ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଜଗଦିଶ ନାଏକ): ମହିମା ଧର୍ମାବଲମ୍ବୀଙ୍କ ଆସ୍ଥା ଓ ବିଶ୍ବାସର ପ୍ରତିକ ହେଉଛନ୍ତି ଢେଙ୍କାନାଳ ସ୍ଥିତ ଯୋରନ୍ଦା ମହିମା ଗାଦି। ତେବେ ଗତ ୨୨ ତାରିଖ ଦିନ ଯୋରନ୍ଦାରେ ଥିବା କୌପୁନିଧାରୀ ମହିମା ସମାଜର ମନ୍ଦିରକୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଯେଉଁଭଳି ଭାବରେ ବୁଲଡୋଜର ଲଗାଇ ଧୂଳିସାତ କଲେ, ଆଜି କୌପୁନିଧାରୀ ମହିମା ସମାଜ କଳାହାଣ୍ଡି ତରଫରୁ ଏହି ଘଟଣାର ତିବ୍ର ପ୍ରତିବାଦ କରାଯାଇଛି। କୋର୍ଟର ଆଳ ଦେଖାଇ ପ୍ରଶାସନ ଉକ୍ତ ଆଦେଶର ସଠିକ ଅନୁପାଳନ ନକରି କିମ୍ବା ପ୍ରତିପକ୍ଷକୁ କୌଣସି ସୁଯୋଗ ନଦେଇ, ଅତି ତରବରିଆ ଭାବେ ଏହି ଶହେ ବର୍ଷର ଆରଧନା ସ୍ଥଳକୁ ଧୂଳିସାତ କରିଦେଇଛନ୍ତି। ଉକ୍ତ ଘଟଣାକୁ ଦୃଢ ନିନ୍ଦା କରିବା ସହିତ ରାଜ୍ୟ ସରକାର ଉକ୍ତ ମନ୍ଦିରସବୁକୁ ନିଜ ଖର୍ଚ୍ଚରେ ତିଆରି କରିଦେବା ପାଇଁ ଦାବୀ ହୋଇଛି।
ଆଜି ଭବାନୀପାଟଣା ନକଟିଗୁଡା ଛକରୁ ଶହ ଶହ ମହିମା ସମାଜର ସାଧୁ ଭକ୍ତ ମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେମାନେ ସେଠାରେ ଏକ ପ୍ରତିବାଦ ସଭା କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୬ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଥିଲେ। ଉପରୋକ୍ତ ଦାବୀ ସହିତ ସେମାନେ ଯୋରନ୍ଦାରେ ଥିବା ଗାଦୀ ଓ ଶୂନ୍ୟ ମନ୍ଦିରର ପୂଜା ଅର୍ଚନା ପାଇଁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ ଉଭୟ ବକ୍କଳ ଧାରୀ ଓ କୌପୁନିଧାରୀ ସମାଜକୁ ସମାନ ଅଧିକାର ଦେବା, ଯୋରନ୍ଦା ଓ ନାଟିମା ମୌଜାରେ ଥିବା ମହିମା ସ୍ୱାମୀଙ୍କ ସମସ୍ତ ଭୁ-ସମ୍ପତ୍ତି ଉପରେ ଦୁଇ ପକ୍ଷର ସମାନ ଅଧିକାର ସାବ୍ୟସ୍ତ କରି ତଦନୁସାରେ ଜମି ରେକର୍ଡ ସଂଶୋଧନ କରିବା ଆଦି ଦାବୀ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ସାଧୁ ବିରଞ୍ଚି ନାରାୟଣ ବାବା, ସାଧୁ କିଣୁଚରଣ ବାବା, ମଣ୍ଟୁ ବାବା, ରଥ ବାବା, ଦିଗାମ୍ବର ବଡ଼ଭାଇ, ପୁଷ୍ପ ଧ୍ୱଜ ଭକ୍ତ, ତ୍ରିଭୁବନ ଭକ୍ତ, ରଘୁନାଥ ଭକ୍ତ, କମଲ ଭକ୍ତ, ଉପେନ୍ଦ୍ର ଭକ୍ତ, ମୁରଲୀ ଭକ୍ତ, ପବିତ୍ର ଭକ୍ତ, ଜଗନ୍ନାଥ ଭକ୍ତ, ଖଗପତି ଭକ୍ତ, ଅଯୋଧ୍ୟା ଭକ୍ତ, ତ୍ରିନାଥ ଭକ୍ତ, ପରମାନନ୍ଦ ଭକ୍ତ, କୁଶ ଭକ୍ତ, ବଳଭଦ୍ର ଭକ୍ତ, ସମାଜ ସେବୀ ଲିଙ୍ଗରାଜ ଆଜାଦ, ଆଦିତ୍ୟ ହଂସଙ୍କ ସମେତ ଶହ ଶହ ସାଧୁ ଭକ୍ତ ତଥା ଧର୍ମପ୍ରେମୀ ମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଏହାର ସୁବିଚାର ନକଲେ ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନ ହେବ ବୋଲି ଭକ୍ତ ମାନେ ଚେତାବନୀ ଦେଇଛନ୍ତି।