ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେନ୍ଦ୍ର ସରକାରଙ୍କ ତରଫରୁ ଗରିବ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ବଣ୍ଟନ ହେଉଛି । ସାରା ଦେଶରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଓଡିଶା ରାଜ୍ୟ ନବୀନ ସରକାରଙ୍କ ଶାସନ କାଳରେ ଅଯୋଗ୍ୟ ହିତାଧିକାରୀ ନିଜ ଦଳୀୟ ଲୋକ ମାନଙ୍କୁ ପ୍ରାଥମିକତା ଦେଇ ଆବାସ ଗୃହ ପ୍ରଦାନ କରାଯାଇ ଯୋଗ୍ୟ ହିତାଧିକାରୀ ମାନଙ୍କୁ ବାଦ ଦିଆଯାଉଥିବା କହି ସାରା ରାଜ୍ୟରେ ବିଜେପି ତରଫରୁ ଏହାକୁ ପ୍ରତିବାଦ କରାଯିବା ସହ ପ୍ରଶାସନିକ ଅଧିକାରୀଙ୍କ ଜରିଆରେ ମହାମହୀମ ରାଜ୍ୟପାଳଙ୍କୁ ଗତ ୨୫ ଜାନୁୟାରୀରେ ଦାବୀପତ୍ର ସବୁ ପ୍ରଦାନ କରାଯାଇଥିଲା । ଏବେ ଫେବୃୟାରୀ ୨ ରୁ ୪ ତାରିଖ ମଧ୍ୟରେ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ବ୍ଲକ ସମ୍ମୁଖରେ ବିଜେପି ତରଫରୁ ପ୍ରତିବାଦ ସଭା କରାଯାଇ ଧାରଣା ଦିଆଯାଉଛି । ଏହି କ୍ରମରେ ଆଜି ଶନିବାର ନର୍ଲା ବ୍ଲକ ସମ୍ମୁଖରେ ନର୍ଲା ମଣ୍ଡଳ ସଭାନେତ୍ରୀ ପ୍ରଣତି ମହାନନ୍ଦଙ୍କ ନେତୃତ୍ୱରେ କଳାହାଣ୍ଡିର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନମୀତାରାଣୀ ସାହୁ, ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନ, ଭବେନ୍ଦ୍ର ପଣ୍ଡା, ନର୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରୀନାରାଣି ଭୋଇ, ନର୍ଲା ବ୍ଲକ ସଂଯୋଜକ ତଥା ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଶିବରାମ ନାଏକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ସଞ୍ଜୁ ସାହୁ, ନର୍ଲା ବିଜେପିର ବରିଷ୍ଠ କର୍ମକର୍ତ୍ତା ଧନୁର୍ଯ୍ୟ ବାରିକ, ସରୋଜ ବୁଦ୍ଧିଆ, ସରିଆଁ ମଣ୍ଡଳ ସଭାପତି ସଞ୍ଜୟ ମାଝୀ, କିର୍ତ୍ତୀଚନ୍ଦ୍ର ମାହାର ପ୍ରମୁଖ ଯୋଗଦାନ କରି ରାଜ୍ୟ ନବୀନ ସରକାରଙ୍କ ପାତର ଅନ୍ତର ନିତୀ ଉପରେ ବର୍ଷିଥିଲେ । କାର୍ଯ୍ୟକ୍ରମ ଶେଷରେ ନବୀନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।