କଳା ଶିକ୍ଷକ ନିଯୁକ୍ତିରେ ସ୍ଥାନୀୟ ଆବେଦନକାରୀଙ୍କୁ ଅଗ୍ରାଧିକାର ଦେବାକୁ ଦାବି କଲା ବଲାଙ୍ଗିର ୟୁଥ୍ ଏକ୍ସନ କମିଟି

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା): ବଲାଙ୍ଗିର ୟୁଥ୍ ଏକ୍ସନ କମିଟିର ସଭାପତି ବିନୋଦ କାଲସାଏଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବଲାଙ୍ଗିରରେ କଳା ଶିକ୍ଷକ ନିଯୁକ୍ତିକୁ ସ୍ଥାନୀୟ ଆବେଦନକାରୀଙ୍କୁ ଆଗ୍ରାଧିକାର ଦେଇ ନିଯୁକ୍ତି ଦେବା ପାଇଁ ଦାବି କରିଛି ଏହି ସଂଗଠନ । ବଲାଙ୍ଗିର ଜିଲ୍ଲାରେ ଅନେକ ଦିନରୁ କଳା ଶିକ୍ଷକ ପଦବୀ ଖାଲି ପଡିଛି । ଅନ୍ୟ ସବୁ ଜିଲ୍ଲାମାନଙ୍କରେ ନିଯୁକ୍ତି ହୋଇସାରିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ଏ ପର୍ଯ୍ୟନ୍ତ ନିଯୁକ୍ତି ହୋଇନାହିଁ । ଗତ ୨୦୧୯ ମସିହାରେ ଜିଲ୍ଲା ପ୍ରଜେକ୍ଟ କାର୍ଯ୍ୟାଳୟ ବଲାଙ୍ଗିର ତରଫରୁ ପତ୍ର ସଂଖ୍ୟା ୩୮୨୬ ତା.୨୭.୧୨.୨୦୧୯ ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ କଳା ଶିକ୍ଷକ ୧୬୯ ପଦବୀ ଓ ଖେଳ ଶିକ୍ଷକ ୨୧ ପଦବି ଥିଲା । ତାହା ସେହି ସମୟରେ ନିଯୁକ୍ତି ହୋଇନଥିଲା । ପରବର୍ତ୍ତି ସମୟରେ ୨୦୨୨ ରେ ପତ୍ର ସଂଖ୍ୟା ୨୦୫୭ ତା.୨୫.୦୮.୨୦୨୨ ରେ କଳା ଶିକ୍ଷକ ୧୨୬ ପଦବି ବାହାରିଥିଲା । ଅନେକ ସମୟରେ ଆଶାୟୀ ପ୍ରାର୍ଥୀଙ୍କ ଅଭିଯୋଗ ହୋଇ ଆସୁଛି ଯେ ନିଯୁକ୍ତିରେ କାହିଁକି ବିଳମ୍ବ ଘଟୁଛି । କେଉଁ କାରଣରୁ ଘଟୁଛି । ଜିଲ୍ଲା ପ୍ରଶାସନ ଜାଣିଶୁଣି ବିଳମ୍ବ କରୁଛି ଏବଂ ଜିଲ୍ଲା ବାହାରର ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦେବାର ମସୁଧା କରୁଛି ଏବଂ ଗୋଟିଏ ପରେ ଗୋଟିଏ ବିଜ୍ଞପ୍ତି ବାହାର କରୁଛି ଯେଉଁଥିରେ ସ୍ଥାନୀୟ ଆଶାୟୀ ପ୍ରାର୍ଥୀ ହତାଶ ହେବାରେ ଲାଗିଛନ୍ତି । ଅନେକ ସମୟରେ ନଜର ରହିଛି ଯେ ସ୍ୱଳ୍ପ ବେତନ ଯୋଗୁଁ କଳା ଶିକ୍ଷକ ବାହାର ଜିଲ୍ଲାରୁ ପ୍ରାର୍ଥୀ ଚାକିରି ପାଇବା ସତ୍ତ୍ୱେ କିଛି ଦିନ କାର୍ଯ୍ୟରେ ଯୋଗ ଦେଲା ପରେ ରହିବା, ଖାଇବା ଅନେକ ସମସ୍ୟା ଯୋଗୁଁ ଚାକିରି ଛାଡି ପଳାଉଛନ୍ତି । ସେହି ସ୍ଥାନ ଗୁଡିକ ଖାଲି ହୋଇ ପଡୁଛି ଏବଂ ଯେଉଁମାନେ ରହୁଛନ୍ତି କମ୍ ଦରମା ହେତୁ ଅନେକ ଦୁର୍ନିତି କରିବା ପାଇଁ ବାଧ୍ୟ ହେଉଛନ୍ତି । ତେଣୁ ବଲାଙ୍ଗିର ୟୁଥ ଏକ୍ସନ କମିଟି ତରଫରୁ ଦାବି କରାଯାଉଛି ଯେ ବଲାଙ୍ଗିର ଜିଲ୍ଲାର କଳା ସାଂସ୍କୃତି ସଂଘ ଓ ବ୍ଲକ ସାଂସ୍କୃତିକ ସଂଘ ମାନଙ୍କରେ ଜଡିତ ହୋଇ ଯେଉଁମାନଙ୍କର ଅଭିଜ୍ଞତା ଅଛି ଏବଂ ସେମାନେ ବଲାଙ୍ଗିର ଜିଲ୍ଲାର ସେମାନଙ୍କୁ ପ୍ରଥମେ ନିଯୁକ୍ତି ଦେବାକୁ ଦାବି କରାଯାଉଛି । ଆଜିର ଏହି କାର୍ଯ୍ୟକ୍ରମରେ ୟୁଥ ଏକ୍ସନ କମିଟିର ଉପସଭାପତି ପିଙ୍କୁ ବନଛୋର, ରବି ଖମାରୀ, ଉପଦେଷ୍ଟା ପ୍ରଶାନ୍ତ ନାୟକ, ସଂଯୋଜକ ରିଲୁ ରଥ, ସଂପାଦକ ସୁମେଶ ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.