ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାକାଣ୍ଡ: ଭିଏଚପିର ବନ୍ଦ ଡାକରା, ବିଜେପିର ସମର୍ଥନ, ନର୍ଲାରେ ପ୍ରତିଫଳିତ ହେଲା ବନ୍ଦ ର ପ୍ରଭାବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମ୍ବଲପୁରରେ ହନୁମାନ ଜୟନ୍ତୀ ହିଂସାକାଣ୍ଡର ପ୍ରତିବାଦରେ ଆଜି ୧୪ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ବ ହିନ୍ଦୁ ପରିଷଦ ‌। ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ତି, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡ଼ା ଏପରି ୧୪ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ସମେତ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିବ । ଅନେକ ଜିଲ୍ଲାରେ ବନ୍ଦ ଡାକରାର ପ୍ରଭାବ ମଧ୍ୟ ଦେଖିବା ପାଇଁ ମିଳିଛି । ଭିଏଚପିର ହରତାଳକୁ ସମର୍ଥନ କରୁଛି ବିଜେପି । ତେବେ ଏହି ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଦେଇଛି ପୂର୍ବ ଓଡିଶା ବଜରଙ୍ଗ ଦଳ । ସେହିପରି ବିଶ୍ବ ହିନ୍ଦୁ ପରିଷଦର ବନ୍ଦ ଡାକରାକୁ ଭାରତୀୟ ଜନତା ପାର୍ଟି ମଧ୍ୟ ସମର୍ଥନ କରୁଥିବା ଦଳର ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଅନ୍ୟପଟେ ଆଜି ସାରା ରାଜ୍ୟରେ ଶାନ୍ତି ଶୋଭାଯାତ୍ରା କରିବ ବିଜେପି । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲାର ପ୍ରାଣକେନ୍ଦ୍ର କୁହାଯାଉଥିବା ଚାରିଛକ, ଛତିକୁଡ଼ା, ବାଲିପଡା, ରୁପ୍ରା ପ୍ରଭୃତି ସ୍ଥାନରେ ସକାଳ ୬ ଘଣ୍ଟାରୁ ଆରମ୍ଭ ହୋଇଯାଇଥିଲା ବନ୍ଦ କାର୍ଯ୍ୟକ୍ରମ । ବଜରଙ୍ଗ ଦଳ, ବିଶ୍ବହିନ୍ଦୁ ପରିଷଦ ଓ ବିଜେପି କର୍ମୀ ହାତରେ ପତାକା ଧରି ଗାଡି ମୋଟର ଅଟକାଇବା ସହିତ ଦୋକାନ ବଜାର ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ କରିଥିଲେ । ନର୍ଲାରେ ସକାଳ ୬ ରୁ ଖବର ଲେଖିବା ସମୟ ମଧ୍ୟାହ୍ନ ୧୨.୩୦ ଯାଏଁ ବନ୍ଦ ରହିଥିଲା ଦୋକାନ ବଜାର । ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ମନ୍ମୟ ଚାନ୍ଦ, ପ୍ରଦୀପ ନାଏକ, ରତ୍ନାକର ପାଢ଼ୀ, ବିଷ୍ଣୁ ଚରଣ ବଡ଼ପଣ୍ଡା, ହୃଷିକେଶ ବୁଦ୍ଧିଆ, ଆଶୁତୋଷ ପାଢ଼ୀ, ଅଜିତ କୁମାର ନାଏକ, ସରୋଜ ବୁଦ୍ଧିଆ, ଲକ୍ଷ୍ମଣ ଦୀପ, ଦଶରଥ ସାହୁ, ସଚିନ ବଡ଼ପଣ୍ଡା, ଗଗନ ବିହାରୀ ସା, ଅଜୟ ନନ୍ଦ, ଅଜୟ ନାଏକ ପ୍ରମୁଖ ବନ୍ଦ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ । ନର୍ଲାରେ ମୋଟାମୋଟି ବନ୍ଦ ସଫଳ ରହିଥିଲା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.