ଶରୀରରେ ଟାଟୁ କଲେ କାରଗିଲ ସହୀଦଙ୍କ ନାମ

ସହୀଦଙ୍କ ପ୍ରତି ଜଣେ ଯୁବକଙ୍କ ସମ୍ନାନକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ଯୁବକ ଜଣକ ନିଜ ଶରୀରରେ କାରିଗଲ ସହୀଦଙ୍କ ନାମ ଓ ଫଟୋକୁ ଟାଟୁ କରିଛନ୍ତି । କେବଳ ସେତିକି ନୁହେଁ, ଦେଶର ସାହସୀ ଯୋଦ୍ଧାମାନଙ୍କ ଚିତ୍ର ମଧ୍ୟ ଟାଟୁ ଦ୍ୱାରା ଉତ୍ତାରିଛନ୍ତି । ଯୁବକଙ୍କ ଏପରି କାର୍ଯ୍ୟ ପାଇଁ ତାଙ୍କ ପାଖକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ଯୁବକ ଜଣକ ହେଲେ ବାରଣାସୀ କାଶୀର ଅଭିଷେକ ଗୌତମ । ୟୁପିର ହାପୁରର ବାସିନ୍ଦା ଅଭିଷେକ ଗୌତମ ପେଶାରେ ଜଣେ ଇଣ୍ଟରିୟର ଡ଼ିଜାଇନର । ଏ ପର୍ଯ୍ୟନ୍ତ ନିଜ ଶରୀରରେ ୬୩୧ ଶହୀଦଙ୍କ ନାମ ଟାଟୁ କରିଛନ୍ତି । ସେଥିମଧ୍ୟରୁ କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ୫୫୯ ଜଣଙ୍କ ନାମ ରହିଛି । ଅଭିଷେକ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୬୩୧ ଜଣ ଶହୀଦଙ୍କ ନାମ ଓ ୧୧ ଜଣ ମହାନ ବ୍ୟକ୍ତିଙ୍କ ଚିତ୍ର ନିଜ ଶରୀରରେ ଟାଟୁ କରିଛନ୍ତି । ଏଥିସହ ଇଣ୍ଡିଆ ଗେଟ୍ ଓ ବିଭିନ୍ନ ଶହୀଦ ସ୍ମାରକୀ ମଧ୍ୟ ଟାଟୁ କରିଛନ୍ତି । କେବଳ ଯବାନଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ସେ ଏପରି ବ୍ୟତିକ୍ରମ ଉଦ୍ୟମ କରିଛନ୍ତି । ଏହିସବୁ ଟାଟୁ କରିବାକୁ ତାଙ୍କୁ ୧୧ ଦିନ ସମୟ ଲାଗିଥିଲା । ଆଗକୁ ମଧ୍ୟ ବିଭିନ୍ନ ସହୀଦଙ୍କ ନାମ ଶରୀରରେ ଟାଟୁ କରିବେ ବୋଲି କହିଛନ୍ତି ।କେବଳ ଟାଟୁ ଭିତରେ ସୀମିତ ନାହିଁ ଅଭିଷେକଙ୍କ ଉଦ୍ୟମ । ଶରୀରରେ ଟାଟୁ କରିବା ସହିତ ୭୨ ଜଣ ସହୀଦଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି ଅଭିଷେକ । ପ୍ରତ୍ୟେକ ସହୀଦଙ୍କ ଘରୁ ମାଟି ସଂଗ୍ରହ କରି କାରଗିଲରେ କଳସ ସ୍ଥାପନ ମଧ୍ୟ କରିଛନ୍ତି । ଅଭିଷେକଙ୍କ ଏପରି କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.