ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁଶୁର୍ଲା ଶିବ ମନ୍ଦିର ପରିସରରେ ଭୀମା ବାର୍ଷିକ ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଆଦିବାସୀ ସଂସ୍କୃତିର ମହାନ ବର୍ତ୍ତାବହ ବଳିଷ୍ଠ ପତ୍ରିକା ‘ଭୀମା’ ବିଶେଷାଙ୍କ ମକର ମେଳା କୁଶୁର୍ଲା ସଂସ୍କୃତି ମଞ୍ଚରେ ଉନ୍ମୋଚନ ହେବ। ଆଗାମୀ ଜାନୁଆରୀ ୧୫ ତାରିଖ ରବିବାର ଦିନ ପୂର୍ବାହ୍ନ ୦୯ ଘଣ୍ଟାରୁ ସନ୍ଧ୍ୟା ୦୫ ଘଣ୍ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଭୀମା ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହେବ। ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା, ମଶାଲ ଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପ୍ରତିଭାବାନ ମାନଙ୍କୁ ମାନପତ୍ର ଉପଢୌକନ ମଧ୍ୟ ପ୍ରଦାନ କରାଯିବ। ମଧ୍ୟାହ୍ନ ପରେ ପ୍ରସାଦ ସେବନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ କବିତା ଆସର କବିମାନଙ୍କ ଦ୍ଵାରା ପଠନ କରାଯିବ। ଏହି ଅବସରରେ କୃତି କବି ମାନଙ୍କୁ ମଧ୍ୟ ପ୍ରଶଂସା ପତ୍ର ପ୍ରଦାନ କରାଯିବ। ଏହି ସବୁ କାର୍ଯ୍ୟକ୍ରମ ପାଇଁ ବିଭାଗ ବଣ୍ଟନ କରି ଆଜିର ବୈଠକରେ ଦାୟିତ୍ବ ଅର୍ପଣ କରାଗଲା। ଭୀମା ପତ୍ରିକାର ମୁଖ୍ୟ ସମ୍ପାଦକ ତଥା ପ୍ରତିଷ୍ଠାତା ମେଦିନୀଧର ଜାନୀଙ୍କ ଆହ୍ୱାନ କ୍ରମେ ଆୟୋଜିତ ଉକ୍ତ ବୈଠକରେ ମନ୍ଦିର କମିଟୀ ସମ୍ପାଦକ ସୁଶାନ୍ତ କୁମାର ଜାନୀଙ୍କୁ ଅବଗତ କରାଇ କମିଟିର ସୁପାରିଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟ କନ୍ଧ ସମାଜ ସଭାପତି ଯୋରାଡ଼ବରା ଗ୍ରାମ ପଞ୍ଚାୟତର ଭୀମ ଭୋଇ, ସମ୍ପାଦକ ନନ୍ଦ କିଶୋର ମାଝୀ, ଦୁର୍ଯ୍ୟୋଧନ ଭୋଇ, ବାଲି ମାଝୀ, ଜଳନ୍ଧର ଭୋଇ, ବାଦୁଲୁ ଜାନୀ, ଚତୃଭୂଜ ଜାନୀ, ଗୋବିନ୍ଦ ମାଝୀ, ତରୁଣ ଜାନୀ, ଲଲିତ ମୋହନ ଭୋଇ, ନେତ୍ରାନନ୍ଦ ବଡ଼ମାଳି ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଭୀମା ବାର୍ଷିକ ମହୋତ୍ସବରେ ସଫଳ କାମନା କରି କୁଳମଣି ସାହୁ ଧନ୍ୟବାଦ ଅର୍ପଣ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ।