• ଡାକ୍ତରୀ ଚିକିତ୍ସା ଉପରେ ବିଶ୍ୱାସ କରୁନାହାନ୍ତି ହାଡଫୁଟିରେ ସଂକ୍ରମିତଙ୍କ ପରିବାର
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଏହା ବିଶ୍ୱାସ ନା ଅନ୍ଧବିଶ୍ୱାସ । ହାଡଫୁଟି ଭଳି ସଂକ୍ରମିତ ରୋଗକୁ ନେଇ ଲୋକେ ଡାକ୍ତରୀ ଚିକିତ୍ସା ବଦଳରେ ଝଡାଫୁଙ୍କା ପୂଜାବିଧି ଉପରେ ଅଧିକ ବିଶ୍ୱାସ ରଖୁଛନ୍ତି । ଆଉ କହୁଛନ୍ତି – ଦେବୀ ମାଁଙ୍କ ଠାରୁ ବଡ ଆଉ କିଏ । ମାଁ ଆସିଲେ ନିୟମ ପ୍ରକାରେ ପୂଜାର୍ଚ୍ଚନା ପାଇ ହାଡଫୁଟି ରୋଗ ଭଳି କରି ଚାଲିଗଲେ । ଏଥିରେ ଡାକ୍ତରୀ ଚିକିତ୍ସାର କିଛି ଆବଶ୍ୟକତା ନାହିଁ । ତେଣୁ ଆମେ ଡାକ୍ତରୀ ଚିକିତ୍ସା ବଦଳରେ ମନ୍ଦିର ପୂଜକଙ୍କୁ ଡାକି ଝଡାଫୁଙ୍କା କରି ମାଁଙ୍କୁ ଶାନ୍ତ କରାଇ ପଠାଇ ପାରିଲୁ । ଆଉ ସଚେତନତା କାର୍ଯ୍ୟକ୍ରମ ହିଁ ଲୋକଙ୍କୁ ଅନ୍ଧବିଶ୍ୱାସ ଠାରୁ ଦୂରେଇବ ବୋଲି ସିଡିଏମଓ କହୁଛନ୍ତି । ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ସ୍ୱାସ୍ଥ୍ର୍ୟ ସମ୍ବନ୍ଧୀୟ ଚିକିତ୍ସାକୁ ନେଇ ବିଭିନ୍ନ ସମୟରେ ଜାନି,ଦିଶାରୀ,ପୂଜକମାନଙ୍କ ଝଡାଫୁଙ୍କା ସହ ଡାକ୍ତରୀ ଚିକିତ୍ସା ମଧ୍ୟରେ ବିଶ୍ୱାସ ଓ ଅନ୍ଧବିଶ୍ୱାସର ଏକ ପାଚେରୀ ଠିଆ ହୋଇ ରହିଛି । ଲୋକେ ଝଡାଫୁଙ୍କା ଭଳି ଅନ୍ଧବିଶ୍ୱାସର ବଶବର୍ତୀ ହୋଇ ରହିଥିବା ରାୟଗଡା ଜିଲ୍ଳା ସଦର ମହକୁମାର ଏକ ଘଟଣାକୁ ଦେଖିଲେ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରାୟଗଡା ସହରର ବାରିଝୋଲା ଗ୍ରାମ ନିକଟରେ ରହୁଛନ୍ତି ଗଂଜାମ ଜିଲ୍ଳାର କିଛି ଚାଷୀ ପରିବାର । ଆଉ ଏମାନଙ୍କ ପରିବାରର ଦୁର୍ଗା ବେହେରା,ଦୀପକ ପ୍ରଧାନ,ଆଲୋକ ପ୍ରଧାନ,ରୁଜି ପ୍ରଧାନ,ବିକାଶ ପ୍ରଧାନ,ଖୋଦନୀ ପ୍ରଧାନ,ପସନ୍ଦ ଖୁଂଟିଆ,ବରୁଣ ସ୍ୱାଇଁ,ରଘୁନ ପରିଡା,ଆହୁତି ବେହେରା,ଆକୃତି ବେହେରା ଭଳି ୧୦ରୁ ଉର୍ଦ୍ଧ ପିଲାମାନେ ଓ ଜଣେ ବୟସ୍କ ବ୍ୟକ୍ତି ଗତ ୧୫ଦିନ ମଧ୍ୟରେ ହାଡଫୁଟି ରୋଗରେ ସଂକ୍ରମିତ ହୋଇଥିଲେ । ତେବେ ପରିବାର ଲୋକେ ପିଲାଙ୍କୁ ଡାକ୍ତରୀ ଚିକିତ୍ସା ବଦଳରେ ସହରର ଜଣେ ପୂଜକଙ୍କୁ ଡାକି ଝଡାଫୁଙ୍କା କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇଥିବା ବେଳେ ୩ରୁ ୪ଜଣଙ୍କ ସୁସ୍ଥ ହୋଇ ନାହାନ୍ତି । ଖବର ପାଇ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ,ମହିଳା ସ୍ୱାସ୍ଥ୍ୟ କର୍ମୀ,ଆଶା ଓ ଅଙ୍ଗନବାଡି କର୍ମୀ ପଂହଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରିବାର ଲୋକଙ୍କ ସହ ଆଲୋଚନା କରି ଆବଶ୍ୟକ ନିୟମ ମାନିବାକୁ ପରାମର୍ଶ ଦେଇଥିବା ବେଳେ କିନ୍ତୁ ପୂଜକ କହିବାନୁସାରେ ପିଲାଙ୍କୁ ୩ଥର ନିମ୍ବପତ୍ର ପାଣିରେ ଗାଧୋଇବା ସହ ପରିବାର ଲୋକେ ମଧ୍ୟ ନିଜେ ସପ୍ତାହ ଧରି ନ ଗାଧୋଇବା,ଅଲଣା ଖାଦ୍ୟ ଖାଇବା ଭଳି ନିୟମ ମାନିବା ପରେ ପିଲାଙ୍କ ଦେହରେ ହାଡଫୁଟି କମିବାରେ ଲାଗିଥିବା ନେଇ ପିଲାଙ୍କ ଅଭିଭାବକ କହୁଛନ୍ତି । ହାଡଫୁଟି ହେଲେ ଡାକ୍ତରଙ୍କ ଔଷଧ କାମ ଦେବ ନାହିଁ । ଔଷଧ ବଦଳରେ ଦେବୀ ମାଁଙ୍କ ନିୟମ ମାନି ଚଳିଲେ ତାହା ଆପେ ଆପେ ଠିକ୍ ହେଇଯିବ ଯାହା ଆମେ ପିଲାଟି ଦିନରୁ ଏପରି କରି ଆସୁଛୁ ବୋଲି ଉକ୍ତ ବସ୍ତିର କାମେଶ୍ୱରୀ ସ୍ୱାଇଁ, ଜମ୍ଭୁ ବେହେରା,ସଇଁତ୍ରିୀ ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି । ତେବେ ରାୟଗଡା ଜିଲ୍ଳା ସଦର ମହକୁମା ଅଂଚଳରେ ରହୁଥିବା ଲୋକେ ଯଦି ଝଡାଫୁଙ୍କା ଉପରେ ବିଶ୍ୱାସ ରଖୁଛନ୍ତି ତାହା ହେଲେ ଡାକ୍ତରୀ ଚିକିତ୍ସା ଉପରେ ନିର୍ଭର କରିବାକୁ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ସଚେତନତା କାର୍ଯ୍ୟକ୍ରମଗୁଡିକ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ହାଡଫୁଟିରେ ସଂକ୍ରମିତ ହୋଇ ବିନା ଔଷଧରେ ପିଲାମାନେ ସୁସ୍ଥ ହୋଇଥିବା ବେଳେ ଦେବୀ ମାଙ୍କୁ ସନ୍ତୁଷ୍ଟ କରିବା ଭଳି ଅନ୍ଧବିଶ୍ୱାସକୁ ଲୋକେ ଯେ ଆଜି ବି ବିଶ୍ୱାସ କରୁଛନ୍ତି । ତେବେ ହାଡଫୁଟି ଏକ ସଂକ୍ରମଣ ରୋଗ,ଏହା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ଡେଇଁଥାଏ । ଏହାର ବିଶେଷ କୈାଣସି ଚିକିତ୍ସା ସେବା ନ ଥିବା ବେଳେ ଅଧିକ ସଂକ୍ରମିତ ରୋଗୀଙ୍କୁ ଅଲଗା ରଖି ଔଷଧ ଦିଆଗଲେ ସେ ଅଳ୍ପ ଦିନରେ ଭଲ ହୋଇଯାଇଥାଏ । କେବଳ ସଚେତନତା ହିଁ ଏହି ଅନ୍ଧବିଶ୍ୱାସକୁ ଦୂର କରି ପାରିବ ବୋଲି ସିଡିଏମଓ ଡାକ୍ତର ଲାଲମୋହନ ରାଉତରାଏ ପ୍ରକାଶ କରିଛନ୍ତି ।