ବେକାରୀ ହାର ହ୍ରାସ ରିପୋର୍ଟକୁ ନେଇ ରାଜନୀତି

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ)ର ଡିସେମ୍ବର ମାସ ପାଇଁ ଜାରି ହୋଇଥିବା ରିପୋର୍ଟରେ ଓଡିଶାରେ ବେକାରୀ ହାର ମାତ୍ର ୦.୯ ପ୍ରତିଶତ ରହିଛି । ଯାହାକି ଏକ ବଡ ରେକର୍ଡ । ବଡ଼ ବଡ଼ ରାଜ୍ୟରେ ବେକାରୀ ହାର ସର୍ବାଧିକ ରହିଛି । ଯେଉଁଠି ଓଡିଶାରେ ଏହା ଶୂନ ଦଶମିକ ତଳେ ରହିଛି । ଏହି ରିପୋର୍ଟ ଦର୍ଶାଉଛି ଯେ, ବେକାରୀ ହାର ହ୍ରାସରେ ଓଡ଼ିଶା ପ୍ରଥମ । ଓଡିଶାରେ ଅଛନ୍ତି ସବୁଠୁ କମ୍ ବେକାରୀ ।

Omkar Vasthu
Omkar Vasthu

ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ ସହିତ ସ୍ଥିର ସରକାର ରହିଛି । ନିଯୁକ୍ତିକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ବେକାରୀ ହାର ହ୍ରାସ ପାଇଥିବା କୁହାଯାଇଛି । ସେହିପରି ମିଶନ ଶକ୍ତି ସହାୟତାରେ ମହିଳାଙ୍କୁ ଆତ୍ମନିର୍ଭର କରିବା ସହ ମନରେଗା ପରି କେନ୍ଦ୍ରୀୟ ଯୋଜନାର ସର୍ବାଧିକ ସଫଳ ଉପଯୋଗ ହୋଇପାରିଛି। ଯାହାଫଳରେ ଯୁବକଯୁବତୀମାନେ ପୂର୍ବାପେକ୍ଷା ଅଧିକ ଆତ୍ମନିର୍ଭର ହୋଇପାରିଛନ୍ତି। ସେହିପରି ନିଜସ୍ୱ ଯୋଜନା ମାଧ୍ୟମରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଏହି ସଫଳତାର ପ୍ରମୁଖ କାରଣ ବୋଲି କୁହାଯାଉଛି ।

Pearl dental clinic
Near Ashish Medical Store, Bhawanipatna

ସିଏମଆଇଇର ରିପୋର୍ଟରେ ହରିୟାଣାରେ ବେକାରୀ ହାର ସର୍ବାଧିକ ୩୭.୪ ପ୍ରତିଶତ ରହିଥିବା ବେଳେ ରାଜସ୍ଥାନରେ ୨୮.୫, ଦିଲ୍ଲୀରେ ୨୦.୮, ଝାଡ଼ଖଣ୍ଡରେ ୧୮, ବିହାରରେ ୧୯.୧, ସିକିମରେ ୧୩.୬ ପ୍ରତିଶତ ରହିଛି ବେକାରୀ ହାର । ସେହିପରି ଦେଶରେ ବେକାରୀହାର ବଢିବାରେ ଲାଗିଛି । ଡିସେମ୍ବର ମାସରେ ଭାରତର ବେକାରୀ ହାର ୮.୩୦ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ଗତ ୧୬ ମାସ ମଧ୍ୟରେ ସର୍ବାଧିକ । କାରଣ ଗତ ନଭେମ୍ବର ମାସରେ ଦେଶରେ ବେକାରୀ ହାର ୮.୦୦ ପ୍ରତିଶତ ରହିଥିଲା । ଦେଶରେ ସହରାଞ୍ଚଳର ବେକାରୀ ହାର ଡିସେମ୍ବରରେ ୧୦.୯୬ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ପୂର୍ବ ମାସରେ ଥିଲା ୮.୯୬ ପ୍ରତିଶତ । ଅନ୍ୟପଟେ ଗ୍ରାମାଞ୍ଚଳର ବେକାରୀ ହାର ରହିଛି ୭. ୪୪ ପ୍ରତିଶତ।

Udyog Nursery
Udyogi Nursery

ଓଡିଶାରେ ବେକାରୀ ହାର ମାତ୍ର ୦.୯ ପ୍ରତିଶତ ରହିଥିବା ସିଏମଆଇଇର ଏହି ରିପୋର୍ଟ ବାଦ୍, ଦୁଇଟି ଭିନ୍ନ ଭିନ୍ନ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଓଡ଼ିଶାର ବେକାରୀ ହାରକୁ ନେଇ ଭିନ୍ନ ତଥ୍ୟ ରହିଛି । ଆରବିଆଇ ରିପୋର୍ଟ ଅନୁସାରେ ଓଡ଼ିଶାର ସହରାଞ୍ଚଳରେ ବେକାରୀ ହାର ୭.୮ ପ୍ରତିଶତ ରହିଛି । ସେହିଭଳି ରାଜ୍ୟସଭାରେ ଉତ୍ତର ରଖି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ଓଡ଼ିଶାରେ ବେକାରୀ ହାର ୫.୩ ପ୍ରତିଶତ ରହିଛି । ୧୫ ବର୍ଷରୁ ଅଧିକ ଲୋକଙ୍କ ମଧ୍ୟରେ ଏକ ସର୍ଭେ କରାଯିବା ପରେ ଏହି ଆକଳନ କରାଯାଇଥିବା ସେ କହିଛନ୍ତି । ଫଳରେ ପ୍ରଶ୍ନ ଉଠୁଛି ଓଡ଼ିଶାରେ ପ୍ରକୃତରେ ବେକାରୀ ହାର କେତେ ? ରାଜ୍ୟରେ କେତେ ସଂଖ୍ୟକ ଲୋକ ଅଛନ୍ତି ଯାହାଙ୍କ ପାଖରେ କୌଣସି ଚାକିରୀ ନାହିଁ ବା ରୋଜଗାର କରିବାର କୌଣସି ପନ୍ଥା ନାହିଁ ? ଓଡ଼ିଶାର ବେକାରୀ ହାରକୁ ନେଇ ଏଭଳି ଭିନ୍ନ ଭିନ୍ନ ରିପୋର୍ଟ ଆସିବା ପରେ ତେଜିଛି ରାଜନୀତି ।

କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, “ଏହି ସର୍ଭେ କରିଥିବା ସଂସ୍ଥା ଭରସାଯୋଗ୍ୟ ନୁହେଁ । ଯଦି ୪୦ଟି ନିଯୁକ୍ତି ବିନିମୟର ଆକଳନ ଏକାଠି କରି ଦେଖାଯାଏ, ତେବେ କେନ୍ଦ୍ରରେ ପଞ୍ଜୀକୃତ ହୋଇଥିବା ବେକାର ଯୁବକଙ୍କ ସଂଖ୍ୟା ୮,୮୦,୦୭୫ ହେବ । ସେମାନେ ଏବେ ବି ଚାକିରି ପାଇଁ ଅପେକ୍ଷା କରିଛନ୍ତି ବୋଲି ସାଲୁଜା କହିଛନ୍ତି ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହି ରିପୋର୍ଟକୁ ପ୍ରାୟୋଜିତ ବୋଲି କହିଛନ୍ତି । ସେ କହିଛନ୍ତି, ଓଡିଶାରେ କୌଣସି ଶିଳ୍ପାୟନ ନାହିଁ ଏବଂ ରୋଜଗାରର କୌଣସି ସୁବିଧା ନାହିଁ । ଚାକିରି ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ମଧ୍ୟ କୌଣସି ଯୋଜନା ପ୍ରସ୍ତୁତ କରୁନାହାଁନ୍ତି । ଏହା କୁହାଯାଇପାରେ, ରାଜ୍ୟରେ ରୋଜଗାର ସମସ୍ୟା ଏକ ଭୟାନକ ପରିସ୍ଥିତିରେ ଅଛି । ଏହି କାରଣରୁ ଚାକିରି ଖୋଜୁଥିବା ଯୁବକମାନେ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ତେଣୁ ଏହି ରିପୋର୍ଟ କେବଳ ପ୍ରାୟୋଜିତ ଅଟେ । ପୂର୍ବରୁ ବିଭିନ୍ନ ସଂସ୍ଥା ସେମାନଙ୍କ ରିପୋର୍ଟରେ ଦର୍ଶାଇଥିଲେ ଯେ, ଓଡିଶାର ବେକାରୀ ହାର ଅଧିକ। ମାତ୍ର ରୋଜଗାର କିପରି ହଠାତ୍ ବୃଦ୍ଧି ପାଇଛି ଯେ, ବେକାରୀ ସମସ୍ୟା ସମାପ୍ତ ହୋଇଛି ବୋଲି ଉକ୍ତ ସଂସ୍ଥା ଦାବି କରିଛି । ନବୀନ ବାବୁ ନିର୍ବାଚନ ପୂର୍ବରୁ ମିଥ୍ୟା ସର୍ଭେ ରିପୋର୍ଟ ପ୍ରସ୍ତୁତ କରି ଓଡିଶା ଲୋକଙ୍କୁ ଭୁଆଁ ବୁଲେଇବା ତ୍ୟାଗ କରିବା ଉଚିତ ବୋଲି ସେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.