ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଗ୍ରାମର ବହୁ ପ୍ରସିଦ୍ଧ ୨୪ ପ୍ରହର ନାମଯଜ୍ଞ ଆଜି ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି । ଏନେଇ ସୋମବାର ଅପରାହ୍ନ ୫ ଘଣ୍ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସର୍ଗିଗୁଡାର ଶତାଧିକ ଶ୍ରଦ୍ଧାଳ ମହିଳା ଓ ପୁରୁଷ ଭକ୍ତ ଏଥିରେ ସାମିଲ ହୋଇଥିଲେ । ସାନ୍ଦୁଲ ନଦୀରେ ପୂଜା ପାଠ ପରେ କଳସରେ ଜଳନେଇ ସର୍ଗିଗୁଡା ନାମଯଜ୍ଞ ମଣ୍ଡପ ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ୨୪ ପ୍ରହର ନାମଯଜ୍ଞର କର୍ତ୍ତା ଗୌରଚନ୍ଦ୍ର ବେହେରା ଦମ୍ପତି ମୁଖ୍ୟ କଳସ ମୁଣ୍ଡେଇ କଳସ ଯାତ୍ରାର ସର୍ବାଗ୍ରେ ଚାଲିଥିଲେ । ସଂର୍କୀର୍ତ୍ତନ ମଣ୍ଡଳୀ ସହ ଏହି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କଳସ ଯାତ୍ରୀ ସମୁହ ନାମଯଜ୍ଞ ମଣ୍ଡପକୁ କଳସ ନେଇ ଆସିବା ପରେ ବ୍ରହ୍ମା ପଣ୍ଡିତ ଘନଶ୍ୟାମ ତ୍ରିପାଠୀ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ସହଯୋଗୀ ଭାବରେ ପାଚକ ନାରାୟଣ ପାଢୀ ମଣ୍ଡପ ଭିତରେ ଓ ମଣ୍ଡପ ପରିସରରେ ସର୍ଗିଗୁଡାର ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ କଳସ ସ୍ଥାପନା କରିବା ସହ ବିଲ୍ୱ ବରଣ ଓ ଅଧିବାସ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଗତ ବର୍ଷର ଦଧିହାଣ୍ଡି କଳସର ପୂଜା ଗୁଆକୁ ପାଛୋଟି ଅଣାଯାଇଥିଲା । ନାମଯଜ୍ଞ ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ୱବାଧାନରେ ନାମଯଜ୍ଞ ପରିଚାଳିତ ହେଉଛି । ମଙ୍ଗଳବାର ସକାଳ ୬.୪୫ ସମୟରେ ନାମ ଆରମ୍ଭ ହୋଇଥିଲା । ସର୍ଗିଗୁଡାର ସଂକୀର୍ତ୍ତନ ମଣ୍ଡଳୀ ନାମ ଆରମ୍ଭ କରିଥିଲେ । ଏହା ମଙ୍ଗଳବାର, ବୁଧବାର ଓ ଗୁରୁବାର ତିନିଦିନ ଧରି ଅଖଣ୍ଡ ନାମଯଜ୍ଞ ଚାଲିବ । ଏଥିରେ ଜପକ ଭାବରେ ବୃନ୍ଦାବନ ମିଶ୍ର ଓ ତ୍ରିଲୋଚନ ତ୍ରିପାଠୀ ଦାଇତ୍ୱ ନିର୍ବାହନ କରୁଛନ୍ତି । ନାମଯଜ୍ଞରେ ସଂକୀର୍ତ୍ତନ ପରିବେଷଣ ପାଇଁ ଆୟୋଜକ ସର୍ଗିଗୁଡାର ଦୁଇଗୋଟି ଦଳ, ସ୍ଥାନୀୟ ବେହେରାପାଟି ଓ ଡୁମାଲପଡା ଦଳ ସମେତ କଳାହାଣ୍ଡି, ନୂଆପଡା, ବଲାଙ୍ଗୀର ଓ ବରଗଡରୁ ମୋଟ ୧୩ ଗୋଟି ସଂକୀର୍ତ୍ତନ୍ୟ ମଣ୍ଡଳୀ ଏଥିରେ ଅଂଶ ଗ୍ରହଣ କରିଥିବା ଜଣା ପଡ଼ିଛି । ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ମାନଙ୍କ ସମାବେଶ ହୋଇଥିବାରୁ ଏଥର ନାମଯଜ୍ଞ ଜୋର ଜମିବ ଓ ପ୍ରବଳ ଭକ୍ତ ସମାଗମ ହେବ ବୋଲି ଆକଳନ କରାଯାଉଛି । ଆସନ୍ତା ଶୁକ୍ରବାର ସକାଳ ୬.୪୫ ରେ ନାମ ଛାଡିବା ସହ ପୂର୍ଣ୍ଣାହୂତି ପଡିବ ବୋଲି ଜଣାପଡିଛି । ନାମଯଜ୍ଞ ପାଇଁ ସ୍ଥାୟୀ ମଣ୍ଡପକୁ ନବ ବଧୁ ଭଳି ସଜାଇ ଦିଆଯାଇଥିବା ବେଳେ ସର୍ଗିଗୁଡା ଗ୍ରାମ ଉତ୍ସଵ ମୁଖର ହୋଇଉଠିଛି ।