ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ରାଜନୈତିକ ଭବିଷ୍ଯତ ନିର୍ଦ୍ଧାରଣ କରିବେ ସୁପ୍ରିମକୋର୍ଟ


ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏକନାଥ ସିନ୍ଦେ ବନାମ ଉଦ୍ଧବ ଠାକରେ ବିବାଦ ଉପରେ ସୁପ୍ରିମକୋର୍ଟ ଆଜି ରାୟ ଦେବେ। ମାର୍ଚ୍ଚ ୧୬ରେ ପ୍ରଧାନ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱାଧୀନ ୫ ଜଣିଆ ଖଣ୍ଡପୀଠ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ଏହାପୂର୍ବରୁ କୋର୍ଟ ଉଭୟ ପକ୍ଷ ଏବଂ ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଯୁକ୍ତିକୁ ୯ ଦିନ ଧରି ଶୁଣାଣି କରିଥିଲେ। ଏହି ସମୟରେ ଉଦ୍ଧବ ଗୋଷ୍ଠୀ ଏକନାଥ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀର ବିଦ୍ରୋହ ବୋଲି କହିଥିଲେ ଏବଂ ପରେ ସରକାର ବେଆଇନ ଗଠନ କହିଥିଲେ। ଅନ୍ୟପକ୍ଷରେ ଏକନାଥ ସିନ୍ଦେ ଦଳ କହିଛନ୍ତି ଯେ ବିଧାନସଭାରେ ବିଭାଜନ ପରେ ରାଜ୍ୟପାଳ ଏହାକୁ ଫ୍ଲୋର ଟେଷ୍ଟ କରାଇ ସଂଶୋଧନ କରିଛନ୍ତି। ତେଣୁ ସରକାର ପ୍ରକ୍ରିୟା ସାମ୍ବିଧାନିକ।

୨୦୨୨ରେ ଶିବସେନାରେ ବିଭାଜନ ପରେ ଏକନାଥ ସିନ୍ଦେଙ୍କ ସମେତ ଅନେକ ବିଧାୟକ ଶିବସେନା ବିରୁଦ୍ଧରେ ବିଦ୍ରୋହ କରିଥିଲେ। ଏହି କାରଣରୁ ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ଏହା ପରେ ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏକ ନୂଆ ସରକାର ଗଠନ ହୋଇଛି। ଏହି ପ୍ରସଙ୍ଗରେ ଜୁଲାଇ ୨୦୨୨ ସମୟରେ ସୁପ୍ରିମକୋର୍ଟରେ ଅନେକ ଆବେଦନ କରାଯାଇଥିଲା। ଅଗଷ୍ଟ ମାସରେ ଏହି ମାମଲା ଏକ ସମ୍ବିଧାନ ବେଞ୍ଚକୁ ପଠାଯାଇଥିଲା। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଏକ ସମ୍ବିଧାନ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ।

ଅଦାଲତରେ ଶୁଣାଣି ସମୟରେ ଅଭିଷେକ ମନୁ ସିଂହଭି ଏବଂ କପିଲ ସିବଲ ଉଦ୍ଧବ ଠାକରେଙ୍କ ତରଫରୁ କହିଛନ୍ତି ଯେ ଯଦି ସିନ୍ଦେ ସରକାର ଚଳାଇବାକୁ ଅନୁମତି ଦିଆଯାଏ ତେବେ ଏହା ଭବିଷ୍ୟତ ପାଇଁ ଭୁଲ ଉଦାହରଣ ସୃଷ୍ଟି କରିବ। ଏଥିସହ ରାଜ୍ୟରେ ପୁରୁଣା ସ୍ଥିତିକୁ ଫେରାଇ ଆଣିବାକୁ କୋର୍ଟରେ ଦାବି କରାଯାଇଥିଲା। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଛନ୍ତି ଯେ ବହୁମତ ପରୀକ୍ଷା ପୂର୍ବରୁ ଯିଏ (ଉଦ୍ଧବ ଠାକରେ) ତାଙ୍କ ପଦରୁ ଇସ୍ତଫା ଦେଇସାରିଛନ୍ତି ତାଙ୍କୁ ଏବେ କେମିତି ପୁଣିଥରେ ସମାନ ଆସନରେ ଅବସ୍ଥାପିତ ହୋଇପାରିବେ। ଏକନାଥ ସିନ୍ଦେଙ୍କ ତରଫରୁ ଓକିଲ ନୀରଜ କୌଶଲ ଏବଂ ମହେଶ ଜେଠମାଲାନି କୋର୍ଟରେ ସେମାନଙ୍କ ପକ୍ଷ ଉପସ୍ଥାପନ କରିଥିଲେ।

ସୁପ୍ରିମକୋର୍ଟ ଆଜି ଏହି ପ୍ରସଙ୍ଗରେ ନିଜର ରାୟ ଦେବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଏକନାଥ ସିନ୍ଦେଙ୍କ ସମେତ ମୋଟ ୧୫ ଜଣଙ୍କର ଅଯୋଗ୍ୟତା ଖଣ୍ଡା ଝୁଲୁଛି। ଯଦି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କର ୧୫ ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ଯ ହେବାର ରାୟ ଆସେ, ତଥାପି ସରକାରଙ୍କ ପାଇଁ କୌଣସି ବିପଦ ନାହିଁ।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାରେ ମୋଟ ବିଧାୟକଙ୍କ ସଂଖ୍ୟା ୨୮୮। ଯଦିଓ ୧୬ ଅଯୋଗ୍ୟ ହେବେ ତାହେଲେ ବିଧାନସଭାରେ ସଂଖ୍ୟା ୨୭୨ ରହିବ। ଏଭଳି ପରିସ୍ଥିତିରେ ସଂଖ୍ୟାଗରିଷ୍ଠତା ପାଇଁ ୧୩୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ମୋଟ ୧୬୪ ଜଣ ବିଧାୟକଙ୍କ ସମର୍ଥନ ରହିଛି ବିଜେପି ଶିବସେନା ପାଖରେ। ବିଧାୟକ ପଦ ରଦ୍ଦ ହେଲେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.