ଘାଟିମୁଣ୍ଡିଆଣୀ ଦେବୀଙ୍କ ବାର୍ଷିକ ମାଘ ମଣ୍ଡେଇ ଯାତ୍ରା 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରାଚୀନ କାଳରୁ କଳାହାଣ୍ଡି ଭୂଖଣ୍ଡ ତା’ର ନିଆରା ଧର୍ମଧାରା ସହ ଉନ୍ନତ କଳା ସଂସ୍କୃତି ପାଇଁ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଥାଏ। ଜିଲ୍ଲାର ଗ୍ରାମାଞ୍ଚଳରେ ଅନେକ ଦେବାଦେବୀ ପ୍ରାଚୀନ ପରମ୍ପରା ଅନୁକ୍ରମେ ଉପାସିତ ହେବା ସହ ସେମାନଙ୍କ ଯାତ୍ରା/ପର୍ବ ଅନୁଷ୍ଠିତ ହୋଇଥାଏ। ଏହି କ୍ରମରେ କୋକସରା ବ୍ଲକ ଗୋତମୁଣ୍ଡା ଠାରେ ମଙ୍ଗଳବାର ଦଣ୍ଡପାଟ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଘାଟିମୁଣ୍ଡିଆଣୀ ସର୍ବମଙ୍ଗଳା ଦେବୀଙ୍କ ବାର୍ଷିକ ମାଘ ମଣ୍ଡେଇ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଛି। ଏହି ଯାତ୍ରାଟି ମାଘ ପୂର୍ଣ୍ଣିମାର ପ୍ରଥମ ମଙ୍ଗଳବାର ଦିନ କେଉଁ ଆବହମାନ କାଳରୁ ଆଦିବାସୀ ପରମ୍ପରାରେ ପାଳିତ ହୋଇଆସୁଛି। ଚଳିତ ବର୍ଷ ଯାତ୍ରାରେ ଆମଗୁଡା, କନକପୁର, ଚେର୍ନିଦୁଆର, ବାଞ୍ଜିକୋଟ, ବୋରପଦର, କୁଲେରଗୁଡା, ପୋଡାଗୁଡା, ପିପଲଝାପର ସମେତ ବିଭିନ୍ନ ଗ୍ରାମର ଠାକୁରାଣୀ, ବସ୍ତରେନ ମାଉଳୀ, ବୁଢ଼ାରଜା, ବର୍ଶେଲ ମାଝୀ, ଧରୁଆବୁଢା, ଗୋଡେନ ମାତା ଆଦି ଦେବାଦେବୀଙ୍କ ଲାଠି କାଳିଶୀ ସାମିଲ ହୋଇଥିଲେ। ସମସ୍ତ ନିମନ୍ତ୍ରିତ ଦେବାଦେବୀଙ୍କ ଲାଠି କାଳିଶୀ ଏକତ୍ରିତ ହେବାପରେ ଯାତ୍ରା ଆରମ୍ଭ ହୋଇଥିଲା। ପ୍ରଥମେ ମନ୍ଦିର ନିକଟରେ ପାରମ୍ପରିକ ନିତି ଅନୁସାରେ ପୂଜାକାର୍ଯ୍ୟ ହୋଇ ମଣ୍ଡେଇ ପଡ଼ିଆ କୁ ଦେବା ଦେବୀଙ୍କ ଲାଠି କାଳିଶୀ ତିନି ଥର ପରିକ୍ରମା କରି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ। ଏହି ସମୟ ମଧ୍ୟରେ ଭକ୍ତମାନେ ଦେବାଦେବୀ ମାନଙ୍କୁ ଦର୍ଶନ କରିବା ସହିତ ଆଶ୍ରୀବାଦ ଭିକ୍ଷା କରି ନିଜ ତଥା ନିଜ ନିଜ ପରିବାରର ମଙ୍ଗଳ କାମନା କରିଥିଲେ। ପରେ ଦେବାଦେବୀଙ୍କ ଲାଠି କାଳିଶୀ ପୁଣି ମନ୍ଦିର ନିକଟକୁ ଫେରିଆସିଥିଲେ। ଦେବୀ ମା’ ଘାଟିମୁଣ୍ଡିଆଣୀ ସର୍ବମଙ୍ଗଳାଙ୍କ ଠାରେ ମାନସିକ ଧାରୀ ଭକ୍ତମାନେ ଶୁକ୍ଳ ଭୋଗ ଅର୍ପଣ କରିଥିବାବେଳେ ପାର୍ଶ୍ଵ ଦେବଦେବୀଙ୍କ ନିକଟରେ ରକ୍ତ ଭୋଗରେ ବଳୀ ଦିଆଯାଇଥିଲା। ବିଶ୍ଵାସ ରହିଛି ଏହି ମାଘ ମଣ୍ଡେଇ ଯାତ୍ରା ପାଳନ କଲେ ଏ ଅଞ୍ଚଳର ଲୋକେ ସୁଖରେ ଜୀବନ ଯାପନ କରିଥାନ୍ତି। ମୁଖ୍ୟ ପୁଝାରୀ ମନୋହର ପୁଝାରୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିବାବେଳେ ହିମାନ ପୁଝାରୀ, ଗଣନାଥ ପୁଝାରୀ, ତ୍ରୀନାଥ ମାଝୀ, ଶିରା ଅଖିଳ ମାଝୀ, ଘାଟିମୁଣ୍ଡିଆଣି ଶିରା ଦେବି ସିଂ ମାଝୀ, କଲାରେନ ଶିରା ବିର ମଙ୍ଗରାଜ, ପେଣ୍ଡ୍ରାଣୀ ଶିରା ଦୁର୍ଯୋଧନ ନାଗ ପ୍ରମୁଖ ଉପସ୍ଥିତ ରହିଥିଲେ। ପୂଜାକାର୍ଯ୍ୟ ପରିଚାଳନାରେ ରତନ ମାଝୀ, ପୂର୍ଣ୍ଣଚନ୍ଦ୍ର ନାଏକ, ତ୍ରିଲୋଚନ ହଂସ, କ୍ଷମା ମାଝୀ, ପାର୍ଥବ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ପରମାନନ୍ଦ ମାଝୀ, ରୋମାଞ୍ଚଲ ପୁଝାରୀ, ବଲରାମ ମାଝୀ, ସୁଶୀଲ ପୁଝାରୀ, ଭରତ ପୁଝାରୀ, ଗଣନାଥ ପୁଝାରୀ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ। ଚଳିତ ବର୍ଷ ଯାତ୍ରା ଦେଖିବା ପାଇଁ ଦଣ୍ଡପାଟ ଅଞ୍ଚଳ ସମେତ ପଡୋଶୀ ରାଜ୍ୟ ଛତିଶଗଡ ଓ ନବରଙ୍ଗପୁର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.