କୁହୁଡିର ଅନ୍ଧାରରେ ହଜିଯାଇଛି ଗରିବ ଶିକ୍ଷାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ: ଥୁଆମୂଳ ରାମପୁର ଠାରେ ମରୀଚିକା ପାଲଟିଛି ଡିଗ୍ରୀ କଲେଜ

ଥୁଆମୂଳ ରାମପୁର ଠାରେ ଡିଗ୍ରୀ କଲେଜ ସ୍ବପ୍ନ ସାକାର କରିବା ଉଦ୍ୟମରେ ଲାଞ୍ଜିଗଡ ବିଧାୟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ପ୍ରଦୀପ କୁମାର ପଣ୍ଡା): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ଲକ୍ଷ୍ୟ ନେଇ ଯୋଜନା ପରେ ଯୋଜନା ପ୍ରଣୟନ ହୋଇ କାର୍ଯ୍ୟକାରୀ ହେଉଛି। କିନ୍ତୁ ଯେଉଁଠି ଶିକ୍ଷାର ବିକାଶ ନାହିଁ ସେଠାରେ ପ୍ରକୃତ ବିକାଶ କ’ଣ ସମ୍ଭବ? ଉଚ୍ଚ ଶିକ୍ଷା ପାଇଁ ଝୁରୁଛି ଗରିବ ଛୁଆ। ଆର୍ଥିକ କ୍ଷେତ୍ରରେ ଅନଗ୍ରସର ରହିଥିବା ଥୁଆମୂଳ ରାମପୁର ଅଞ୍ଚଳର ଗରିବ ଛୁଆଙ୍କ ଭବିଷ୍ୟତ ଉପରେ କାହାର ନଜର ନାହିଁ। ନା ଅଛି ପ୍ରଶାସନର ନା ଅଛି ଜନ ପ୍ରତିନିଧି ମାନଙ୍କର। କୁହୁଡିର ଅନ୍ଧାରରେ ହଜିଯାଇଛି ଗରିବ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ। ଉଚ୍ଚ ଶିକ୍ଷା ହିଁ ଯୁବକଯୁବତୀ ମାନଙ୍କ ଭବିଷ୍ୟତ ନିର୍ମାଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକ ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ କ୍ଷେତ୍ରରେ ଆଜିବି ଏକ ଅବହେଳିତ ଅଞ୍ଚଳ।ସ୍ବାଧୀନତାର ସତୁରୀ ବର୍ଷ ବିତିଯାଇଛି। ହେଲେ ସବୁଠି ପଛରେ ରହିଥିବା ଏହି ଅଞ୍ଚଳ ଶିକ୍ଷା କ୍ଷେତ୍ରରେ ମଧ୍ୟ ପଛରେ ରହିଛି। ଏହି ବ୍ଲକରେ ଅନେକ ଦିନ ଧରି ଏକ ସରକାରୀ ଡିଗ୍ରୀ କଲେଜ ସ୍ଥାପନ ପାଇଁ ଦାବୀ ହୋଇଆସୁଛି। ହେଲେ ଆଜି ସୁଦ୍ଧା ସରକାର ଏହି ଆଦିବାସୀ ମାନଙ୍କ ଦାବୀକୁ ଅଣଦେଖା କରି ଆସୁଛନ୍ତି। ପୂର୍ବରୁ ଅନେକ ମନ୍ତ୍ରୀ ବିଧାୟକ ସାଂସଦ ଏଠିକାର ଲୋକଙ୍କ ଭୋଟ ନେଇ ନିର୍ବାଚିତ ହେଇ ଯାଇଛନ୍ତି। ଇତି ମଧ୍ୟରେ ଅନେକ ପ୍ରତିଶ୍ରୁତି ନିର୍ବାଚନ ପରେ ଉଭେଇ ଯାଇଛି। ଏଥି ପୁର୍ବରୁ ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ବଳଭଦ୍ର ମାଝୀ, ପୂର୍ବତନ ବିଧାୟକ ଶିବାଜୀ ମାଝୀ ଆଦିବାସୀଙ୍କ ଭୋଟରୁ ବିଜୟୀ ହୋଇ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ କଣିକାଏ ଉଦ୍ୟମ କରିନଥିଲେ। ଏହି ବ୍ଲକର ଛାତ୍ରଛାତ୍ରୀ ମାଧ୍ୟମିକ ଶିକ୍ଷା ପଢିବାକୁ ହେଲେ ସୁଦୂର ୧୦୦ କିମି ଜିଲ୍ଲା ସଦର ମହକୁମା ସ୍ଥିତ ଭବାନୀପାଟଣା କଲେଜକୁ ଆସିବାକୁ ପଡିଥାଏ। ଗରିବ ଛାତ୍ରଛାତ୍ରୀ ଗାଡି ଭଡା ଦେବା ପାଇଁ ଟଙ୍କା ନ ଥିବା ବେଳେ କିଭଳି କଲେଜ ପଢିବେ ସେନେଇ ସନ୍ଦିହାନ ହୋଇଥାନ୍ତି।ଅନେକ କ୍ଷେତ୍ରରେ ଏମାନେ ଉଚ୍ଚ ଶିକ୍ଷା ପଢି ନ ପାରି ଦାଦନ ଖଟିବାକୁ ବାହାର ରାଜ୍ୟକୁ ବାଧ୍ୟ ହୋଇ ଯାଇଥାନ୍ତି। ବର୍ତ୍ତମାନ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଥୁଆମୂଳ ରାମପୁର ଠାରେ ଏକ ଡିଗ୍ରୀ କଲେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ତେବେ ବିଧାୟକ ପ୍ରଦୀପ ଦିଶାରୀଙ୍କ କଥାକୁ ମୁଖ୍ୟମନ୍ତ୍ରୀ ରଖୁଛନ୍ତି ନା ଏଡାଇ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ଯାହା ଆଗାମୀ ନିର୍ବାଚନରେ ଏକ ପ୍ରମୁଖ ମୁଦ୍ଦା ଭାବେ ଅଞ୍ଚଳ ବାସୀଙ୍କ ଠାରୁ ପ୍ରଶ୍ନ ଉଠିବାର ଆଶଙ୍କା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.