ପ୍ରେମ ପ୍ରତାରଣାର ଶିକାର ହୋଇ ଜୀବନ ହାରିଲା ନାବାଳିକା; ଶବ ସତ୍କାର ପାଇଁ ଆସିଲେନି କେହି, କାନ୍ଧଦେଲେ ସାମ୍ବାଦିକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା):  ପ୍ରେମ  ପ୍ରତାରଣାର ଶିକାର ହୋଇ ଜଣେ ନାବାଳିକାର ଅମୂଲ୍ୟ ଜୀବନ ଚାଲିଯାଇଛି । ପରିସ୍ଥିତି ଏଭଲି ମୋଡରେ ପହଞ୍ଚିଲା ଯେଉଁଠି ଉଭୟ ପରିବାରର କୌଣସି ସଦସ୍ୟ ନାବାଳିକାର ଶବ ସତ୍କାର ପାଇଁ ପାଦ ଆଗକୁ ବଢାଇଲେ ନାହିଁ । ବାଧ୍ୟ ହୋଇ ଉପସ୍ଥିତ ସାମ୍ବାଦିକ ଏବଂ ସ୍ଥାନୀୟ ପୋଲିସ ଶବ ସତ୍କାର କାର୍ଯ୍ୟ ପାଇଁ ଅଣ୍ଟା ଭିଡିଥିଲେ । ସମ୍ପର୍ଣ୍ଣ ଘଟଣା ଏମିତି ଥିଲା, ଦୁଇ ବର୍ଷର ପ୍ରେମ ସମ୍ପର୍କରେ ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ପ୍ରେମିକା ଜଣକ ବିବାହ ପ୍ରସ୍ତାବ ଦେବା ପରେ ପ୍ରେମିକ ଭିନ୍ନ ଜାତିର ହୋଇଥିବାରୁ ବିବାହ କଥାକୁ ପ୍ରତ୍ୟାଖ୍ୟାନ କରୁଥିଲା । ଏଣେ ନିଜର ସବୁ କିଛି ଅର୍ପଣ କରିଥିବା ପ୍ରେମିକାଟି ବିବାହ ପାଇଁ ଅଡି ରହିଥିବାବେଳେ ପ୍ରେମିକ ଜଣକ ତା’କୁ ବିଷ ଦେଇଥିଲା ।  ଡାକ୍ତରଖାନାରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ନିରବି ଗଲେ ପ୍ରେମିକା । ସୂଚନା ଅନୁସାରେ, କୋକସରା ଥାନା ନୂନପାଣି ଗ୍ରାମର ରିମା ନାଗ (ଛଦ୍ମନାମ) ନାବାଳିକାଙ୍କ ବୁର୍ଲା ଠାରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଛି । ନାବାଳିକା ଓ ଗ୍ରାମର ସମୀର ପୁଝାରୀଙ୍କ ମଧ୍ୟରେ ଦୀର୍ଘ ୨ବର୍ଷ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଉଭୟ ଭିନ୍ନ ଜାତିର ହୋଇଥିବା ଯୋଗୁଁ ପ୍ରେମରେ ଏକ ପ୍ରକାର ଫାଟ ସୃଷ୍ଟି ହୋଇଥିଲା । ନାବାଳିକା ନିଜର ସର୍ବସ୍ବ ସମୀର ପାଖରେ ଅର୍ପଣ କରିଥିବାବେଳେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଅଡି ବସିଥିଲା । ହେଲେ ସମୀର ଭିନ୍ନ ଜାତିର ହୋଇଥିବା ନେଇ ବିବାହ କୁ ଅସ୍ଵୀକାର କରି ତାକୁ ଶେଷରେ ବିଷ ଆଣି ଦେଇଥିଲେ । ପ୍ରେମିକା ନିରାଶ ହୋଇ ସମୀର ଦେଇଥିବା ବିଷକୁ ଗତ ମାସ ୧୯ ତାରିଖ ଦିନ ସମୀରଙ୍କ ଘର ଆଗରେ ପିଇଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ସମୀରର ବାପା ମା’ ପ୍ରଥମେ ଧର୍ମଗଡ, ପରେ ଭବାନୀପାଟଣା ଆଉ ଶେଷରେ ବୁର୍ଲା ଡାକ୍ତରରେ ଭର୍ତ୍ତି କରିଥିଲେ । ସୋମବାର ସକାଳ ନାବାଳିକା ଝିଅର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ମୃତ ଦେହ ଗାଁକୁ ସନ୍ଧ୍ୟାରେ ପହଞ୍ଚିବା ପରେ ନାବାଳିକା ପରିବାର ଲୋକେ ନିଜ ଘରକୁ ନନେଇ ସିଧାସଳଖ ସମୀରଙ୍କ ଘର ସମ୍ମୁଖରେ ରଖି ସମୀରଙ୍କ ଗିରଫ ଦାବିରେ ଅଡ଼ି ରହିଥିଲେ । ଏହି ଘଟଣାକୁ ନେଇ ନାବାଳିକାର ବାପା କୋକସରା ଥାନାରେ ଏକ ଅଭିଯୋଗ କରିଛନ୍ତି । ଖବର ପାଇ କୋକସରା ଥାନା ଅଧିକାରୀ ପ୍ରଶନ୍ନ ବେହେରା ଘଟଣା ସ୍ଥଳକୁ ପହଞ୍ଚି ମୃତ ପରିବାରକୁ ବୁଝାସୁଝା କରିଥିବାବେଳେ ପୋଲିସ ନାକେଦମ ହୋଇଥିଲା । ଏଣେ ପାଖାପାଖି ଦୀର୍ଘ ୧୪ ଘଣ୍ଟା ବିତି ଗଲା, ପ୍ରେମିକର ଘର ଆଗରେ ଶବ ପଡିରହି ସତ୍କାର ହୋଇ ପାରୁ ନଥିଲା । ଅନ୍ୟପଟେ ସମୀରକୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି । ଗାଁରେ ଶବ ସତ୍କାର ପାଇଁ ଉଭୟ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ବୈଠକରେ ପରିବାର ଲୋକେ ଶବ ସତ୍କାର ପାଇଁ ମନା କରିଦେଲେ । ଏମିତି କି ସାମାଜିକ ବାସନ୍ଦ ଭୟରେ ଗାଁ ଲୋକ ମଧ୍ୟ ପାଖକୁ ଆସିଲେ ନାହଁ । ପରେ ସ୍ଥାନୀୟ ସାମ୍ବାଦିକ ମାନେ ଗାଁରେ ବୁଲି ବୁଲି କାଠ ସଂଗ୍ରହ କରିଥିଲେ ଏବଂ ପଡିରହିଥିବା ଶବକୁ ଉଠାଇବା ସହ ସତ୍କାର କରିଥିଲେ । ତେବେ ଜନପ୍ରତିନିଧି ଓ କୋକସରା ଥାନା ଅଧିକାରୀ ପ୍ରଶନ୍ନ ବେହେରା, ସବ୍ ଇନ୍ସପେକ୍ଟର ହେମନ୍ତ କୁମାର ପାତ୍ର ମଧ୍ଯ ଶବ ବୋହି ଥିଲେ । ଶବ ସତ୍କାର ସମୟରେ ଧର୍ମଗଡ଼ ତହସିଲଦାର କୃଷ୍ଣଚନ୍ଦ୍ର ବରିହା ମଧ୍ୟ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.