ଗର୍ଜିଲେ ଶିକ୍ଷକ, ଆନ୍ଦୋଳନ ଜୋରଦାର ହେବ

• ଜିଲ୍ଲାର ସମସ୍ତ ବ୍ଲକରେ ଆନ୍ଦୋଳନର ବିଗୁଲ୍ ବାଜିବ -ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନୂତନ ପେନସନଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ, କଳାହାଣ୍ଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭବାନୀପାଟଣା ଠାରେ ସଭାପତି ପ୍ରଫୁଲ୍ଲ କୁମାର ଠାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସଙ୍ଘର ସାଧାରଣ ସଂପାଦକ ବଙ୍କିମ ସାଗର ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସଂଘର ଦେଢ଼ ଲକ୍ଷ ନୂତନ ପେନସନଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବର ନିନ୍ଦା କରି ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଥିଲେ। ରାଜ୍ୟ ସଂଘ କାର୍ଯ୍ୟକାରୀ କମିଟିର ସଭ୍ୟ ରଘୁନାଥ ପୁରୀ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହି ଆଗାମୀ ଦିନରେ ରାଜ୍ୟ ସଂଘର ଆନ୍ଦୋଳନାତ୍ମକ ପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା ୬ ତାରିଖରୁ ନୂତନ ପେନସନଭୁକ୍ତ ସମସ୍ତ ଶିକ୍ଷକ ଦାବି ପୂରଣ ନହେଲା ପର୍ଯ୍ୟନ୍ତ କଳା ବ୍ୟାଜ ପରିଧାନ କରିବା ଏବଂ ୧୦ ତାରିଖ ଦିନ ସମସ୍ତ ବ୍ଲକରେ ପ୍ରତିବାଦ ସଭା କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବ। ୧୫ ତାରିଖରୁ ରାଜଧାନୀ ରାଜରାସ୍ତାରେ ଦାବି ପୂରଣ ନହେବା ଯାଏଁ ଅହୋରାତ୍ର ଧାରଣା ଦିଆଯିବ ବୋଲି ସାଧାରଣ ସଂପାଦକ ବୈକୁଣ୍ଠ ଜାଲ ସୂଚନା ଦେଇଥିଲେ। ନଭେମ୍ବର ମାସରେ ହୋଇଥିବା ଆନ୍ଦୋଳନ ସତ୍ତ୍ୱେ ସରକାର କିପରି ନୂତନ ପେନସନଭୁକ୍ତ ଶିକ୍ଷକଙ୍କ ପ୍ରତି ଅବହେଳା ଓ ବୈମାତୃକ ମନୋଭାବ ପୋଷଣ କରିଛନ୍ତି, ତାହାର ତୀବ୍ର ପ୍ରତିବାଦ କରାଯାଇଥିଲା। ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଘୋଷଣା ପରେ ପରେ ଯଦିଓ ଅନ୍ୟ ଚୁକ୍ତିଭିତ୍ତିକ କର୍ମଚାରୀ ଉପକୃତ ହେବେ, ମାତ୍ର ନୂତନ ପେନସନଭୁକ୍ତ ଶିକ୍ଷକମାନଙ୍କ ପାଇଁ ଏହା ଏକ ଅଭିଶାପ। ନା ମିଳିବ କୌଣସି ସୁବିଧା ନା ଦରମାରେ ଅଭିବୃଦ୍ଧି। ତେଣୁ ନିଜର ହକ ପାଇଁ ବିଭିନ୍ନ ଦାବି ଯଥା- ୬ବର୍ଷର ଠିକା ନିଯୁକ୍ତିକୁ ମୂଳ ଚାକିରୀରେ ଗଣନା, ୬ଟି ଇନକ୍ରିମେଣ୍ଟ ପ୍ରଦାନ, ୨୮୦୦ ଗ୍ରେଡ ପେ ପ୍ରଦାନ, ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ପ୍ରଚଳନ ଆଦି ପ୍ରସଙ୍ଗକୁ ନେଇ ସଂଘ ପକ୍ଷରୁ ଆଗାମୀ ୬ ମାର୍ଚ୍ଚରୁ ଆନ୍ଦୋଳନ ଜୋରଦାର କରିବାକୁ ଉପଦେଷ୍ଟା ମଣ୍ଡଳୀ ମହମ୍ମଦ ଜାକିର, ମନୋଜ ପଣ୍ଡା ନିଜ ନିଜ ମନ୍ତବ୍ୟ ପ୍ରଦାନ କରିବା ସହ କଳାହାଣ୍ଡିରୁ ଆନ୍ଦୋଳନର ପ୍ରଥମ ବିଗୁଲ ବାଜିବ ବୋଲି ଘୋଷଣା କରିଥିଲେ। ଜିଲ୍ଳା ସାଂଗଠାନିକ ସମ୍ପାଦକ ଅଜିତ କୁମାର ପ୍ରଧାନ ଏବଂ କାର୍ଯ୍ୟକାରୀ ସଭାପତି ବିଶ୍ୱଜିତ ବେହେରା ସମସ୍ତ ବ୍ଲକର କର୍ମକର୍ତ୍ତାଙ୍କ ନିକଟରେ ଆନ୍ଦୋଳନର ବାର୍ତ୍ତା ଦେଇ ଆଗାମୀ ପିଢ଼ି ପାଇଁ ଏହି ଆନ୍ଦୋଳନ ଇତିହାସ ସୃଷ୍ଟି କରିବ ବୋଲି କହିଥିଲେ। ଏହି ବୈଠକରେ ସମସ୍ତ ବ୍ଲକର କର୍ମକର୍ତ୍ତା ସହିତ ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘର ପ୍ରତିନିଧି ଶୁଭ୍ରାଂଶୁ ଖଟୁଆ, ଧର୍ମଗଡ ବ୍ଲକର ଗିରିଧାରୀ ସାହୁ, ଜୁନାଗଡରୁ ଗୋଦାବରୀଶ ପଣ୍ଡା, ଗୋଲାମୁଣ୍ଡାରୁ ଶିବରାମ ସୁନାନୀ, ନର୍ଲାରୁ ଶରତ ଭୋଇ, ରମଣୀ ଦୁର୍ଗା, ଧନଞ୍ଜୟ ସାହୁ, ମଙ୍ଗଳ ତାଣ୍ଡି, ଦୁର୍ଗା ଆଚରୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ନାରାୟଣ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.