ଲୁଚି କରି ଭିଟାମାଟିକୁ ଫେରିଲେ ୩ ନିର୍ଯ୍ୟାତିତ ଶ୍ରମିକ
ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ରାଜ୍ୟ ସରକାର ପ୍ରବାସୀ ଓଡ଼ିଆମାନଙ୍କର ପଞ୍ଜିକରଣ ଓ ଥଇଥାନ, ସାମାଜିକ ନିରାପତ୍ତା ଯୋଗାଇବା ପାଇଁ ନିକଟରେ ପରିବାର ନିର୍ଦ୍ଦେଶାଳୟ ନାମକ ଏକ ଯୋଜନା ଆରମ୍ଭ କରିଥିବାବେଳେ ଖୋଦ ମୁଖ୍ୟମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ଦୁଃଖ ପ୍ରଶମିତ ହେବା ପରିବର୍ତେ ଦିନକୁ ଦିନ ଏହି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଫାସୀ ପଂଚାୟତ ଭଦୁଆ ଗ୍ରାମରେ ଏଭଳି ଦୁଖଦ ଘଟଣା ଦେଖିବାକୁ ମିଳିଛି। ଗତ ସାତ ମାସ ତଳେ ଏହି ହରିଜନ ଗ୍ରାମ ର ୫ ଜଣ ପ୍ରଭାକର ଦାସ ,ସୁର ଦାସ ,କୈଳାଶ ଦାସ ଓ କବି ଦାସ , ଅଚୁତ ଦାସ ପ୍ରମୁଖ ଶ୍ରମିକ ମାନେ ସମୁଦ୍ର ରେ ମାଛ ଡଙ୍ଗା ରେ ଜାଲ ଟାଣିବା ପାଇଁ ମାସିକ ଖାଇବା ପିଇବା ସହ ୧୨ ହଜାର ଟଙ୍କା ପାରିଶ୍ରମିକ ପାଇବା ଆଶା ରେ ଚେନ୍ନାଇ ଯାଇଥିଲେ। କିଛି ଦିନ କାମ କଲା ପରେ ଉକ୍ତ ଶ୍ରମିକମାନେ ପାରିଶ୍ରମିକ ଅର୍ଥ ମାଗିଥିଲେ, ଯାହା ଫଳରେ ଉକ୍ତ ଶ୍ରମିକମାନଙ୍କୁ ଚେନ୍ନାଇର ସମୁଦ୍ର ମଝିର ଭରା ଜଳରାଶିରେ ମାଡମାରି ନିର୍ଯ୍ୟାତନା ଦେବା ସହ ସେମାନଙ୍କୁ ଜାଲରେ ବାନ୍ଧି ସମୁଦ୍ର ଭିତରକୁ ଫିଙ୍ଗି ଦେବା ପାଇଁ ଧମକ ମିଳୁଥିଲା। ପାରିଶ୍ରମିକ ଅର୍ଥ ନ ମିଳିବା ସହ ଖାଇବାକୁ ମାଗିଲେ ମାଡମାରିବା ଭଳି ନିର୍ଯ୍ୟାତନା ସହି ନପାରି ଉକ୍ତ ଶ୍ରମିକମାନେ କୌଶଳକ୍ରମେ ସେଠାରୁ ଲୁଚି କରି ଆସିବା ବେଳେ ଅନ୍ୟ ତିନିଜଣ ଶ୍ରମିକ ମାଲିକ କବଳରୁ ଖସି ଆସିଥିବା ବେଳେ କବି ଦାସ ଓ ଅଚୁତ ଦାସ ମାଲିକ ହାବୁଡ଼ରେ ପଡି ଯାଇଥିଲେ। ଯାହା ଫଳରେ ଏମାନଙ୍କୁ ଧରି ନେବା ପରେ ସେମାନଙ୍କୁ ନିର୍ଯ୍ୟାତନା ଦେଉଥିବା ସେଠାରୁ ଫେରି ସହଯୋଗୀ ଶ୍ରମିକ ମାନେ ସୂଚନା ଦେବା ପରେ କବି ଓ ଅଚୁତ ଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିବା ସହ ରୋଜଗାରିଆ ସଦସ୍ୟଙ୍କୁ ହରାଇ ଦୁଃଖ କଷ୍ଟରେ ପରିବାର ଲୋକମାନେ ଦିନ ବିତାଉଥିବା ବେଳେ ସେମାନଙ୍କ ସହ ଗତ ୩ ମାସ ହେଲା ଫୋନରେ କୌଣସି ଯୋଗାଯୋଗ ହୋଇପାରୁନି। ଏମାନେ ଦୀର୍ଘ ୩ ମାସ ହେଲା ନିଖୋଜ ହେବା ଏମାନଙ୍କ ପତ୍ତା ମିଳିପାରିନି। ବର୍ତମାନ ଉକ୍ତ ଶ୍ରମିକ ଦ୍ୱୟ ମୃତ ନା ଜୀବିତ, ସେ ନେଇ ପରିବାର ଲୋକ ଆଶଙ୍କାରେ ଅଛନ୍ତି l ପରିବାର ସଦସ୍ୟମାନେ ଏନେଇ କୋଦଳା ଥାନାରେ ଜଣାଇଥିବା ବେଳେ ପୋଲିସ ସେହି ନିଖୋଜ ଶ୍ରମିକଙ୍କ ଠିକଣା ମାଗିଥିଲେ ମଧ୍ୟ ପୋଲିସକୁ କୌଣସି ଠିକଣା ଦେଇପାରି ନଥିଲେ। ତେଣୁ ନିଖୋଜ ଦୁଇଜଣ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କବିର ପତ୍ନୀ କେତକୀ ଓ ଅଚୁତର ପତ୍ନୀ କୁନ୍ତୀ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ଗଂଜାମ ଜିଲ୍ଲାପାଳ ଓ ପୋଲିସ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରକାଶଥାଉକି, ଭୋଦୁଆ ଗ୍ରାମର ପ୍ରାୟ ୮୦ ପରିବାରରୁ ପାଖାପାଖି ଶହେରୁ ଉର୍ଦ୍ଧ୍ବ ହରିଜନ ଲୋକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ଗ୍ରାମବାସୀ ପ୍ରକାଶ କରିବା ସହ ଭିଟାମାଟି ନିକଟରେ ଜୀବିକା ମିଳୁନଥିବା ଯୋଗୁ ସେମାନେ ରାଜ୍ୟ ବାହାରକୁ ଶ୍ରମିକ ଭାବେ ଯାଉଥିବା ପ୍ରକାଶ। ତେଣୁ ଖଲ୍ଲିକୋଟଠାରେ ଏକ ଅତିରିକ୍ତ ଶ୍ରମ କାର୍ଯ୍ୟାଳୟ ଖୋଲିବା ସହ ଦାଦନ ଶ୍ରମିକ ସର୍ଭେ କାର୍ଯ୍ୟ ଆରମ୍ଭ କରି ପଂଚାୟତ ସ୍ତରରେ ପଞ୍ଜିକରଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।