ଗଳ୍ପ : ମୋତେ ଏଠୁ ନେଇଯାଅ ମାଁ

ନିଳାକ୍ଷୀ ରଥ

ଦିନ ଦି ପହର । ଘରର ଯାବତୀୟ କାମ ସାରି ଖରାବେଳେ ଟିକେ ବିଶ୍ରାମ ନେବି ବୋଲି ଖଟରେ ଗଡ଼ି ପଡ଼ିଲି । ହଠାତ କୁଆଡ଼ୁ ବିଲେଇଟିଏ ଆସି ଚାଉଳ ଟିଣ ଦେଇ ଘରର ଛାୟା ଉପରକୁ ଚଢିଗଲା । ଛୋଟିଆ ଭଡ଼ାଘର, ସ୍ଥାନ ଅଭାବରୁ ଚାଉଳଟିଣ,ଆଲମିରା ସବୁ ବେଡ଼ରୁମ୍ ରେ । ମୁଁ ତାକୁ ତଡ଼ିବାକୁ ଚେଷ୍ଟା କରୁ କରୁ ଦେଖିଲି ସେ ଗର୍ଭବତୀ । ମୋତେ ଭୟ ଲାଗିଲା । କାଳେ ପଡ଼ିଯିବ । ତା ପେଟରେ ଆଘାତ ଲାଗିବି । ନିଜକୁ ଏପରି କରିବାରୁ କ୍ଷାନ୍ତ ହେଲି । ଆରାମରେ ଚଢିଗଲା ସେ । କିଛି ସମୟପରେ ପ୍ରାୟ ଦଶ ପନ୍ଦର ମିନିଟପରେ ପୁଣି ଓହ୍ଲେଇ ଆସିଲା । ଏବେ କିନ୍ତୁ ତା ପେଟ ଖାଲି ଥିଲା । ସଦ୍ୟ ପ୍ରସବ କରି ସେ ଫେରିଆସିଥିଲା ସୁରକ୍ଷିତ ଭାବରେ । କିଛି ଦିନ ପୂର୍ବରୁ ପେକିଂ ହେଇଆସିଥିବା କୁଲରର ସୋଲ ସବୁ ଛାୟାର ଉପରେ ରଖାଯାଇଥିଲା ଭବିଷ୍ୟତରେ କିଛି କାମରେ ଆସିପାରେ ବୋଲି । ହସପିଟାଲର ବେଡ଼ ପାଲଟି ଯାଇଥିଲା ବିଲେଇଟି ପାଇଁ ତାହା । ମୁଁ ଆଶ୍ଚର୍ଯ୍ୟ ହେଲି । ଆଉ ଭାବିଲି, ପ୍ରକୃତରେ ସୃଷ୍ଟିରେ ମଣିଷ ହିଁ ହେଉଛି ସବୁଠୁ ଅସହାୟ ପ୍ରାଣୀ । ପଶୁପକ୍ଷୀମାନଙ୍କୁ ଭଗବାନ ଅନେକ କ୍ଷମତା ଦେଇଛନ୍ତି । ପ୍ରତିକୂଳ ପରିସ୍ଥିତିରେ ସେମାନେ ନିଜେ ନିଜକୁ ରକ୍ଷା କରିବା । ମଣିଷ ମାଁ ଟିଏ ହେଇଥିଲେ ଘରେ ସମସ୍ତେ କେତେ ଯେ ବ୍ୟସ୍ତ ହେଇଥାନ୍ତେ ସତେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଲେଇଟି ନିଶ୍ଚିନ୍ତରେ ଚାଲିଗଲା ପୁଣି ସନ୍ଧ୍ୟାବେଳେ ଆସି ଉପରକୁ ଯାଇ ଛ୍ରୁଆମାନଙ୍କୁ ସନ୍ତ୍ୟପାନ କରାଇଦେଇ ଆସିଲା । ପରଦିନ ଦିପହରେ ଆସି ସେମାନଙ୍କୁ ଖୁଆଇଦେଇ ଚାଲିଗଲା । ଏହିପରି ମଝି ମଝିରେ ଆସି ସେମାନଙ୍କୁ ଦେଖିଦେଇ ପୁଣି କୁଆଡ଼େ ଚାଲିଯାଏ । ଦୁଇଦିନ ହେଇଗଲା । ଏବେ ମୁଁ ରାତିରେ ବି ରୁମର କବାଟ ଆଉ ଦଉନି । କାଳେ କେତେବେଳେ ସିଏ ଆସିବ ତା ଛୁଆମାନଙ୍କୁ ଖୁଆଇଦେଇ ଯିବ । ତାର ସେ ଆସି ସେମାନଙ୍କୁ ଦେଖିଦେଇ ଯାଏ । ମୋର ଉପସ୍ଥିତି ତା ଉପରେ କିଛି ପ୍ରଭାବ ପକାଏ ନାହିଁ । ଯେମିିତି ତାର କର୍ତ୍ତବ୍ୟ ନିକଟରେ ସାରା ଦୁନିଆଁର କୌଣସି ବି କାର୍ଯ୍ୟ ଗୁରୁତ୍ୱ ରଖେନି । ତୃତୀୟ ଦିନ ହଠାତ ଦେଖିଲି ଛୁଆଟି ତଳେ ପଡ଼ିଯାଇଛି ଆଉ ଅସ୍ପଷ୍ଟ ଭାବରେ ରାବ କରୁଛି । ଆଖି ଖୋଲି ନଥିବା ଛୁଆଟି ତଳରେ ଏପଟ ସେପଟ ଘୁଷୁରୁଛି । କ’ଣ କରିବି କିଛି ଭାବି ପାରିଲି ନାହିଁ । ଏତେ ଉପରୁ ପଡ଼ିଛି ଛୁଆଟା । କଣ ହେଇଥିବ, ବଂଚିବ କି ନାହିଁ । ଭାବିଲି ତାକୁ ତାଜା ଉପରେ ରଖିଦେବି । ପୁଣି ମନେ ପଡ଼ିଲା, ମଣିଷ ହାତ ଲାଗିଲେ ପଶୁମାନେ କାଳେ ଆଉ ନିଜର ଛୁଆ ହେଲେ ବି ତାକୁ ଆଉ ଗ୍ରହଣ କରନ୍ତିନାହିଁ । ଧୀର ଭାବରେ ମୁଁ ଖଟରେ ଶୋଇରହି କେବଳ ତାକୁ ମଝି ମଝିରେ ଲକ୍ଷ୍ୟ କରୁଥାଏ । ମୋର ମନ ମାନୁନଥାଏ । କିଛି ସମୟ ପରେ ମାଁ ବିଲେଇଟି ଆସିଲା । ଆଉ ଅତି ସହଜରେ ଛୁଆଟିକୁ ବେକ ପାଖରେ ଧରି ଉଠେଇନେଇ ପୁଣି ରଖିଦେଲା ଛାୟା ଉପରେ । ମୁଁ ଶାନ୍ତିର ନିଃଶ୍ୱାସ ନେଲି । ପରଦିନ ପୁଣି ଦେଖିଲି ଶିଶୁ ବିଲେଇଟି ଆଉଥରେ ତଳେ ପଡ଼ିଯାଇଛି । ସେଦିନ ପୁଣି ସେଇ ସମାନ ଘଟଣା । ବିଲେଇଟି ଆସିଲା,ଛୁଆଟିକୁ ବେକପାଖରେ ଧରି ଅତି ଯତ୍ନରେ ଛାୟା ଉପରେ ରଖିଦେଲା । ଏଇଭଳି କ୍ରମାଗତ,ଚାରିଥର ସେଇ ସମାନ ଢଙ୍ଗରେ ଛୁଆଟି ତଳେ ପଡ଼ିଯାଏ, ମାଁ ବିଲେଇଟି ପୁଣି ଉପରେ ରଖିଦିଏ । ମତେ ବହୁତ ବିରକ୍ତ ଲାଗିଲା । ରାଗରେ ମୋ ପାଟିରୁ ବାହାରିଗଲା, ମାଁ ନା ଡାହାଣୀ । ବାରମ୍ବାର ଛୁଆଟି ତଳେ ପଡ଼ୁଛି, ପୁଣି ତାକୁ ନେଇ କ’ଣପାଇଁ ଉପରେ ସେ ରଖୁଛି । ଏମିତିରେ ସେ ଛୁଆଟି ମରିଯିବନି କିଛି ବି ବୁଝି ପାରୁନି, ସତରେ ପଶୁ ମାନେ ପଶୁ । ତାପରେ ଭାବିଲି ମାଁ ସେ, ତା ବୁଦ୍ଧିରେ ତା ଛୁଆକୁ ସେ ନିରାପଦ ସ୍ଥାନରେ ରଖୁଛି । କିନ୍ତୁ ସେ ଭାବି ପାରୁନି ସେଥିରେ ସେ କେତେ କଷ୍ଟ ପାଉଛି ।

Udyog Nursery
Udyogi Nursery

ହଠାତ ମୋ ଆଖି ସାମ୍ନାର ଦୃଶ୍ୟପଟ୍ଟ ବଦଳିଗଲା । ଶିଶୁ ବିଲେଇ ସ୍ଥାନରେ ମୁଁ ଦେଖିଲି ଭଲରେ ଖାଇଜାଣିନଥିବା, ନିଜ ବହିପତ୍ର ରଖି ପାରୁନଥିବା,ଯୋତାର ଫିତା ବାନ୍ଧି ପାରୁନଥିବା, ମାଁ ମାଁ ବୋଲି ଡ଼ାକି ସବୁବେଳେ ଚାରିପଟେ ଗୁଡ଼େଇ ହେଇଯାଉଥିବା ସପ୍ତମ ଶ୍ରେଣୀରେ ପଢୁଥିବା ମୋ ପୁଅ । ଭବିଷ୍ୟତରେ ସାରା ଦୁନିଆ ସହିତ ତାଳଦେଇ ଚାଲିବାରେ ସକ୍ଷମ କରିବାର ଦ୍ୱାହିଦେଇ, ତାର ସୁନ୍ଦର ଭବିଷ୍ୟତଟି ପାଇଁ କିଛି ଦିନ ପୂର୍ବରୁ ତାକୁ ବୋର୍ଡ଼ିଂ ସ୍କୁଲରେ ଛାଡ଼ିଆସିଛି । ଛାୟା ପାଲଟି ଯାଇଛି ହଷ୍ଟେଲର ରୁମରେ ପଡ଼ିଥିବା ଥାକ ବିଶିଷ୍ଠ ବେଡ଼ । ବିଲେଇର ମୁହଁ ତ ଠିକ ମୋ ଭଳି ଦେଖାଯାଉଛି । ଆଉ ଶିଶୁ ବିଲେଇଟି ହାତଠାରି ସତେ ଯେମିିତି କହୁଛି, – ମୋତେ ଏଠୁ ନେଇଯାଅ ମାଁ, ମୋତେ ଏଠି ଭଲ ଲାଗୁନି । ମୁଁ ଆଉ ନିଜକୁ ସମ୍ଭାଳି ପାରିଲିନି ଭୋ କିନା କାନ୍ଦି ଉଠିଲି ।

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.