ଓଡ଼ିଆ ବାର୍ତ୍ତା/ ଢ଼ାକା: ବାଂଲାଦେଶ ପ୍ରଥମ ଥର ପାଇଁ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଜିତି ଇତିହାସ ରଚିଛି । ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ ଘରୋଇ ଦଳ ୪ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ବାଂଲାଦେଶ ୨-୦ରେ ଅଗ୍ରଣୀ ରହିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୧୧୭ ରନ କରି ଅଲଆଉଟ ହୋଇ ଯାଇଥିଲା । ଜବାବରେ ବାଂଲାଦେଶ ୧୮.୫ ଓଭରରେ ୬ ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ନଜମୁଲ ହୁସେନ ସାଂଟୋ ସର୍ବାଧିକ ୪୬ ରନ କରି ଅପରାଜିତ ରହିଥିଲେ । ମେହେଦି ହାସନ ମିରାଜ ୨୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଜୋଫ୍ରା ଆର୍ଚ୍ଚର ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ ।
ପୂର୍ବରୁ ଇଂଲଣ୍ଡ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଥିଲା । ବାଂଲାଦେଶ ଗସ୍ତରେ ପ୍ରଥମ ୨ଟି ଦିନିକିଆ ଜିତିବା ପରେ ଇଂଲଣ୍ଡ କ୍ରମାଗତ ୩ଟି ମ୍ୟାଚରେ ପରାଜିତ ହୋଇଛି । ଟି୨୦ କ୍ୟାରିୟରରେ ମିରାଜ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ସେ ୪ ଓଭରରେ ୧୨ ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଥିଲେ ।