ଓଡ଼ିଆ ବାର୍ତ୍ତା/ ଫତେହପୁର: ୟୁପି ଫତେହପୁର ଜିଲ୍ଲାରେ ଧର୍ମାନ୍ତରୀକରଣ ଅଭିଯୋଗ । ଆଠମାସ ତଳେ ଜଣେ ହିନ୍ଦୁ ଯୁବତୀଙ୍କ ଧର୍ମାନ୍ତରୀକରଣ କରି ଜବରଦସ୍ତ ବିବାହ କରାଯାଉଥିଲା । ହେଲେ ଫିଲ୍ମ ଷ୍ଟାଇଲେ ଉଦ୍ଧାର କଲେ ମା’ । ଠିକ ସମୟରେ ଯୁବତୀଙ୍କ ମା’ ଘଟଣାସ୍ଥଳରେ ପହଞ୍ଚିଗଲେ ଏବଂ ବିବାହକୁ ବିରୋଧ କରିଥିଲେ । ଏହା ଦେଖି ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ମାରଧର କରିଥିଲେ । ଏପରିକି ତାଙ୍କ ପୋଷାକ ମଧ୍ୟ ଚିରି ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମା’ ଝିଅଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ମୌଲବୀଙ୍କ ସହ ୨ଜଣଙ୍କୁ ଗିରଫ କରିଛି । ପୋଲିସ ପୀଡିତା ଯୁବତୀଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏମାନଙ୍କ ବିରୋଧରେ ଧର୍ମାନ୍ତରୀକରଣ, ମାରପଟ ଏବଂ ହତ୍ୟା ଧମକ ଧାରାରେ ମାମଲା ରୁ୍ଜୁ କରିଛି । ଘଟଣା ଘଟିଛି ଅସୋଥର ଥାନା ସାତୋପୀତ ଗାଁରେ । ପୋଲିସ ସୂଚନା ଅନୁସାରେ, ହରିହରଗଞ୍ଜର ବାସିନ୍ଦା ମାନସୀ ଗୁପ୍ତା ନାମ୍ନୀ ଏହି ଯୁବତୀ ଜଣକ ୨୦୨୨ ମେ ୮ରେ ନିଖୋଜ ହୋଇ ଯାଇଥିଲେ । ଏ ନେଇ ମା’ ଅଞ୍ଜଳି ଗୁପ୍ତା ଥାନରେ ଏକ ନିଖୋଜ ମାମଲା ଦାଏର କରିଥିଲେ । ହେଲେ ପୋଲିସ ଯୁବତୀଙ୍କ ସନ୍ଧାନ ପାଇ ନ ଥିଲା । ଡିସେମ୍ବର ୮ ତାରିଖ ଦିନ ଯୁବତୀଙ୍କ ମା’ କୌଣସି ସୂତ୍ରରୁ ଖବର ପାଇଥିଲେ ଯେ, ତାଙ୍କ ଝିଅକୁ ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଇ ଅଭିଯୁକ୍ତ ଅନସାର ଅହମ୍ମଦ ବିବାହ କରିବାକୁ ଯାଉଛି । ଅଞ୍ଜଳି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ଅଞ୍ଜଳି ଦେଖିଲେ ଠିକ ସେହି ସମୟରେ ନିକାହ ପଢା ହେଉଛି । ସେ ଏହାକୁ ବିରୋଧ କରିଥିଲେ । ଅଭିଯୁକ୍ତମାନେ ଏହା ଦେଖି ତାଙ୍କୁ ମାରପିଟ କରିଥିଲେ । ତାଙ୍କ ପୋଷାକ ଚିରିଦେବା ସହ ହତ୍ୟା ଧମକ ବି ଦେଇଥିଲେ । ଏହି ଘଟଣାକୁ ନେଇ ହିନ୍ଦୁ ସଂଗଠନ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି ।