କଳାହାଣ୍ଡି,୨୨/୪ : ଆଧୁନିକ ମଞ୍ଚ ସହ ସଂଗୀତ ପାଇଁ ମ.ରାମପୁର ରାମଲୀଳା ମଂଚ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ସମସ୍ତ ଚରିତ୍ରର ଗୀତ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସନ୍ତୋଷ କୁମାର ଦୁବେ, ସରସ୍ୱତୀ ଦାସ, ଧୀରେନ୍ଦ୍ର କୁମାର ମହାନ୍ତି, ସ୍ମୃତିରେଖା ପାଢୀଙ୍କ ସୁଲଳିତ କଣ୍ଠରେ ପରିବେଷିତ ହେଉଛି । ତେବେ ଚଳିତବର୍ଷ ପ୍ରଥମ ଥର ପାଇଁ କୁନି କଣ୍ଠ ଶିଳ୍ପୀ ପିହୁ ପ୍ରିୟଦର୍ଶିନୀ ଦୁବେ (ମାମାଲି) ବିଭିନ୍ନ ନାରୀ ଚରିତ୍ରର ସଂଗୀତ ପରିବେଷଣ କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି ।
ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପଞ୍ଚମ ଶ୍ରେଣୀର ଛାତ୍ରୀ ମାମାଲି ତାଙ୍କ ସୁଲଳିତ କଣ୍ଠ ପାଇଁ ଅତି ଅଳ୍ପ ବୟସରେ ଢେର ସୁଖ୍ୟାତି ସାଉଁଟି ପାରିଛନ୍ତି । ମ.ରାମପୁର ସହରର କଣ୍ଠଶିଳ୍ପୀ ସନ୍ତୋଷ କୁମାର ଦୁବେ ଏବଂ ସଂଯୁକ୍ତା ଦୁବେଙ୍କ କନିଷ୍ଠା କନ୍ୟା ମାମାଲି (ଜନ୍ମ:୨୦-୧୦-୨୦୦୯) । ଶ୍ରୀ ରାମଲୀଳା ମହୋତ୍ସବ ପ୍ରଦର୍ଶିତ ଅଯୋଧ୍ୟା କାଣ୍ଡର ମନ୍ଥରା ଚରିତ୍ରର ଗୀତ ଖୁବ୍ ନିଆରା ତଥା ଚମତ୍କାର ଥିଲା । ଏକାଧାରରେ ଜଣେ ନୃତ୍ୟଶିଳ୍ପୀ, କଣ୍ଠଶିଳ୍ପୀ, ଚିତ୍ରଶିଳ୍ପୀ ମାମାଲି ଆଗାମୀ ଦିନରେ ଏହି ରାମଲୀଳା ମହୋତ୍ସବର କେନ୍ଦ୍ରୀୟ କଣ୍ଠଶିଳ୍ପୀ ସାଜିବେ ବୋଲି କଳାକାର ମହଲରେ ଆଲୋଚନା ହେଉଛି ।