ରାୟଗଡାରେ ମ୍ୟାଲେରିଆ ରୋକିବା ପ୍ରକ୍ରିୟାରେ ଝାଉଁଳି ପଡିଛି ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ

• ୨୦୨୧ ବର୍ଷ ତୁଳନାରେ ଗତ ବର୍ଷ ୨୧୧୨ଟି ଅଧିକା ପଜିଟିଭ୍ ରୋଗୀ ଚିହ୍ନଟ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ମ୍ୟାଲେରିଆ ନିରାକରଣ ପାଇଁ ରାୟଗଡା ଜିଲ୍ଳାରେ ଆରମ୍ଭ ହୋଇଥିଲା ପ୍ରୋଜେକ୍ଟ ‘ଦମନ’। ହେଲେ ବିଡମ୍ବନାର ବିଷୟ କିଛିଟା ବର୍ଷରେ ନିରାକରଣ କରିବାରେ ସଫଳ ହୋଇଥିବା ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ସଚେତନତା କାର୍ଯ୍ୟକ୍ରମ ସ୍ଥଗିତ ହୋଇ ପଡିଥିବାରୁ ଏବେ ଜିଲ୍ଳାରେ ବୃଦ୍ଧି ପାଇଛି ମ୍ୟାଲେରିଆ ରୋଗୀଙ୍କ ତାଲିକା। ଯାହାକୁ ନେଇ ଜିଲ୍ଳାବାସୀ ଚିନ୍ତାରେ ଥିବା ବେଳେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ପାଇଁ ପୁଣି ସଜବାଜ ହେବ ବୋଲି ଆଲୋଚନା କରୁଛି ସ୍ୱାସ୍ଥ୍ୟ ବିଭାଗ। ବିଗତ ବର୍ଷଗୁଡିକରେ ସର୍ବଭାରତୀୟ ସ୍ତରରେ ଓଡିଶାର ରାୟଗଡା ଜିଲ୍ଳା ମ୍ୟାଲେରିଆ ପ୍ରବଣ ଅଂଚଳ ଭାବେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ତଥା ଜିଲ୍ଳା ପ୍ରଶାସନର ଦମନ କାର୍ଯ୍ୟକ୍ରମ ଏତେ ମାତ୍ରାରେ ସଫଳ ହେଲା ଯେ ଜିଲ୍ଳାରେ ମ୍ୟାଲେରିଆ ରୋଗୀଙ୍କ ତାଲିକା ହ୍ରାସ ପାଇଗଲା। ଯାହାକୁ ନେଇ ରାଜ୍ୟ ତଥା ଜାତୀୟ ସ୍ତରରେ ମ୍ୟାଲେରିଆ ନିରାକରଣ ପାଇଁ ପୁରସ୍କୃତ ହେଲା ରାୟଗଡା ଜିଲ୍ଳା। ତେବେ ବିଗତ ବର୍ଷରେ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ଆଉ ଏବେ ଦେଖାଯାଉ ନ ଥିବାରୁ ଜିଲ୍ଳାରେ ପୁଣି ଧୀରେ ଧୀରେ ବୃଦ୍ଧି ପାଉଛି ମ୍ୟାଲେରିଆ ଭଳି ମାରାତ୍ମକ ରୋଗ। ବିଶେଷ କରି ପୈାରାଂଚଳ ଠାରୁ ଆରମ୍ଭ କରି ଗ୍ରାମାଂଚଳ ସବୁ ଠାରେ ନାଳନର୍ଦ୍ଦମା ଗୁଡିକ ଠିକ୍ ଭାବରେ ସଫାସୁତୁରା ନ ହେବା ସହ ବିଭିନ୍ନ ସ୍ଥାନରେ ଅଳିଆ ଆର୍ବଜନା ପଡି ରହିଥିବାରୁ ଅପରିଷ୍କାର ପାଣି ଜମି ରହୁଥିବା ସ୍ଥାନରେ ମ୍ୟାଲେରିଆ ମଶାର ପ୍ରାର୍ଦୁଭାବ ବଢୁଛି। ଯାହାକି ସିଧା ସଳଖ ପୈାର ସଂସ୍ଥା ଓ ପଂଚାୟତ କାର୍ଯ୍ୟାଳୟର ସଫେଇ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ରାୟଗଡା ଜିଲ୍ଳାରେ ଗତ ୨୦୨୨ ବର୍ଷରେ ଜାନୁଆରୀ ଠାରୁ ଡିସେମ୍ବର ମାସ ମଧ୍ୟରେ ଜିଲ୍ଳାରେ ୪,୮୫,୮୦୭ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିବା ବେଳେ ଏଥିରୁ ୪୮୬୦ଜଣଙ୍କ ନମୂନାରେ ମ୍ୟାଲେରିଆ ପଜିଟିଭ୍ ବାହାରି ଥିଲା। ସେହିପରି ଗତ ୨୦୨୧ବର୍ଷରେ ୩,୯୪,୧୯୧ଜଣଙ୍କ ନମୂନା ମଧ୍ୟରୁ ୨୭୪୮ଜଣଙ୍କ ଠାରେ ପଜିଟିଭ୍ ମାମଲା ଦେଖିବାକୁ ମିଳିଥିଲା। ଯାହାକି ୨୦୨୧ବର୍ଷ ତୁଳନାରେ ଗତ ବର୍ଷ ୨୧୧୨ଟି ଅଧିକ ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକି ପୁଣି ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଥିବା ଅତିରିକ୍ତ ଜିଲ୍ଳା ଜନସ୍ୱାସ୍ଥ୍ୟ ଅଧିକାରୀ (ମ୍ୟାଲେରିଆ) ଡାକ୍ତର ବି.ଲକ୍ଷ୍ମୀ ନାରାୟଣ ପୃଷ୍ଟି ପ୍ରକାଶ କରିଛନ୍ତି। ତେବେ ବିଗତ ୨୦୧୫-୧୬ ବର୍ଷ ତୁଳନାରେ ବର୍ତମାନ ପରିସ୍ଥିତି ଭଲ ରହିଥିବା ବେଳେ ୨୦୨୧ ବର୍ଷ ତୁଳନାରେ ଗତବର୍ଷ ପରିସ୍ଥିତିରେ ପରିବର୍ତ୍ତନ ହୋଇଥିବା ନେଇ ଡାକ୍ତର ଶ୍ରୀ ପୃ୍‌ଷ୍ଟି କହିଛନ୍ତି। ଏଥିସହ ମ୍ୟାଲେରିଆ ନିରାକରଣ ଦିଗରେ ପୁଣି ଥରେ କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରିବାକୁ ହେବ ବୋଲି ମଧ୍ୟ କହିଛନ୍ତି। ସେହିପରି ୨୦୨୦ ଫେବୃଆରୀ ମାସରେ ସମ୍ପ୍ରତି ଜିଲ୍ଳାରେ ଔଷଧ ଲଗା ମଶାରୀ ବଂଟନ କରାଯାଇଥିବା ବେଳେ ବର୍ତମାନ ଏହି ୩ ବର୍ଷ ଭିତରେ ବଂଟନ ହୋଇଥିବା ମଶାରୀଗୁଡିକ ଚିରାଫଟା ହୋଇସାରିଥିବା ବେଳେ ବ୍ୟବହାର ହେଉଥିବା ମଶାରୀକୁ ଲୋକେ ଧୋଇବା ଦ୍ୱାରା ସେଥିରେ ଥିବା ଔଷଧୀୟ ଗୁଣ ନଷ୍ଟ ହୋଇଯାଇଥିବାରୁ ମଶାଙ୍କ ପ୍ରାର୍ଦୁଭାବ ବୃଦ୍ଧି ପାଇଛି। ତେଣୁ ତାକୁ ହ୍ରାସ କରିବା ପାଇଁ ସରକାରଙ୍କ ନିକଟକୁ ପୁଣି ଥରେ ନୂଆ ମଶାରୀ ବଂଟନ ନିମନ୍ତେ ଚିଠି କରାଯାଇଥିବା ବେଳେ ଚଳିତ ବର୍ଷ ମଶାରୀ ବଂଟନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ଡାକ୍ତର ଶ୍ରୀ ପୃଷ୍ଟି ପ୍ରକାଶ କରିଛନ୍ତି। ମଶାରୀ ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନତା କରାଯାଉଥିବା ବେଳେ ଜ୍ୱର ଲକ୍ଷଣ ଦେଖାଗଲେ ନିକଟସ୍ଥ ଆଶାଦିଦିମାନଙ୍କ ଠାରେ ଥିବା ପରୀକ୍ଷା କିଟ ଦ୍ୱାରା ତଥା ଜ୍ୱର ଚିକିତ୍ସା କେନ୍ଦ୍ରକୁ ଯାଇ ରକ୍ତ ପରୀକ୍ଷା କରି ମ୍ୟାଲେରିଆ ପଜିଟିଭ୍ ହେଲେ ଔଷଧ ସେବନ ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ପୃ୍‌ଷ୍ଟି। ତେବେ ରାୟଗଡା ବ୍ଳକର ଅନେକ ଗାଁ ଗହଳିରେ ଥିବା ନାଳ ନର୍ଦ୍ଦମା ସଫା ସୁତୁରା ହେଉ ନ ଥିବାରୁ ସେଠାରେ ମଶାଙ୍କ ପ୍ରାର୍ଦୁଭାବ ବୃଦ୍ଧି ପାଉଛି। ତଥାପି ଲୋକଙ୍କୁ ମଶାରୀର ବ୍ୟବହାର ପାଇଁ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରିବା ପାଇଁ ପଂଚାୟତବାସୀଙ୍କୁ ସଚେତନ କରାଉଛୁ ବୋଲି ରାୟଗଡା ପଂଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.