ଦୁଇ କୋଟି ଟଙ୍କାର ଅଳଙ୍କାର ପିନ୍ଧି ମଞ୍ଚରେ ଝଲସିଲେ ଯୁବତୀ

ଓଡ଼ିଆ ବାର୍ତ୍ତା/ ବାଡମେର: ରାଜସ୍ଥାନରେ ଏପରି ଏକ ଉତ୍ସବ ଆୟୋଜିତ ହୋଇଛି ଯେଉଁଠି ପୋଷାକ ତୁଳନାରେ ଅଳଙ୍କାରକୁ ଗୁରୁତ୍ୱ ଦିଆଯାଉଛି । ଆଶ୍ଚର୍ଯ୍ୟର କଥା ହେଲା ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ପ୍ରତିଯୋଗୀମାନେ କେତେ ଓଜନର ଅସଲି ସୁନା ଅଳଙ୍କାର ପିନ୍ଧିଛନ୍ତି ତାକୁ ଏହି ଉତ୍ସବରେ ପରଖାଯାଏ । ପଶ୍ଚିମ ରାଜସ୍ଥାନର ବାଡ଼ମେର ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ଓ ଲୋକକଳାକୁ ଜୀବନ୍ତ ରଖିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇ ଆସୁଛି ଚର୍ଚ୍ଚିତ ମହୋତ୍ସବ, ଯାହାର ନାଁ ହେଉଛି ‘ଥାର୍ ଫେଷ୍ଟିଭାଲ-୨୦୨୩’ । ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେଉଛି ଥାର ସୁନ୍ଦରୀ ଚୟନ କରିବା । ସେଥିପାଇଁ ସୁନ୍ଦରୀ ଯୁବତୀମାନଙ୍କୁ ନେଇ ପ୍ରତିଯୋଗିତା ଆୟୋଜନ କରାଯାଇ ଆସୁଛି । ଚର୍ଚ୍ଚାର କଥା ହେଲା, ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଯୁବତୀମାନେ କେଉଁ ଡ଼ିଜାଇନର ପୋଷାକ ପିନ୍ଧିଛନ୍ତି ତାକୁ ଗୁରୁତ୍ୱ ଦିଆଯାଏ ନାହିଁ । ବରଂ ପ୍ରତିଯୋଗୀ କେତେ ଓଜନର ସୁନା ଅଳଙ୍କାର ପିନ୍ଧିଛନ୍ତି ତାକୁ ଗୁରୁତ୍ୱ ଦିଆଯାଏ । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଆୟୋଜିତ ଏହି ପ୍ରତିଯୋଗିତାରେ ୩୦ ଯୁବତୀ ଭାଗ ନେଇଥିଲେ । ସେମାନେ ପିନ୍ଧିଥିବା ସୁନା ଓ ରୂପା ଅଳଙ୍କାରରେ ମଞ୍ଚରେ ଝଲସୁଥିଲେ । ସେମାନେ ପିନ୍ଧିଥିବା ଏହି ସୁନା ଅଳଙ୍କାରର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି । ମହୋତ୍ସବରେ ଭାଗ ନେଇଥିବା ପ୍ରତିଯୋଗୀ ମନୀଷା ସୋନି କହିଛନ୍ତି ଯେ, ରାଜସ୍ଥାନର ଲୋକ ସଂସ୍କୃତି ପାଇଁ ଏହି ମହୋତ୍ସବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ ନିଜେ ୩୫-୪୦ ତୋଳା ସୁନା ଅଳଙ୍କାର ପିନ୍ଧି ଆସିଛନ୍ତି । ସୌନ୍ଦର୍ଯ୍ୟରାଣୀ ହେବା ପାଇଁ ସେ ଏକ ସପ୍ତାହ ପୂର୍ବରୁ ପ୍ରସ୍ତୁତ ଚଳାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.