ବିଦ୍ୟୁତ ଆଘାତରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ, ଗର୍ଭରେ କିନ୍ତୁ ଚାଲୁଥିଲା ନବଜାତର ହୃଦସ୍ପଦନ

ଓଡ଼ିଆ ବାର୍ତ୍ତା/ ରାୟପୁର (ଉମେଶ ଯାଦବ): ଛତିଶଗଡ ରାଜ୍ୟ ଅମ୍ବିକାପୁର ଅନ୍ତର୍ଗତ ଉଦୟପୁର ଥାନା ବେଲଡହପୁଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ୯ ମାସର ଗର୍ଭବତୀ ମହିଳା ଶିବ କୁମାରୀ (୨୮) ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମହିଳାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଗର୍ଭରେ ବଢୁଥିବା ଶିଶୁର ହୃଦସ୍ପନ୍ଦନ ଚାଲୁଥିଲା ବୋଲି ସୂଚନା ରହିଛି। ଡାକ୍ତରମାନେ ଶିଶୁଟିକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅପରେସନ୍ ସମୟରେ ଶିଶୁଟି ମୃତ୍ୟୁବରଣ କରିଥିଲା। ପ୍ରାପ୍ତ ସୂଚନା ଆଧାରରେ, ଶିବ କୁମାରୀ ଗାଧୋଇବା ପରେ ବାଥରୁମରୁ ବାହାରି ଆସିଥିଲେ। ସେ ଶୁଖିବା ପାଇଁ ତାରରେ ଓଦା ପୋଷାକ ପକାଇଥିଲେ। ହେଲେ ଏହି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ତାରଟି ଲୁହା ସଂସ୍ପର୍ଶରେ ଆସିଥିଲା ଏବଂ ଏହି ତାରରେ କରେଣ୍ଟ ରହିଛି ବୋଲି ସେ ଜାଣିନଥିଲେ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ମାତ୍ରେ ମହିଳା ଜଣଙ୍କ ତଳେ ପଡ଼ିଯାଇଥିଲେ। ସମ୍ପର୍କୀୟମାନେ ତାଙ୍କୁ ତୁରନ୍ତ ସ୍ଥାନୀୟ ଉଦୟପୁର ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତରମାନେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ କିନ୍ତୁ ଯେତେବେଳେ ତାଙ୍କ ଗର୍ଭରେ ଥିବା ଶିଶୁଟିକୁ ଯାଞ୍ଚ କରିଥିଲେ ସେତେବେଳେ ଶିଶୁର ହୃଦସ୍ପନ୍ଦନ ଚାଲିଥିବାର ଦେଖିବାକୁ ମିଳିଥିଲା। ଏପରିକି ଡାକ୍ତରମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଙ୍ଗେସଙ୍ଗେ ଶିଶୁଟିକୁ ବଞ୍ଚାଇବା ପାଇଁ ଅପରେସନ୍ ଆରମ୍ଭ କରିଥିଲେ। କିନ୍ତୁ ସେମାନେ ପିଲାଟିକୁ ରକ୍ଷା କରିପାରିନଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.