ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ
ଓଡ଼ିଆ ବାର୍ତ୍ତା/ ସଇଁତଲା: ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କାର୍ଯ୍ୟାଳୟରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯରେ ବାଧା ସୃଷ୍ଟି ହେବା ସହ ବ୍ଲକ ପ୍ରଶାସନଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଅଣଦେଖା ପ୍ରତିବାଦରେ ଆଜି ସଇଁତଲା ବ୍ଲକ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଗଣଧାରଣ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରି ବିଜେଡି ସରକାର ହାଏ ହାଏ ବୋଲି ନାରାବାଜି ଦେଇଥିଲେ । ପରେ ସଇଁତଲା ବିଡିଓ ଚନ୍ଦ୍ରମଣି ନାଗଙ୍କ ଜରିଆରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଯଦି ପ୍ରଶାସନ ଏ ଦିଗରେ କୋଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ୭ଦିନ ମଧ୍ୟରେ କଂଗ୍ରେସ ଏକ ପୁଣି ଆନ୍ଦୋଳନକୁ ଓଲ୍ଲାଇବ ବୋଲି କଂଗ୍ରେସ ଦଳ ତରଫରୁ ଚେତାବନୀ ଦିଆଯାଇଛି । ଏଥିରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ, ଡେଙ୍ଗ ସମିତି ସଭ୍ୟ ସିମରନ ସିଂ ଭୋଇ, ଧରବଗଡ଼ ସମିତି ସଭ୍ୟ ରାକେଶ ନାୟକ, କୁଇକେଡ଼ା ସମିତି ଚାନ୍ଧୁଲାଲ ଭୋଇ, କେରମେଳି ନବୀନ ରଣା, କୁମ୍ଭାରୀ ସମିତି ସଭ୍ୟା ସରୋଜିନୀ ବିଭାର, ଶ୍ରମିକ ନେତା କୃଷ୍ଣଚନ୍ଦ୍ର ସାହୁ, ଚାଷୀ ନେତା ସତ୍ୟନାରାୟଣ ପଣ୍ଡା, ପୂର୍ବତନ ସରପଞ୍ଚ ଉତ୍ତମ ପୁଟେଲ, ବୁଢ଼ାବାହାଲ ସମିତି ସଭ୍ୟ ମଣ୍ଟୁ ନାଗ, ଯୁବ ନେତା ଜ୍ଞାନରଞ୍ଜନ ସରାଫ, ଦଳିତ ନେତା ତପି କୁମ୍ଭାର ଓ ଯୁବ ସଂଗଠକ ସୁବ୍ରତ ବେହେରା ପ୍ରମୁଖ ଏହି ଗଣଧାରଣାରେ ସାମିଲ ହୋଇ ବିଜେଡି ସରକାର କାଯ୍ୟକଳାପ ଓ ବ୍ଲକପ୍ରଶାସନ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଥିଲେ । ଏହା ସହିତ ସଇଁତଲା ବ୍ଲକ ପାଇଁ ଆସୁଥିବା ଉନ୍ନୟନମୂଳକ କାଯ୍ୟ ପ୍ରଶାସନ ପାତରଅନ୍ତର କରୁଛନ୍ତି । ଏପରିକି ଦୀର୍ଘଦିନ ଧରି ମୁଖ୍ୟ ଡାକ୍ତରଖାନା ରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୁରଣ, ରନ୍ଧନ ଗ୍ୟାସ ସିଲିଣ୍ଡର ଦର ହ୍ରାସ, ପନିପରିବା ତଥା ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା, ବିଦ୍ୟୁତ ବିଭାଗର ମନମୁଖୀ ବିଦ୍ୟୁତ ବିଲ ଆଦାୟ ଉପରେ ରୋକ ଲଗାଇ ଟାଟା ପାୱାର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି ଦାବୀ କରିଥିଲେ । ଏହି ବ୍ଲକକୁ ଉନ୍ନୟନ ପାଇଁ ଆସୁଥିବା ଅନୁଦାନକୁ ଶାସନ ଦଳ ବାଟମାରଣା କରି ସ୍ଥାନୀୟ ବିଡ଼ିଓଙ୍କୁ ଚାପ ପ୍ରୟୋଗ କରୁଛନ୍ତି ବୋଲି ଅଭିଯୋଗ ନେଇ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା, ବେକାରୀ ଯୁବକ ମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ଆଦି ଦାବୀ ଗୁଡିକ ଧାରଣ ସ୍ଥଳ ଉଠାଇ ଥିଲେ । ଯଦି ଦାବୀ ଗୁଡିକ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ ତୀବ୍ର ଆନ୍ଦୋଳନ କରାଯାଇ ରାଜରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଗାମୀ ଦିନରେ ସମସ୍ତ ସରକାରୀ କାଯ୍ୟଳୟଗୁଡିକୁ ତାଲା ମାରି ବନ୍ଦ କରି ଦିଆଯିବ ବୋଲି ଆନ୍ଦୋଳନ କାରି କଂଗ୍ରେସ କର୍ମୀ ମାନେ ଚେତାବନୀ ଦେଇଥିଲେ । ଏହି ସଭାକୁ କଂଗ୍ରେସ ଯୁବ ନେତା ପପୁ ମହାନ୍ତି ପରିଚାଳନା କରିଥିବା ବେଳେ ଅନନ୍ତ କାଳସାଏ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ନେତ୍ରୀ ଦୀପାଞ୍ଜଳି ବାରିକ, ଛନ୍ଦାଚରଣ ବେହେରା, ଅମିତ ରଥ, ଦୀପକ ଅଗ୍ରୱାଲ, ଘୁନସର ବାଞ୍ଛାନିଧି ବୁଡ଼େକ, ସରପଞ୍ଚ ନରେନ୍ଦ୍ର କଲେତ, ମୀନକେତନ ସେଠ, ଗଦାଧର ସାହୁ, ଟଙ୍କଧର ସାହୁଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଏହି ଆନ୍ଦୋଳନ ଦୃଷ୍ଟିରେ ରଖି ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର, ଥାନା ଆଇଆଇସି ଅବନୀ ସାହୁଙ୍କ ସମେତ ବ୍ୟାପକ ପୋଲିସ ବାହିନୀ ମୁତୟନ ହୋଇଥିଲେ ।