ଲାଂଜିଗଡ,୧୧/୪ : ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ ଓ ଝରଣିଆ ମାଓବାଦିଙ୍କ ଧମକକୁ ଖାତିର ନକରି ଆଜି ତାଙ୍କର ମତଦନ ସାବ୍ୟସ୍ତ କରିଛନ୍ତି । ସୁଚନା ଥାଉ କି ଗତ ୨୦୧୪ ମସିହାରୁ ମାଓବାଦିଙ୍କ ଧମକରେ ନିୟମଗିରି ଅଞ୍ଚଳବାସି ଭୋଟ ଦେବାରୁ ବଞ୍ଚିତ ହୋଇଥିଲେ ଏମିତିକି ଗତ ୨୦୧୭ ପଞ୍ଚାୟତ ନିର୍ବାଚନକୁ ମଧ୍ୟ ଭୋଟ ବର୍ଜନ କରିଥିଲେ । ହେଲେ ଏବର୍ଷ ସାଧାରଣ ନିର୍ବାଚନରେ ନିଜ ପ୍ରିୟ ବିଧାୟକ ଓ ସାଂସଦ ପାର୍ଥୀଙ୍କୁ ଭୋଟ ଦେଇଥିଲେ ଏହି ଅଞ୍ଚଳବାସି । ମାଓବାଦି ଭୟରେ ଏହି ନିୟମଗିରି ଅଞ୍ଚଳକୁ କୈାଣସି ସାଂସଦ କିମ୍ବା ବିଧାୟକ ପ୍ରାର୍ଥି ପ୍ରଚାରରେ ଆସିନଥିଲେ ତଥାପି ଭୋଟ ଦେଇଥିଲେ ସ୍ଥାନୀୟ ଅଧିବାସି । ତ୍ରିଲୋଚନପୁର ପଞ୍ଚାୟତର ଗଉଡଥୁଆଗୁଡା ଓ ତ୍ରିଲୋଚନପୁର ଦୁଇଗୋଟି ବୁଥ୍ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୫୦୩ ଓ ପୁରୁଷ ଭୋଟର ସଂଖ୍ୟା ୪୪୯ ଅଛନ୍ତି । ବ୍ଲକର ସମ୍ବେଦନଶିଳ ବୁଥ୍ ଭାବରେ ବିଜେପୁର, ମାଳିଯୁବାଙ୍ଗ, ପାହାଡପଦର, ବେନଗାଁ, ବନ୍ଧପାରୀ, କାନକୁଟ୍ରୁ, କୁମଖାଲ,ବେଡାଗାଁ ପଞ୍ଚାୟତ ରହିଛି । ପ୍ରତ୍ୟେକ ବୁଥ୍ ସାମ୍ନାରେ ଦଳିୟକର୍ମି ମାନେ ଭୋଟରଙ୍କୁ ଆକୃଷ୍ଠ କରିବାରେ ଲାଗିପଡିଥିବା ବେଳେ ଅନେକ ଭୋଟର ନିଜ ଇଛା ଅନୁସାରେ ନିଜ ମନପସନ୍ଦ ପ୍ରାର୍ଥିଙ୍କୁ ଭୋଟ ଦେଇଥିବା ପ୍ରକାଶ କରିଛନ୍ତି ।
ଲାଞ୍ଜିଗଡରେ ସର୍ବମୋଟ ୮୭ଟି ବୁଥ୍ ରହିଥିବା ବେଳେ ୪୭ଟି ମାଓପ୍ରବଣ ସମ୍ବେଦନଶିଳ ବୁଥ୍ ରହିଥିବା ବେଳେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା । ହେଲେ ବ୍ଲକର ଜଗନ୍ନାଥପୁର,ବଳଭଦ୍ରପୁର ଓ ଘାଟି ଅଞ୍ଚଳର ବିଭିନ୍ନ ବୁଥ୍ରେ ଇଭିଏମ୍ ମେସିନ ତୃଟିପୁର୍ଣ୍ଣ ଥିବାରୁ କିଛିମାତ୍ରାରେ ବିଳମ୍ବ ହୋଇଥିଲା । ଲାଞ୍ଜିଗଡ ବ୍ଲକର ୨୬ଗୋଟି ପଞ୍ଚାୟତରେ ଭୋଟଦାନ ସୁରୁଖୁରୁରେ ଚାଲିଥିବା ବେଳେ ନିୟମଗିରି ପାଦଦେଶରେ ଥିବା ମାଓପ୍ରବଣ ପଞ୍ଚାୟତ ଭାବରେ ପରିଚିତ ତ୍ରିଲୋଚନପୁର ପଞ୍ଚାୟତରେ ମଧ୍ୟ ଭୋଟଦାନ ସୁରୁଖୁରୁରେ ଚାଲିଥିଲା । ବ୍ଲକରେ ସର୍ବମୋଟ ୫୮୯୩୨ଜଣ ଭୋଟର ଥିବା ବେଳେ ୨ଗୋଟି ଆଦର୍ଶ ବୁଥ୍ କରାଯାଇଛି । ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କୁ ନେବା ଆଣିବା ପାଇଁ ଗାଡିର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ବୁଥ୍ କେନ୍ଦ୍ର ମାନଙ୍କରେ ଅଙ୍ଗନବାଡିକର୍ମି, ଆଶାକର୍ମି, ବିଏଲଓ, ବିଜୁଯୁବ ବାହିନି ଓ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭୋଟର ମାନଙ୍କୁ ସହଯୋଗ କରିଥିବା ଦେଖିବାକୁ ମିଳିଛି ।