୨୦୦ ଗାଁର ଦେବାଦେବୀଙ୍କ ମିଳନର ପାର୍ବଣ; ମା’ ପେଣ୍ଡ୍ରାଣୀ ଦେବୀଙ୍କ ପଞ୍ଚ ବାର୍ଷିକ ମଣ୍ଡେଇ ଯାତ୍ରା 

ଉତ୍ସବ ମୁଖର କୋକସରା ବ୍ଲକର ମହିମା ମାଲପଡା, ସୋମବାର ମଣ୍ଡେଇ ଯାତ୍ରା ହେବ ସମାପନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ମାଲପଡା ଠାରେ ମାଁ ପେଣ୍ଡ୍ରାଣୀ ଦେବୀଙ୍କ ପଞ୍ଚ ବାର୍ଷିକ ମଣ୍ଡେଇ ଯାତ୍ରା ଧୁମଧାମର ସହିତ ପାଲିତ ହୋଇଛି । ଶନିବାର ଭଣ୍ଡାରପୂଜା, ବଳୀପ୍ରଥା ସହ ପୂଜାର ପ୍ରାରମ୍ଭ ହୋଇଥିବାବେଳେ ରବିବାର ମଣ୍ଡେଇ ଯାତ୍ର ଉତ୍ସବଟି ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ଦୁଇ ଶହ ଗ୍ରାମରୁ ଦେବାଦେବୀ ମାନଙ୍କୁ ନିମନ୍ତ୍ରିତ କରାଯାଇଛି। ସମସ୍ତ ନିମନ୍ତ୍ରିତ ଦେବାଦେବୀ ମାନଙ୍କ ଲାଠି କାଲିଶୀ ଓ କୁର୍ସୀ ମାଳପଡା ଗ୍ରାମରେ ପହଞ୍ଚିବା ପରେ ଗାଁ ମୁଣ୍ଡରୁ ଲାଠି ଓ କାଲିସୀକୁ ଭବ୍ୟ ସ୍ୱାଗତ୍ କରାଯାଇ ପାଛୋଟି ନିଆ ଯାଇଥିଲା। ପରେ ଲାଠି ଓ କାଲିସୀ ବିରାଟ ପଟୁଆରରେ ବାହାରି ଗ୍ରାମ ପରିକ୍ରମା କରି ମନ୍ଦିର ପରିସରରେ ପହଞ୍ଚିଥିଲା । ଆଦିବାସୀ ପାରମ୍ପାରା ରିତିନୀତି ଅନୁସାରେ ପୁଜାପାଠ ହେବା ସହ ମଣ୍ଡେଇ ଯାତ୍ରା ଆରମ୍ଭ ହୋଇଛି । ଏହି ପଞ୍ଚ ବାର୍ଷିକ ମଣ୍ଡେଇ ଯାତ୍ରା ମହୋତ୍ସବ ପ୍ରତି ପାଞ୍ଚବର୍ଷ ଅନ୍ତରାଳେ ହେଉଥିବାବେଳେ ୨୦୧୯ ମସିହାରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା। ତେବେ ଚଳିତ ବର୍ଷ ୫ବର୍ଷ ବଦଳରେ ଦେବୀଙ୍କ ଆଦେଶ କ୍ରମେ ୪ବର୍ଷରେ ଏଥର ପାଳିତ ହେଉଥିବା ସୂଚନା ରହିଛି। ମା’ଙ୍କ ଯାତ୍ରାରେ କଳାହାଣ୍ଡି ଜିଲ୍ଲା ସମେତ ନୂଆପଡା, ନବରଙ୍ଗପୁର ଓ ପଡୋଶୀ ଛତିଶଗଡ, ମହାରାଷ୍ଟ୍ରରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଲୋକେଙ୍କ ସମାଗମ ହୋଇଥିଲା । ଏଠାରେ ମୂଖ୍ୟ ଦେବୀ ଭାବରେ ମା’ ପେଣ୍ଡ୍ରାଣୀ ପୂଜା ପାଉଥିବାବେଳ ପାର୍ଶ୍ୱ ଦେବାଦେବୀ ମଧ୍ୟରେ କଲାରେନ୍‌, ପେଡ୍ରାଗୋଡେନ୍‌, ଲୁହାଖଡେନ୍‌, ଘର୍ଜାଡୁମା, ନିଙ୍ଗାମା’ ଓ ଝିଟକୁ ଆଦି ପୂଜା ପାଇଁଥାନ୍ତି। ମା’ ପେଣ୍ଡ୍ରାଣୀ ଦେବୀଙ୍କୁ କେବଳ ଶୁକ୍ଲ ଭୋଗରେ ନଡିଆ, କଦଳୀ, ଚୁଡା, ଗୁଡ ଆଦି ପ୍ରଦାନ କରାଯାଉଥିବା ବେଳ ପାର୍ଶ ଦେବାଦେବୀ ମାନଙ୍କ ପାଖରେ କୁକୁଡା, ପାରା, ମେଣ୍ଢା ଆଦି ବଳୀ ଲାଗିଥାଏ । କୁହାଯାଏ ୧୯୮୪ ମସିହାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପ୍ରତି ପାଞ୍ଚବର୍ଷରେ ଥରେ ହେଉଥିବାବେଳେ ଏଠାରେ ପୂଜା ପାଉଥିବା ମା’ ପେଣ୍ଡ୍ରାଣୀ ଦେବୀଙ୍କ ମୂଖ୍ୟ ପୀଠ ନବରଙ୍ଗପୁର ଜିଲ୍ଲା ଝରୀଗାଁ ଥାଟବେଡାରେ ବୋଲି ଜଣାଯାଏ। ଚଳିତ ବର୍ଷ ଯାତ୍ରାରେ ଜିଲ୍ଲା ତଥା ରାଜ୍ୟ ବାହାରୁ ପାଞ୍ଚ ହଜାରୁ ଉର୍ଦ୍ଧ ମାନସିକ ଧାରୀ ଶ୍ରଧାଲୁ ମାନଙ୍କ ସମାଗମ ହୋଇଥିଲା। ପୂର୍ବରୁ କରିଥିବା ବିଭିନ୍ନ ମାନସିକ ପୂରଣ ହୋଇଥିବା ଯୋଗୁଁ ଏଠାକୁ ଆସି ବଳୀ ଦେବା ପାଇଁ ଶ୍ରଦ୍ଧାଳୁ କହିଥିବାବେଳେ ପୂଜା କମିଟି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ମୂଖ୍ୟ ପୂଜକ ପବିତ୍ର ଧ. ମାଝୀ, ଶିରା କେଶରୀ ଧଙ୍ଗଡାମାଝୀ, ସଭାପତି ଧନବଳ ବାଣୁଆଁ, ସଂପାଦକ ଥବିର ବାଣୁଆଁ, କୋଷାଧ୍ୟକ୍ଷ ଗରୁଡଧ୍ୱଜ୍ ମାଝୀ, ଉପ ସଭାପତି ଭଗବାନ ଧଙ୍ଗଡାମାଝୀ, ତୁଲାରାମ ଧଙ୍ଗଡାମାଝୀ ପ୍ରମୁଖ ପରିଚାଳନା ଦାୟୀତ୍ୱ ନିର୍ବାହ କରୁଛନ୍ତି । ପୂଜା କମିଟିର ସମସ୍ତ କର୍ମକର୍ତ୍ତା ମାନେ ବିଭିନ୍ନ କାର୍ଯ୍ୟରେ ସହଯୋଗ କରୁଥିବା ବେଳେ ଗ୍ରାମବାସୀ ମଧ୍ୟ ବିଶେଷ ସହଯୋଗ କରୁଛନ୍ତି । ସୋମବାର ବଳୀପ୍ରଥା ସହ ପ୍ରସାଦ ସେବନ କାରାଯିବା ଓ ଯାତ୍ରା ସମାପନ ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଭିଡ଼କୁ ନିୟନ୍ତ୍ରଣ କରିବା ନିମନ୍ତେ ଆମପାଣି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.