ଟ୍ରେନରୁ ଖସିପଡି ମହିଳା ମୃତ : ଟ୍ରାକ କଡରେ ୭ ଘଣ୍ଟା ପଡିରହିଲା ଶବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ଼ ରେଳ ଷ୍ଟେସନରୁ ପ୍ରାୟ ୨ କିମି ଦୂର ଲାଞ୍ଜିଗଡରୋଡ ଷ୍ଟେସନ ଅଭିମୁଖେ ଉଲିସିର୍କା ଫାଟକ ପାଖରେ ଜଣେ ମହିଳା(୪୫)ଙ୍କ ଶବ ଦ୍ୱିତୀୟ ଓ ତୃତୀୟ ରେଳଟ୍ରାକ୍ ପାର୍ଶ୍ଵରେ ପଡିରହିଥିବା ଦେଖିବାକୁ ମିଳିଛି । କିଛି ସ୍ଥାନୀୟ ବ୍ୟକ୍ତିଙ୍କ କହିବାନୁଯାୟୀ ମଧ୍ୟାହ୍ନ ୧ ଟା ବେଳେ ଆସୁଥିବା ଜଗଦଲପୁର- ହାୱଡା (୧୮୦୦୬) ସମଲେଶ୍ୱରୀ ଏକ୍ସସପ୍ରେସ୍ ଟ୍ରେନରୁ ଦିନ ଗୋଟାଏ ବେଳେ ମହିଳା ଜଣକ ଖସିପଡିଥିଲେ । ମୃତ ମହିଳାଙ୍କ ମୁଣ୍ଡ ପଛପାଖରେ ଗଭୀର ଆଘାତ ଲାଗିଥିବା ଜଣାପଡୁଥିବା ବେଳେ ତାଙ୍କ ଡାହାଣ ଗୋଡରେ ମଧ୍ୟ ଗୁରୁତର ଆଘାତ ଲାଗିଥିବା ଜଣାପଡୁଛି । ମହିଳା ଟ୍ରେନରୁ ଖସିପଡିବା ପରେ ତାଙ୍କ ସ୍ୱାମୀ ଚେନ ପୁଲିଙ୍କ କରି ଟ୍ରେନ ଅଟକାଇ ସ୍ତ୍ରୀଙ୍କ ନିକଟକୁ ଯାଇଥିଲେ । ହେଲେ ସେତେବେଳେ ମହିଳା ଜଣକ ମରିଯାଇଥିବା କୁହାଯାଉଛି । ମୃତ ମହିଳାଙ୍କ ସ୍ୱାମୀ ତାଙ୍କର ୪ ବର୍ଷର ଶିଶୁକୁ ସାଙ୍ଗରେ ନେଇ ନର୍ଲାରୋଡ ଷ୍ଟେସନକୁ ଯାଇ ଷ୍ଟେସନ ମାଷ୍ଟରଙ୍କୁ ଜଣାଇବା ପରେ ନର୍ଲାରୋଡ ଷ୍ଟେସନ ମାଷ୍ଟର ତୁରନ୍ତ ଟିଟିଲାଗଡ ରେଳବାଇ ପୋଲିସକୁ ଫୋନକରି ସୂଚନା ଦେଇଥିଲେ ବୋଲି ଷ୍ଟେସନ ମାଷ୍ଟର ବି.ଆର ମେହେର ମତବ୍ୟକ୍ତ କରିଛନ୍ତି । ନର୍ଲାରୋଡ ଷ୍ଟେସନ ତରଫରୁ ରେଳବାଇ ପୋଲିସ୍ ଟିଟିଲାଗଡ କୁ ଖବର କରାଯାଇଥିଲେ ମଧ୍ୟ ସଂଧ୍ୟା ୭ ଟା ଯାଏଁ ପହଞ୍ଚି ନଥିଲେ ରେଳବାଇ ପୋଲିସ୍ । ଶବ ଟ୍ରାକ କଡରେ ଦିନ ତମାମର ପ୍ରବଳ ଖରାରେ ପଡିରହିଥିବା ବେଳେ ଏକ ଚାରି ଜଣିଆ ରେଳବାଇ ପୋଲିସ୍ ଟିମ ଏଏସଆଇ ଡି.ଡିଙ୍ଗଡୁଙ୍ଗ, ଏଏସଆଇ ବି.ସିକ୍କା, କନଷ୍ଟେବଲ ମୃତ୍ୟୁଞ୍ଜୟ ଭଞ୍ଜ ରାତି ୭.୩୦ ରେ ଆସି ପହଞ୍ଚିଥିଲେ ଘଟଣା ସ୍ଥଳରେ । ନର୍ଲାରେ ଶବ ବ୍ୟବଚ୍ଛେଦ କେନ୍ଦ୍ର ନଥିବାରୁ ରାତି ୮ ସମୟରେ ରେଳବାଇ ପୋଲିସ୍ ମହିଳାଙ୍କ ଶବ, ତାଙ୍କ ସ୍ୱାମୀ ଓ ଛୁଆକୁ ସାଙ୍ଗରେ ନେଇ ଟିଟିଲାଗଡ ଚାଲିଯାଇଥିଲେ । ହେଲେ ନର୍ଲାରୋଡ ଷ୍ଟେସନ ମାଷ୍ଟରଙ୍କ ତରଫରୁ ତୁରନ୍ତ ସୂଚନା ପ୍ରଦାନ କରାଯାଇଥିଲେ ମଧ୍ୟ ରେଳବାଇ ପୋଲିସ୍ ଦୀର୍ଘ ୭ ଘଣ୍ଟା ବିଳମ୍ବରେ ପହଂଚିବା ଭଳି ଦାଇତ୍ୱହୀନ କାର୍ଯ୍ୟକୁ ସାଧାରଣରେ ସମାଲୋଚନା କରାଯାଉଛି । ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ । ଏମାନେ ଛତିଶଗଡର ବାସିନ୍ଦା । ମହିଳା ଜଣଙ୍କର ମାନସିକ ସ୍ଥିତି ଠିକ ନଥିବା ତାଙ୍କ ସ୍ୱାମୀ ମତବ୍ୟକ୍ତ କରିଛନ୍ତି । ଏମାନେ ପେଟ ପାଟଣା ପାଇଁ ଆନ୍ଧ୍ର ପ୍ରଦେଶ କୁ ଯାଇଥିଲେ । ଫେରିବା ସମୟରେ ଟ୍ରେନରୁ କସିପଡି ମହିଳା ଜଣଙ୍କର ମୃତ୍ୟୁ ଘଟିଛି । ଯେହେତୁ ମହିଳାଙ୍କ ନିକଟରେ ଟିକେଟ ରହିଛି । ତେଣୁ କେନ୍ଦ୍ର ସରକାରଙ୍କ ତରଫରୁ ସହ ଯୋଗ ରାଶି ପାଇବେ ବୋଲି ରେଳବାଇ ପୋଲିସ୍ ଏଏସଆଇ ଶ୍ରୀ ଡୁଙ୍ଗଡୁଙ୍ଗ ସୁଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.