ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୁଲ୍ୟରେ ‘ଜିଲ୍ଲାସ୍ତରୀୟ ଯୁବ ଉତ୍ସବ’ ଭବାନୀପାଟଣା ସ୍ଥିତ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲାର ୧୩ଟି ବ୍ଲକରୁ ୧୧ଗୋଟି ସାଂସ୍କୃତିକ ଦଳ ଯୋଗ ଦେଇଥିଲେ। ସେଥିମଧ୍ୟରୁ ନର୍ଲା ବ୍ଲକର ଭୀମା ସାଂସ୍କୃତିକ ଅନୁଷ୍ଠାନର ଯୁବ କଳାକାର ମାନଙ୍କୁ ନେଇ କନ୍ଧାନ ଢାପ ନୃତ୍ୟ ପରିବେଷିତ ହୋଇ ଦର୍ଶକଙ୍କ ପ୍ରଶଂସା ଭଜନ ହୋଇଥିଲା। ଆଧୁନିକତାର ସ୍ପର୍ଶରେ ଧିରେ ଧିରେ ଆମ ଜନମାନସରୁ କନ୍ଧାନ୍ ଢାବ୍ ଅନ୍ତର୍ହିତ ହେବାକୁ ଲାଗିଛି। ସାଂସ୍କୃତିକରଣ ନାମରେ ବର୍ତ୍ତମାନ ଏହା ମଞ୍ଚ ମାନଙ୍କରେ ଅନେକ ଅନଭିଜ୍ଞ ବ୍ୟକ୍ତି ମାନଙ୍କ ଦ୍ବାରା ବିକୃତ ଋପରେ ପରିବେଶିତ ହେଉଛି, ଯାହା ସଂସ୍କୃତିପ୍ରେମୀ ମାନଙ୍କୁ କଷ୍ଟ ଦେଉଛି। ଏହାକୁ ଲକ୍ଷ୍ୟକରି କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ ‘ଭୀମା ସାଂସ୍କୃତିକ ଅନୁଷ୍ଠାନ’ ମାଧ୍ୟମରେ ଢାପ୍ ର ପ୍ରକୃତ ସ୍ବରୂପ ଏବଂ ଆଦିମ ଧାରାକୁ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ସେହି କ୍ରମରେ କଳାହାଣ୍ଡି ବିଶ୍ବ ବିଦ୍ୟାଳୟରେ ଆୟୋଜିତ ଯୁବ ଉତ୍ସବରେ ପରିବେଷିତ ହୋଇଥିଲା କନ୍ଧାନ୍ ଢାପ୍। କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀଙ୍କ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀ ପବନ ମାଝୀ, ଢାପ୍ ବାଦକ ପ୍ରେମଚାନ୍ଦ ପ୍ରଗଣିଆ ଓ ଚିଥଲପଟାର କନ୍ଧ ଧାଙ୍ଗଡି ପ୍ରାଚୀନ ଢାପ୍ ନୃତ୍ୟ ପରିବେଷଣ କରିଥିଲେ। ସୈନ୍ୟ ବିଭାଗ କର୍ମଚାରୀ ଚାଡୁମଣି ଭୋଇ ଏଥିରେ ପୂର୍ଣ୍ଣି ସହଯୋଗ କରିଥିଲେ। ହେମନ୍ତ ମାଝୀ ମଧ୍ୟ ସହାୟତା ଯୋଗାଇ ଦେଇଥିଲେ। କନ୍ଧ ଧାଙ୍ଗଡିମାନଙ୍କ ଦ୍ବାରା ପରିବେଷଣ ହୋଇଥିବା ପ୍ରାଚୀନ ଧାରାର ଢାପ୍ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେରଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ବିଶ୍ବ ବିଦ୍ୟାଳୟର ସଭାଗୃହରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ଉତ୍ସବର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ପଟ୍ଟାୟତ ସାହୁ, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳସଚୀବ ପିତାମ୍ବର ଭୋଇ, ସମ୍ମାନିତ ଅତିଥି ଭାବେ ମେଜର ଡ଼ ଜୟଦେବ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ବିଶିଷ୍ଟ ଲେଖିକା ତଥା ଓଡ଼ିଆ ବିଭାଗ ମୁଖ୍ୟ ଡ଼ ପଲ୍ଲିଶ୍ରୀ ପଟ୍ଟନାୟକ ଯୋଗ ଦେଇଥିଲେ। ଦ୍ବିତୀୟ ଅଧିବେଶନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ୬୪ ବାଟାଲିୟନ ସିଆରପିଏଫ ପଙ୍କଜ ଚୌଧୁରୀ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ବିନୟ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଶେଷରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଲେଖପାଳ ଦୁତିଆ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ୫୦୦ ଯୁବକ ଯୁବତୀ ଉପସ୍ଥିତ ଥିଲେ। ତେବେ ଭୀମା ସାଂସ୍କୃତିକ ଅନୁଷ୍ଠାନକୁ ଜିଲ୍ଲାସ୍ତରୀୟ ଯୁବ ଉତ୍ସବରେ ସାମିଲ କରାଇ ମଞ୍ଚ ଯୋଗାଇ ଦେଇଥିବାରୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିକୁ ଅନୁଷ୍ଠାନ ତରଫରୁ ଅଶେଷ କୃତଜ୍ଞତା ଜ୍ଞାପନ କରାଯାଇଛି।