ରୁପ୍ରାରୋଡରେ ଆରମ୍ଭ ହେଲା ଛପନ ପ୍ରହର ନାମଯଜ୍ଞ ଓ ଦେବସର ଧାମ ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଦେବସର ଧାମ ଠାରେ ଆଜି (୧୭ ଅପ୍ରେଲ ସୋମବାର) ଠାରୁ ଆରମ୍ଭ ହୋଇଯାଇଛି ଛପନ ପ୍ରହର ନାମ ଯଜ୍ଞ । ଏହାସହ ନବ ନିର୍ମିତ ଦୁର୍ଗା ମନ୍ଦିରର ପ୍ରତିଷ୍ଠା ଉତ୍ସବ ମଧ୍ୟ ଆରମ୍ଭ ହୋଇଯାଇଛି । ଶନିବାର ସନ୍ଧ୍ୟାରେ ଦେବସର ଧାମ ଠାରୁ ଦିବ୍ୟ ଜ୍ୟୋତି ଆସି ରୁପ୍ରାରୋଡରେ ପହଞ୍ଚିଥିଲା । ରବିବାର ଅଧିବାସ, ଅଙ୍କୁରାରୋପଣ ଓ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଜି ସକାଳ ୭.୩୦ରେ ନାମ ଯଜ୍ଞ ଆରମ୍ଭ ହୋଇଛି । ମନ୍ଦିର ପଛପଟ ପଡ଼ିଆରେ ମିନାବଜାର ସହ ବିଭିନ୍ନ ଷ୍ଟଲ ଲାଗିଛି । ଅପ୍ରେଲ ୧୬ରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୭ ତାରିଖ ସକାଳୁ ନାମ ଆରମ୍ଭ ହୋଇଥିବା ନାମ କ୍ରମାଗତ ଭାବେ ଚାଲି ୨୪ ତାରିଖ ଦିନ ପୂର୍ଣ୍ଣାହୁତି ହେବ । ଏହାରି ଭିତରେ ୨୨ ତାରିଖରେ ବିଗ୍ରହ ସମୁହ ନଗର ପରିକ୍ରମା କରିବେ । ୨୩ରେ ବିଗ୍ରହଙ୍କ ମନ୍ଦିର ପ୍ରବେଶ ନିତି ସହ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ରହିଥିବା ଦେବସର ଧାମ ଟ୍ରଷ୍ଟ ବୋର୍ଡ ସଭାପତି ମୁଲଚନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି । ମନ୍ଦିର ପ୍ରତିଷ୍ଠା ସହ ୫୬ ପ୍ରହର ନାମ ଯଜ୍ଞ, ମିନାବଜାର ହେଉଥିବାରୁ ଅଞ୍ଚଳରେ ପ୍ରବଳ ଉତ୍ସୁକତା ଦେଖିବାକୁ ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.