ଓଡ଼ିଆ ଠିକ ଜାଣିଛନ୍ତି ଖାଦ୍ୟର ସଦବ୍ୟବହାର

୧୯୩୪ ମସିହାରେ ଗାନ୍ଧୀଜୀଙ୍କର ଓଡ଼ିଶାରେ ପଦଯାତ୍ରା ସମୟରେ ପିପିଲି ନିକଟସ୍ଥ ଶିଉଳା ଛକଠାରେ ପଦଯାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା। ମଧ୍ୟାହ୍ନ ଭୋଜନପରେ ଯେଉଁ ଭାତ ବଳିଯାଇଥିଲା, ଓଡ଼ିଆ କର୍ମୀମାନେ ତାକୁ ନଷ୍ଟ ନକରି ପଖାଳ କରିଦେଇଥିଲେ ଓ ସେଇ ପଖାଳକୁ ପଦଯାତ୍ରୀମାନେ ପୁଣି ଉପରଓଳି ଖାଇ ପାରିଥିଲେ। ଏହା ଦେଖି ମହାତ୍ମା ଗାନ୍ଧୀ କହିଥିଲେ, “ଓଡ଼ିଶାର ଲୋକ ଠିକ ଜାଣିଛନ୍ତି ଖାଦ୍ୟର ସଦବ୍ୟବହାର”।

Omkar Vasthu
Omkar Vasthu

ଅର୍ଜୁନ ଦାସ (୧୫୨୦ – ୧୫୩୦ ଖ୍ରୀଷ୍ଟାବ୍ଦ) ଙ୍କ କବିତା ସଂଗ୍ରହ କଳ୍ପଲତାରେ ପଖାଳର ବ୍ୟବହାର ବିଷୟରେ ଉଲ୍ଲେଖ ରହିଛି। ସଠିକ ଭାବରେ କୁହାଯାଇ ପାରିବନାହିଁ ଯେ ପଖାଳ କେବେ ଆଉ କେମିତି ଓଡ଼ିଆ ମାନଙ୍କ ଖାଦ୍ୟରେ ସଂପୃକ୍ତ ହୋଇଥିଲା। କିନ୍ତୁ ଏହା ପୁରୀ ଶ୍ରୀ ଜଗନ୍ନାଥଙ୍କ ଭୋଗରେ ଲାଗୁଥିବା କଥା ଆମେ ଇତିହାସରୁ ଜାଣିବାକୁ ପାଉ। ହୁଏତ ଅନ୍ନକୁ ନଷ୍ଟ ନକରିବାର ମାନସିକତାରୁ ଭାତକୁ ଆଗାମୀ ଦିନରେ ଖାଇବା ଯୋଗ୍ୟ କରି ରଖିବାପାଇଁ ସେଥିରେ ପାଣିଦେଇ ରଖିବା ପରଠାରୁ ପଖାଳ ଖାଇବାର ଆରମ୍ଭ ହୋଇଥାଇପାରେ ବୋଲି ଆମେ ଅନୁମାନ କରୁ। ଦଶମ ଶତାବ୍ଦୀରେ ପୁରୀ ଶ୍ରୀମନ୍ଦିରରେ ପଖାଳ ଓ ଟଙ୍କ ତୋରାଣୀର ପ୍ରଚଳନ ହୋଇଥିବା କଥା ରହିଛି। ଓଡ଼ିଶାର ଅନେକ ଦେବାଦେବୀ ପୀଠରେ ପଖାଳ ପ୍ରସାଦ ଭାବରେ ଲାଗି ହେବାର ପରମ୍ପରା ରହିଛି। ପଖାଳ ଶଦ୍ଦଟି ‘ପାଲି’ ଭାଷାର ‘ପଖାଳିବା’ ଶଦ୍ଦରୁ ଆସିଛି, ଯାହାର ଅର୍ଥ ହେଉଛି ଧୋଇବା। ସଂସ୍କୃତରେ ମଧ୍ୟ ଏହି ଭାଷାର ସାମଞ୍ଜସ୍ୟ ଦେଖିବାକୁ ମିଳେ। ତେବେ ମୋଟ ଉପରେ କହିବାକୁ ଗଲେ ପଖାଳର ଅର୍ଥ ଭାତକୁ ଧୋଇ ସୁସଂଜିତ କରିବା। ଓଡ଼ିଶାର ଜନଜୀବନ ଓ ଧାର୍ମିକ ପରମ୍ପରା ସହ କେଉଁ ଏକ ଆବାହମାନ କାଳରୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ପଖାଳ ଆଜି ବିଶ୍ବରେ ସ୍ବତନ୍ତ୍ର ପରିଚିତି ଲାଭ କରିଛି। ଅନ୍ନକୁ ଲକ୍ଷ୍ମୀ ବୋଲି ବିବେଚନା କରି ଆସିଛି ଓଡ଼ିଆ ପୁଅ। ଅକ୍ଷୟ ତୃତୀୟାରେ ଘରୁ ଅକ୍ଷୀମୁଠି ବାହାରିବା ଠାରୁ ଧାନ ଅମଳ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟରେ ପାରମ୍ପରିକ ବିଧି ଅନୁସାରେ ମହାଲକ୍ଷ୍ମୀଙ୍କ ଆରଧନା କରା ଯାଇଥାଏ। ଅନୁରୂପ ଭାବେ ଗୃହିଣୀ ମଧ୍ୟ ଅନ୍ନ କିପରି ନଷ୍ଟ ନହେବ ସେହି ଦିଗରେ ଧ୍ୟାନ ଦେଇଥାଏ। ରାତିରେ ବଳକା ହୋଇ ଯାଇଥିବା ଭାତରେ ପାଣି ଦିଆ ଯାଇଥାଏ, ଯାହା ସକାଳୁ ଖାଦ୍ୟ ଉପଯୋଗୀ ହୋଇ ଯାଇଥାଏ।

Pearl dental clinic
Near Ashish Medical Store, Bhawanipatna

ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟ ପଖାଳକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ (ୟୁନିଭର୍ସାଲ ପଖାଳ ଡେ) ଭାବେ ପାଳନ କରାଯାଏ। କେବଳ ଓଡ଼ିଶାରେ ନୁହେଁ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ଏହି ଦିନକୁ ପାଳନ କରିବା ସହ ଗ୍ରୀଷ୍ମକୁ ମଧ୍ୟ ସ୍ୱାଗତ କରିଥାନ୍ତି। ପଖାଳରେ ଦହି, ଆମ୍ବକଶିଆ ଅଦା ସାଙ୍ଗକୁ ମାଛ ଭଜା, ଶାଗ, ବାଇଗଣ ଭର୍ତ୍ତା, ଆଳୁପୋଡା ଥିଲେ ପଞ୍ଚତାରକା ହୋଟେଲର ଖାଦ୍ୟ ବି ଫିକା ପଡିଯିବ। କେବଳ ଓଡିଶା ନୁହେଁ; ପଡୋଶୀ ପଶ୍ଚିମବଙ୍ଗ, ବିହାର, ଆସାମ ଆଦି ରାଜ୍ୟରେ ଲୋକେ ପଖାଳ ଖାଇବାକୁ ପସନ୍ଦ କରିଥାନ୍ତି। ଗରିବ ଠୁ ଧନୀ ପର୍ଯ୍ୟନ୍ତ ପଖାଳ ଖାଆନ୍ତି। ଓଡ଼ିଆ ଲୋକଙ୍କ ଅତି ଆପଣାର ପ୍ରିୟ ଖାଦ୍ୟ ପଖାଳ ବର୍ତ୍ତମାନ ବିଶ୍ୱର ବିଭିନ୍ନ ବଡ଼ ବଡ଼ ହୋଟେଲର ମେନ୍ୟୁରେ ସ୍ଥାନ ପାଇଲାଣି।  ପଖାଳ ବିଭିନ୍ନ ପ୍ରକାରର, କେତେବେଳେ ଏହା ସଜ ତ ଆଉ କେତେବେଳେ ବାସି, କେବେ ପୁଣି ଜିରା ପଖାଳ, ଦହି ପଖାଳ ଏମିତି ବିଭିନ୍ନ ପ୍ରକାରର ପ୍ରସ୍ତୁତ କରାଯାଇ ପରଷା ଯାଏ। ପଖାଳ ଖାଇବାକୁ ଯେତିକି ସୁସ୍ବାଦୁ, ଦେହ ପାଇଁ ମଧ୍ୟ ସେତିକି ହିତକର। ଖରା ୪ ମାସ ପଖାଳ ଖାଇଲେ ଅଂଶୁଘାତ ରୋଗ ହେବାର ଭୟ ରହିବ ନାହିଁ। ପଖାଳ ପିତ୍ତ ନାଶକ। ଚାଇଁ ପଖାଳ ଖାଇ ତା’ ତୋରାଣି ମୁନ୍ଦେ ପିଇଦେଲେ କୋଷ୍ଠକାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟ ଵ୍ୟଥା ଆଦି ଉପଶମ ହୋଇଥାଏ। ହାଣ୍ଡି କାଞ୍ଜିଦ୍ୱାରା ପେଟ ଥଣ୍ଡା ରହେ। ପିତ୍ତ ରୋଗ ବିସୂଚିକା, ଅତିସାର ଇତ୍ୟାଦିରେ ପଖାଳ ତୋରାଣି ଅତ୍ୟନ୍ତ ପ୍ରଶମନକାରୀ ଓ ଉପକାରୀ ଅଟେ। ମୂତ୍ରକୃଚ୍ଛରେ ପଖାଳ ଉପକାରୀ ଅଟେ। ରକ୍ତଚାପ କମାଇଥାଏ ଓ ଶରୀରର ତାପମାତ୍ରା ନିୟନ୍ତ୍ରଣ ମଧ୍ୟ କରିଥାଏ। ପେଟକୁ ଥଣ୍ଡା ରଖିବା ସହ ଦେହକୁ ଆବଶ୍ୟକ ଜଳୀୟଅଂଶ ଯୋଗାଇଥାଏ। ପଖାଳ ଏକ ପୁଷ୍ଟିକର ଖାଦ୍ୟ ବୋଲି ଆମେରିକାର ଡାକ୍ତରମାନେ ପ୍ରମାଣ ଦେଲେଣି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.