ପଣା ସଂକ୍ରାନ୍ତି ପାଇଁ ହଁ, ଡଃ.ଅମ୍ବେଦକର ଜୟନ୍ତିକୁ କାହିଁକି ନାଁ ବୋଲି ଉଠିଛି ଅଭିଯୋଗ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆସନ୍ତା ଏପ୍ରିଲ ୧୪ ତାରିଖରେ ଡଃ.ବାବା ସାହେବ ଭୀମାରାଓ ଅମ୍ବେଦକରଙ୍କ ୧୩୩ତମ ଜନ୍ମ ଜୟନ୍ତିକୁ ନିରାଡମ୍ବର ଭାବେ ପାଳନ କରାଯିବା ପାଇଁ ବିଭିନ୍ନ ଆଦିବାସୀ ଦଳିତ ବର୍ଗ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଛି । ତେବେ ରାୟଗଡା ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଜିସିଡି ହାଇସ୍କୁଲ ଖେଳ ପଡିଆରେ ଜୟନ୍ତି ପାଳନକୁ ନେଇ ପ୍ରଶାସନ ଅନୁମତି ନ ଦେବା ସହ ଅଣଦେଖା କରୁଥିବା ଏବଂ ବିଷୁବ ପଣା ସଂକ୍ରାନ୍ତି ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରୁଥିବା ବେଳେ ସମ୍ବିଧାନ ପ୍ରଣୟତା ଡଃ.ଅମ୍ବେଦକରଙ୍କ ଜନ୍ମ ଜୟନ୍ତି ପାଳନ ପାଇଁ ଜିଲ୍ଳାପାଳ ସିଧାସଳଖ ମନା କରିବା ଦଳିତ ବର୍ଗ ପ୍ରତି ଅପମାନଜନକ ବୋଲି ଅଭିଯୋଗ ଉଠିଛି । ଆଜି ନ୍ୟିୁକଲୋନୀ ସ୍ଥିତ ହୋଟେଲ ଅଶୋକ ସମ୍ମିଳନୀ କକ୍ଷରେ ଅମ୍ବେଦକର ଜୟନ୍ତି ପାଳନ କମିଟି ପକ୍ଷରୁ ଡଃ.ଅମ୍ବେଦକରଙ୍କ ଜନ୍ମ ଜୟନ୍ତି ପାଳନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାସସେଫ ସଂଗଠନର ସଭାପତି ଦେମୂର୍ତି ପାତିକା, ବୋମାଲି କାନ୍ତାରାଓ, ଲକ୍ଷ୍ମଣ କଣ୍ଡାଗରି, ଜନାର୍ଦ୍ଦନ ଗରଡା, ଦୋରା କଣ୍ଡାଗରି, ପ୍ରତାପ ପୁଆଲା, ଅଭି କନ୍ଧପାଣି, ପୁରନନ୍ଧର ପାଣି, ସନ୍ଧ୍ୟା ପୁଲାକା, ପ୍ରଶାନ୍ତ କୁଲେସିକା, ଗଙ୍ଗାଧର ପୁଆଲା, ହରପ୍ରସାଦ ହେପ୍ରୁକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।
ଆସନ୍ତା ଏପ୍ରିଲ ୧୪ତାରିଖରେ ମହା ବିଷୁବ ପଣା ସଂକ୍ରାନ୍ତି ପାଳନ ଉପଲକ୍ଷେ ପୂର୍ବରୁ ଏକ ଉତ୍ସବ କମିଟିକୁ ଜିସିଡି ହାଇସ୍କୁଲ ପଡିଆରେ ପାଳନ ନିମନ୍ତେ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଉକ୍ତ ଦିନ ହିଁ ଡଃ.ଆମ୍ବେଦକର ଜୟନ୍ତି ପାଳନ ହେଉଥିବାରୁ ଜୟନ୍ତି ପାଳନ କମିଟି ଜିଲ୍ଳାପାଳଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ନିବେଦନ କରିଥିଲେ । ତେବେ ଗୋଟିଏ ସ୍ଥାନରେ ଦୁଇଟି କାର୍ଯ୍ୟକ୍ରମ ନେଇ ଅସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଳାପାଳ ଜୟନ୍ତି ପାଳନ କମିଟିକୁ ଅନ୍ୟତ୍ର ପାଳନ ପାଇଁ ପରାମର୍ଶ ଦେଇଥିବା ବେଳେ ଡଃ.ଅମ୍ବେଦକର ଜୟନ୍ତିରେ ବଡ ଧରଣର କାର୍ଯ୍ୟକ୍ରମର ଆୟୋଜନ ହେଉଥିବା ହେତୁ ହଜାର ହଜାର ସଂଖ୍ୟକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ରାୟଗଡା ସହରରେ ଆଉ କେଉଁ ସ୍ଥାନରେ ହାଇସ୍କୁଲ ପରି ପଡିଆ ନ ଥିବାରୁ ସେଠାରେ ହିଁ ଜୟନ୍ତି ପାଳନର ନିଷ୍ପତି ନିଆଯାଇଥିବା ବେଳେ ପ୍ରଶାସନ ତରଫରୁ ଅନୁମତି ନ ମିଳିବାରୁ ଏବେ ଦଳିତ ବର୍ଗର ବୋମାଲି କାନ୍ତାରାଓ,ପ୍ରତାପ ପୁଆଲା,ଦେମୂର୍ତି ପାତିକାଙ୍କ ସମେତ ଅନ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯଦି ଜୟନ୍ତି ପାଳନ ନିମନ୍ତେ ଜିସିଡି ହାଇସ୍କୁଲ ପଡିଆରେ ଅନୁମତି ଦିଆ ନ ଯାଏ ତାହାହେଲେ ପ୍ରଶାସନ ବିରୁଦ୍ଧରେ ସ୍ୱର ଉତୋଳନ କରାଯିବ ବୋଲି ବୈଠକରେ କୁହାଯାଇଛି ।