ ଏବଂ କେସିଙ୍ଗାକୁ ନେଇଥିଲେ । କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଏକ ଘରୋଇ କ୍ଲିନିକରେ ଏକ୍ସରେ କଲାପରେ ବୃଦ୍ଧାଙ୍କ ଡ଼ାହାଣ ଗୋଡ ଭାଙ୍ଗିଯାଇଥିବା ଜଣାପଡିଥିଲା ।
ଏହି ଜନଶୁଣାଣୀ ଶିବିର କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ଏହି ଶିବିରରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବବୃବାହାନ ପ୍ରଧାନ, ସ୍ବାସ୍ଥ୍ୟ ବିଭାଗରୁ ଡାକ୍ତର ହରେକୃଷ୍ଣ ଧଳ, ଡାକ୍ତର କୁଞ୍ଜବିହାରୀ ସାହୁ, ବ୍ଲକ ସହକାରୀ ଯନ୍ତ୍ରୀ, ବ୍ଲକ ଯୋଗାଣ ନିରୀକ୍ଷକ ସୁଶାନ୍ତ ସ୍ବାଇଁ, ଏଏଫ୍ଓ ବଦ୍ରିନାଥ ନନ୍ଦ, ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ସେନାପତି, ବିପିସି ପ୍ରତିମା ସାହୁ, ବିଏସ୍ଏସ୍ଓ ପ୍ରମୁଖଙ୍କ ସମେତ ସମସ୍ତ ଲାଇନ୍ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତର ସିଏଚ୍ ଓ ଅଞ୍ଜଳି ପ୍ରଧାନ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ଓଡ଼ିଶା ଜୀବିକା ମିଶନର ଏମବିକେ ପ୍ରମୁଖ ଯୋଗଦାନ କରିଥିଲେ । ପରଲସିଙ୍ଗା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଝସକେତନ ସାହୁ ଓ ଜିଆରଏସ୍ ଉପେନ୍ଦ୍ର ଗଉଡଙ୍କ ଦ୍ବାରା ଶିବିର ପରିଚାଳିତ ହୋଇଥିଲା ।
ଅନ୍ୟପକ୍ଷରେ ବୃଦ୍ଧାବସ୍ଥା ସମୟରେ ଅଞ୍ଚଳା ମାଝୀ କିପରି ଭତ୍ତା ପାଇବାରୁ ବଞ୍ଚିତ ହୋଇଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପରଲସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ହୋଇଥିବା ବ୍ଲକ ସ୍ତରୀୟ ଆପତ୍ତି ଅଭିଯୋଗର ଶୁଣାଣୀ ଶିବିରକୁ ଆସି ତାଙ୍କ ଗୋଡ଼ ଭାଙ୍ଗିଲା । ଏହି ଅସହାୟ ବୃଦ୍ଧ ଦମ୍ପତିଙ୍କ ସାଙ୍ଗରେ ଆଉ କିଏ ନଥିବାରୁ କିପରି ଭାବରେ ତାଙ୍କର ଚିକିତ୍ସା ହୋଇପାରିବ ସେନେଇ ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ । ଅପରପକ୍ଷରେ ବୃଦ୍ଧାଙ୍କ କିପରି ଆଶୁ ଚିକିତ୍ସା ହୋଇପାରିବ ସେନେଇ ବ୍ଲକ ପ୍ରଶାସନ ଓ ପଞ୍ଚାୟତ କତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।