ଚାକିରୀରେ ନିୟମିତ ଦାବୀ: କଳା ବ୍ୟାଚ ପରିଧାନ କଲେ ଠିକା ଅଧ୍ୟାପକ ଅଧ୍ୟାପିକା, ଘନଉଛି ଆନ୍ଦୋଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ପ୍ରଦୀପ କୁମାର ପଣ୍ଡା): ପାଠ ପଢି ବିଭିନ୍ନ ଡିଗ୍ରୀର ଯୋଗ୍ୟତା ହାସଲ କରିଥିବା ଯୁବକଯୁବତୀ ମାନଙ୍କୁ ସରକାର ବିଭିନ୍ନ କ୍ଷେତ୍ରରେ ଚାକିରୀ ଦେଉଥିବା ବେଳେ କେତେକାଂଶରେ ଅସ୍ଥାୟୀ ତଥା ଠିକା କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଉଅଛି। ବେକାରୀ ସମସ୍ୟାରୁ ନିଜକୁ ମୁକ୍ତ କରିବା ବେଳେ ପରିବାର ପ୍ରତିପୋଷଣର ଭବିଷ୍ୟତ ତୋଳିବାରେ ସ୍ବପ୍ନ ଦେଖିବାକୁ ପଡିଥାଏ। କିନ୍ତୁ ନିର୍ଦ୍ଧାରିତ ସ୍ବଳ୍ପ ଦରମାରେ ନିଜକୁ ସମ୍ଭାଳିବାକୁ ପଡିଥାଏ। ତଥାପି ସରକାର କିଛି ବର୍ଷ ପରେ ଏହି ଚାକିରୀକୁ ନିୟମିତ କରିବେ, ଜଣେ ନିୟମିତ କର୍ମଚାରୀର ମାନ୍ୟତା ମିଳିବା ସହିତ ଉପଯୁକ୍ତ ବେତନର ଅଧିକାରୀ ହେବେ ଏଇ ସ୍ବପ୍ନ ଏଇ ବିଶ୍ୱାସ ନେଇ ଦୀର୍ଘ ବର୍ଷ ହେଲା ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିଆସୁଛନ୍ତି। ହେଲେ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛନ୍ତି ଠିକା କର୍ମଚାରୀ। ଦିନକୁ ଦିନ ଦରଦାମ ବୃଦ୍ଧି ଊପରେ ପୁଣି ଅନୁରୂପ ବୃଦ୍ଧି ପାଇଛି ପରିବାର ପ୍ରତିପୋଷଣର ବୋଝ। ଫଳରେ ଏହି ଠିକା କର୍ମଚାରୀ ମାନଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟରେ।ସରକାରଙ୍କ ଏପରି ଅବହେଳାକୁ ନେଇ ବଢୁଛି ଅସନ୍ତୋଷ। ଘନଉଛି ଆନ୍ଦୋଳନ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଆଦିବାସୀ ଆବାସିକ ଯୁକ୍ତ ଦୁଇ ବିଦ୍ୟାଳୟର ଠିକା କର୍ମଚାରୀ ଭାବେ କାର୍ଯ୍ୟରତ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଏଭଳି ନିଯୁକ୍ତିର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ଏମାନଙ୍କୁ ଚାକିରୀରେ ନିୟମିତ କରିବାରେ ବିଳମ୍ବ କରୁଥିବା ଯୋଗୁଁ ଅସହାୟ ହୋଇ ଗତ ୧୪ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅଭିନବ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ୨୦୧୩ ମସିହାରୁ ୧୨୫୦୦ ଟଙ୍କା ଦରମାରେ ଆଜକୁ ୧୦ ବର୍ଷ ହେବାକୁ ଯାଉଛି ଅଥଚ ଠିକା କର୍ମଚାରୀ ଭାବରେ ଶିକ୍ଷକତା କରି ପରିବାର ପ୍ରତିପୋଷଣ କରିବା କଷ୍ଟ ସାଧ୍ୟ ବିଷୟ। ଠିକା ନିଯୁକ୍ତି ଉଚ୍ଛେଦ କରି ନିୟମିତ କରିବା ପାଇଁ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଗୁହାରି କରିଥିଲେ ମଧ୍ୟ ନିରାଶ ହେବାକୁ ପଡିଛି। ହାଇସ୍କୁଲ ଶିକ୍ଷକ ମାନଙ୍କୁ ପଦୋନ୍ନତି ଦେଇ ନିୟମିତ ଶିକ୍ଷକ ଭାବରେ ଅବସ୍ଥାପିତ କରାଯାଉଛି। ଅଥଚ ଏମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଛନ୍ତି ଏହି ଠିକା ଅଧ୍ୟାପକ ଏବଂ ଅଧ୍ୟାପିକା। ଅଧ୍ୟାପକ ରାଜ କିଶୋର ଜେନା (ଗଣିତ), ଅଧ୍ୟାପକ ଲିଙ୍ଗରାଜ ଖମାରୀ (ପଦାର୍ଥ ବିଜ୍ଞାନ), ଅଧ୍ୟାପକ ନରେନ୍ଦ୍ର ବିଶ୍ବାଳ(ଉଦ୍ଭିଦ ବିଜ୍ଞାନ), ଅଧ୍ୟାପିକା ସାରୀକା ମଞ୍ଜରୀ ଦୁର୍ଗା(ଓଡ଼ିଆ) ଏବଂ ଅଧ୍ୟାପିକା ତପସ୍ବିନୀ ସୁନାନୀ ପ୍ରମୁଖ ଏଭଳି ବିରୋଧ ପ୍ରଦର୍ଶନ କରିଛନ୍ତି। ହେଲେ ସରକାର ଏହି ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଦାବୀ କେବେ ପୁରଣ କରୁଛନ୍ତି ଏବଂ ଚାକିରୀରେ ନିୟମିତ କରୁଛନ୍ତି ତାହା ଦେଖିବା ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.