ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଘୋଡ଼ାବନ୍ଧ ଗ୍ରାମ ପଞ୍ଚାୟତ ଯାଦବ ସମାଜ ପକ୍ଷରୁ ଚାଲିଥିବା ଦୋଳ ଉତ୍ସବ ଆଜି ପୂର୍ଣ୍ଣାହୁତି ଓ ହୋଲି ଖେଳ ସହ ଉଦଯାପିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଘୋଡ଼ାବନ୍ଧ ଗ୍ରାମପଞ୍ଚାୟତର ବ୍ରାହ୍ମଣୀ, ଧଅଁରାମାଲ, ଘୋଡ଼ାବନ୍ଧ, ଯୋଡାବନ୍ଧ, ଲମସିଆଁ ଆଦି ଗ୍ରାମର ଯାଦବ ସମାଜ ପକ୍ଷରୁ ୪ଦିନଧରି ଏହି ମହୋତ୍ସବ ଆୟୋଜିତ ହୋଇଥିଲା। ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ଅଧିବାସ, ସଂକିର୍ତ୍ତନ୍ୟ, ପୂରାଣ ପଠନ, ହୋମ ଯଜ୍ଞ, ବାଡିଖେଳ, ଯାଦବ ସମ୍ମିଳନୀ ଓ ମଙ୍ଗଳବାର ରାତିରେ ବଲାଙ୍ଗୀର ଜିଲ୍ଲା ଚନ୍ଦ୍ରପୁରର ମିକ୍ସର ରାମଲିଳା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମର କର୍ତ୍ତା ଭାବରେ ଜିତେନ୍ଦ୍ର ହାତୀ ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ହାତୀ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ। ଘୋଡ଼ାବନ୍ଧ ଆଞ୍ଚଳିକ ଯାଦବ ସମିତି ସଭାପତି ଜୟଚନ୍ଦ୍ର ହାତୀ ଓ ସାଧାରଣ ସମ୍ପାଦକ ରାଜିବ ଲୋଚନ ପୋଢଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ମହୋତ୍ସବରେ ପଞ୍ଚାୟତର ସମସ୍ତ ଗ୍ରାମର ଯାଦବ ସମାଜ ସହଯୋଗ କରିଥିଲେ।