ଗାନ୍ଧୀନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ମହକୁମା ଗାନ୍ଧୀନଗର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ -୨୦୨୩ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଛାତ୍ରଜୀବନର ମୂଳଦୂଆ ହେଉଛି ପ୍ରାଥମିକ ଶିକ୍ଷା । ତେଣୁ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଅଧିକାର ବଳରେ ଉଚିତ୍ ଶିକ୍ଷା ପ୍ରଦାନ କଲେ ଜଣେ ଜଣେ ଆଦର୍ଶ ଛାତ୍ରଛାତ୍ରୀ ଗଠନ ହୋଇପାରନ୍ତି ବୋଲି ମୁଖ୍ୟ ଅତିଥି ଶ୍ରୀ ରାଓ ପ୍ରକାଶ କରିବା ସହ ଗାନ୍ଧୀନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ହାଇସ୍କୁଲରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅବଗତ କରାଯିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ରାୟଗଡା ଶିକ୍ଷା ଜିଲ୍ଳାରେ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଅନେକ ଯୋଜନାମାନ ପ୍ରଣୟନ କରିଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ । ସେହିପରି ଅନ୍ୟ ସମ୍ମାନୀତ ଅତିଥିଙ୍କ ମଧ୍ୟରେ ରାୟଗଡା ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ, ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଭଜନଲାଲ ମାଝି, ଏବିଇଓ ବଳରାମ ହୁଇକା, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଜି.ଡି.ଚୈାଧୁରୀ ପ୍ରମୁଖ ଯୋଗଦାନ କରିଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ବାତ୍ରିଆ ବାର୍ଷିକ ବିବରଣୀ ପାଠ କରିଥିଲେ । ବାର୍ଷିକ ଉତ୍ସବ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର କରାଯାଇଥିବା ବେଳେ ଶିକ୍ଷାବର୍ଷ ୨୦୨୨-୨୩ରେ ବିଦ୍ୟାଳୟର ସରକାରୀ ୩ୟ ଶ୍ରେଣୀ ଓ ୫ମ ଶ୍ରେଣୀର ୩ଜଣ ଲେଖାଁଏ ମୋଟ ୬ଜଣ ଛାତ୍ରୀ ବୃତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବାରୁ ସେମାନଙ୍କୁ ମଧ୍ୟ ମଂଚରେ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ କାର୍ଯ୍ୟକ୍ରମ ପରିଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ବାର୍ଷିକ ଉତ୍ସବ ସମାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି, ଶିକ୍ଷାବିତମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.