୩ ବର୍ଷର ପୁଅକୁ ଧରି ପ୍ରେମିକ ସହ ବିବାହିତା ମହିଳା ଫେରାର: ୭ ଦିନ ପରେ ଟିକ୍ରାପଡା ଫାଣ୍ଡିରେ ଆତ୍ମ ସମର୍ପଣ କଲେ ପ୍ରେମୀ ଯୁଗଳ 

ସ୍ୱାମୀ ସ୍ତ୍ରୀ ଭାବେ ଏକତ୍ର ରହିବାକୁ କଲେ ସମ୍ମତି ପ୍ରଦାନ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅଧିନ ନୂଆଁମୁଣ୍ଡା ଗ୍ରାମର ଜଣେ ବିବାହିତା ମହିଳା ଓ ତାଙ୍କ ପ୍ରେମିକ ଗତ ୭ ଦିନ ହେବ ଫେରାର ରହିବା ପରେ ଟିକ୍ରାପଡା ଫାଣ୍ଡିରେ ଆସି ଉପସ୍ଥିତ ହୋଇଛନ୍ତି । ଏଥିରେ ମହିଳାଙ୍କ ସ୍ୱାମୀଙ୍କ ଘର ଲୋକ ଓ ଗାଁର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଉଭୟ ପ୍ରେମୀଯୁଗଳ ସ୍ୱାମୀ ସ୍ତ୍ରୀ ଭାବେ ଏକତ୍ର ରହିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି । ସୂଚନା ଅନୁସାରେ ପ୍ରେମିକ ଗୋବିନ୍ଦ ବରିହା (୨୫) ଓ ପ୍ରେମିକା ଯଶୋସ୍ୱନୀ (୨୪) ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶେଷରେ ଯଶୋସ୍ୱନୀ ନିଜ ୩ ବର୍ଷ ଶିଶୁ ପୁଅକୁ ସାଙ୍ଗରେ ନେଇ ପ୍ରେମିକ ସହ କୁଆଡେ ଫେରାର ମାରିଥିଲେ l ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା l ଘଟଣାରୁ ପ୍ରକାଶ ଯେ, ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଅନ୍ତର୍ଗତ ନୂଆଁମୁଣ୍ଡା ଗ୍ରାମର ଦୈତାରି ବରିହାଙ୍କ ବିବାହ ସାମାଜିକ ରୀତିନୀତି ଅନୁଯାୟୀ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଧିନ ନରସିଂହପୁର ଗାଁର ଭୁବନ ବରିହାଙ୍କ ଝିଅ ଯଶୋସ୍ୱିନୀଙ୍କ ସହିତ ୨୦୧୬ ମସିହାରେ ହୋଇଥିଲା | ଘଟଣା ଦିନ ସ୍ତ୍ରୀ ଯଶୋସ୍ବିନୀ ଓ ଦୈତାରୀ ଗତ ୫ ତାରିଖ ବୁଧବାର ରାତିରେ ଖାଇବା ସାରି ସମସ୍ତେ ଶୋଇ ଯାଇଥିଲେ | ତେବେ ରାତି ୧ ଘଣ୍ଟା ସମୟରେ ଦୈତାରୀ ଚେଇଁ ଉଠିବା ପରେ ସ୍ତ୍ରୀ ଓ ପୁଅକୁ ବିଛଣାରେ ପାଇ ନ ଥିଲେ | ଅନେକ ଖୋଜାଖୋଜି ପରେ ମଧ୍ୟ ଦୁହିଁଙ୍କ ସନ୍ଧାନ ମିଳି ନ ଥିଲା | ଏହାପରେ ଶିଶୁ ପୁତ୍ରକୁ ନେଇ ସ୍ତ୍ରୀ ଯଶୋସ୍ବିନୀ କୁଆଡେ ପଳାଇ ଯାଇଥିବା ନେଇ ଦୈତାରୀ ଗତ ୬ ତାରିଖ ସନ୍ଧ୍ୟାରେ ଟିକ୍ରାପଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ | ଏହା ସହିତ ଯଶୋସ୍ୱିନୀ ଯିବା ବେଳେ ସାଙ୍ଗରେ ଦେଢ଼ ଭରି ସୁନା ଅଳଙ୍କାର ଓ ବ୍ୟାଙ୍କ ଜମାଖାତା ମଧ୍ୟ ନେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ | ଅଭିଯୋଗକୁ ଭିତ୍ତି କରି ଏନେଇ ସଇଁତଲା ଥାନାରେ ଏକ ମାମଲା (ନଂ ୫/୨୩) ରୁଜୁ କରି ପୋଲିସ ତରଫରୁ ଅନୁସନ୍ଧାନ ଚାଲୁ ରହିଥିଲା | ତେବେ ସେହି ଗାଁର ଗୋବିନ୍ଦ ବରିହା ନାମକ ଯୁବକ ମଧ୍ୟ ଗାଁରେ ଅନୁପସ୍ଥିତ ଥିବାରୁ ସମସ୍ତଙ୍କ ସନ୍ଦେହ ଗୋବିନ୍ଦ ଉପରେ କେନ୍ଦ୍ରୀଭୂତ ହୋଇଥିଲା | ଗୋବିନ୍ଦ ଯଶୋସ୍ୱିନୀଙ୍କ ମାମୁଁ ପୁଅ ଭାଇ ବୋଲି ଜଣାପଡିଥିଲା | ଫେରାରର ୭ ଦିନ ପରେ ଯଶୋସ୍ୱିନୀ ଓ ତାଙ୍କ ପ୍ରେମିକ ଗୋବିନ୍ଦ ଶିଶୁ ଶେଖର ଚନ୍ଦ୍ରକୁ ନେଇ ଟିକ୍ରାପଡା ଫାଣ୍ଡିରେ ପହଞ୍ଚିଥିଲେ | ଏଥିରେ ସ୍ୱାମୀ ସ୍ତ୍ରୀ ଭାବେ ରହିବାକୁ ରାଜି ଥିବା ସେମାନେ ପୋଲିସ ଆଗରେ କହିଥିଲେ | ଏ ନେଇ ଫାଣ୍ଡି ଅଧିକାରୀ ଗୋପାଳଚନ୍ଦ୍ର ମିଶ୍ର ମହିଳାଙ୍କ ସ୍ୱାମୀ ଦୈତାରୀ ଘର ଲୋକଙ୍କୁ ଡକାଇ ମତାମତ ଲୋଡ଼ିବାରେ ସେମାନେ ଏଥିରେ ସମ୍ମତି ଜଣାଇଥିଲେ | ଏହାପରେ ସ୍ୱାମୀ ସ୍ତ୍ରୀ ଭାବେ ଏକତ୍ର ରହିବେ ବୋଲି ଉକ୍ତ ମହିଳା ଓ ତାଙ୍କ ପ୍ରେମିକ ଗୋବିନ୍ଦ ବୁଝାମଣା ପତ୍ର ଲେଖି ଦେଇଥିଲେ | ଏହା ସହ ମହିଳା ଜଣକ ଶିଶୁ ଶେଖରଚନ୍ଦ୍ରକୁ ଦୈତାରୀଙ୍କ ପାଖରେ ଛାଡିବାକୁ ରାଜି ହେବାରୁ ଶିଶୁକୁ ବାପା ଦୈତାରୀଙ୍କୁ ହସ୍ତାନ୍ତର କରିଥିଲେ | ଏହି ସମୟରେ ଦୀନବନ୍ଧୁ ଠାକୁର, ମଧୁସୂଦନ ବରିହା, ସୁବାସଚନ୍ଦ୍ର ରାଜପଲିଆ, ମାଧ ମିର୍ଦ୍ଧା, ଗୌତମ ବରିହା, ଜୟକାନ୍ତ ବରିହାଙ୍କ ସମେତ ଗାଁର ଭଦ୍ର ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.