ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): ନବବଧୁ ରୂପରେ ସଜ୍ଜିତ ହୋଇଛି ରୁପ୍ରାରୋଡ । ଜଗତଜନନୀ ଦେବୀ ଦୁର୍ଗାଙ୍କ ଆରଧନାରେ ମୁଖରିତ ହେଉଛି ଗଗନ ପବନ । ହରି ନାମାମୃତ ପାନ କରି ଭକ୍ତି ରଶରେ ନିମଜ୍ଜିତ ହୋଇ ଯାଉଛନ୍ତି ଭକ୍ତ । ପ୍ରତହ୍ୟ ଘୃତ ଯଜ୍ଞ, ନାମ ଯଜ୍ଞ, ଜ୍ଞାନ ଯଜ୍ଞ ଓ ଅନ୍ନ ଯଜ୍ଞ ବିଧିବତ୍ ଚାଲିଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ସ୍ଥିତ ଦେବସର ଧାମରେ । ଅପ୍ରେଲ ୧୬ରୁ ଏଠାରେ ଆରମ୍ଭ ହୋଇଯାଇଛି ଦୁର୍ଗା ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଯାହା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ଆୟୋଜିତ ହୋଇଛି ଛପନ ପ୍ରହର ଅଖଣ୍ଡ ନାମ ଯଜ୍ଞ । ବୁଧବାର ମନ୍ଦିର ପ୍ରତିଷ୍ଠା ସମାରୋହର ଚତୁର୍ଥ ଦିବସ ହୋଇଥିବାବେଳେ ଆସନ୍ତା ୨୩ ତାରିଖ ଅକ୍ଷୟ ତୃତୀୟାର ଅମୃତ ଲଗ୍ନରେ ରୁପ୍ରାରୋଡ ଦେବସର ଧାମ ସ୍ଥିତ ମନ୍ଦିରରେ ସ୍ଥାପିତ ହୋଇ ପୂଜା ପାଇବେ ଦେବୀ ଦୁର୍ଗା । ଏହାସହ ସଂକଟ ମୋଚନ ଶ୍ରୀ ହନୁମାନ, ଶିଦ୍ଧିଦାତା ଶ୍ରୀ ଗଣେଶ, ଦେବୀ ସନ୍ତୋଷୀ ଓ ବାବା ଭୈରବନାଥ ମଧ୍ୟ ନିଜ ନିଜ ମନ୍ଦିରରେ ପୂଜା ପାଇବେ । ଆଧ୍ୟାତ୍ମିକତାର ବାତାବରଣ ମଧ୍ୟରେ ରୁପ୍ରାରୋଡ ଅଞ୍ଚଳ ରହିଥିବାବେଳେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହୁଛି । ଏଠାରେ ପ୍ରାୟ ୪୦ଟି ଖାଦ୍ୟ ଷ୍ଟଲ ଲାଗିଛି । ଭଳିକି ଭଳି ଖାଦ୍ୟର ସମ୍ଭାର ଥିବାରୁ ଏହାର ଭରପୁର ମଜା ନେଉଛନ୍ତି ଦର୍ଶକ । ଖରା ଦିନ ହୋଇଥିବାରୁ ଅଧିକ ପରିମାଣରେ ଆଇସକ୍ରିମ ବିକ୍ରୀ ହେଉଥିବା ଦେଖାଯାଇଛି । ଛୋଟ ଛୋଟ ପିଲା, ମହିଳା ଓ ଯୁବକ ଯୁବତୀମାନେ ମିନାବଜାର ପଡ଼ିଆରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି । ଯୁବ ବର୍ଗ ଓ କିଶୋର କିଶୋରୀମାନେ ଆକାଶ ଦୋଳି, ବ୍ରେକ୍ ଡେନ୍ସ ସିଷ୍ଟମ ଓ ଟୋରୋ ଟୋରୋ, ସୁପର ଡ୍ରାଗନ ଆଦିରେ ବସୁଥିବା ବେଳେ ଶିଶୁମାନେ ମିନାବଜାରେ ଥିବା ରେଳଗାଡ଼ି, ଜମ୍ପିଙ୍ଗ ଗେମ୍, ଘୁର୍ଣ୍ଣନ ବଳୟ, ସ୍ମଲ ଡ୍ରାଗନ, ମିକି ମାଉସ ଆଦି ବିଭିନ୍ନ ଖେଳରେ ମାତି ଯାଉଥିବା ଦେଖିବାକୁ ମିଳୁଛି । ପୂର୍ବ ଦିନମାନଙ୍କ ଅପେକ୍ଷା ବୁଧବାର ଦିନ ଯାତ୍ରା ପଡ଼ିଆରେ ଅଧିକ ବିକ୍ରୀବଟା ହୋଇଥିବା କହିଛନ୍ତି ଦୋକାନୀମାନେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ରୁପ୍ରାରୋଡ ଓ ଅଞ୍ଚଳବାସୀ ସହଯୋଗ କରୁଛନ୍ତି । ତେବେ ଯଦି ଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ କୌଣସି ପ୍ରକାରର ଅସୁବିଧା ହୁଏ ତେବେ ପ୍ରଦୀପ ଅଗ୍ରୱାଲ, ରତନ ଅଗ୍ରୱାଲ, ବାପି ମହାନ୍ତି, ଭାରତୀ ମହାନ୍ତି, ଶ୍ୟାମସୁନ୍ଦର ଶର୍ମା, ଗୋବିନ୍ଦରାମ ଅଗ୍ରୱାଲ, ମାଧବ ନାଗ, ସୋନୁ ଲାଖଗୁଡା, ଯୋଗୀରାମ ସାହୁ କିମ୍ବା ଆଦିସ୍କନ୍ଦ ସାହୁଙ୍କୁ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି ।