କୋରାପୁଟ ଦଳ ଚମ୍ପିୟାନ, ରନର୍ସ ଅପ ହେଲେ ବରଗଡ଼
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ପ୍ରଥମ କରି ଗତ ୧୩ ଓ ୧୪ତାରିଖ ଦୁଇ ଦିନ ଧରି ୧୧ତମ ଓଡିଶା ରାଜ୍ୟ ମୁଏଥାଇ (ଥାଇ ବକ୍ସିଂ)ଚାମ୍ପିଆନସିପ୍ ପ୍ରତିଯୋଗିତା-୨୦୨୩ର ଆୟୋଜନ କରାଯାଇଥିଲା । ଗତକାଲି (ରବିବାର)ରାତ୍ରରେ ଏହି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ତଥା ପ୍ରତିଯୋଗୀମାନଙ୍କୁ ନିଜ ଜୀବନରେ ଯେ କୈାଣସି ଆତ୍ମ ସୁରକ୍ଷାର ପ୍ରଶିକ୍ଷଣ ତଥା ଅନ୍ୟ ଖେଳରେ ମାହିର ହୋଇପାରିଲେ ସେ ଖେଳାଳୀ ନିଜ ଜୀବନରେ ସବୁ ସମୟରେ ପ୍ରତ୍ୟେକ ସମସ୍ୟାର ସମ୍ମୁଖୀନ ହୋଇ ବିଜୟୀ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଓଡିଶା ଦ୍ୱିତୀୟ ବାଳିକା ବାଟାଲିୟନର କମାଣ୍ଡଡେଂଟ ଅଧିକାରୀ,ଜିଲ୍ଳା କ୍ରୀଡା ଅଧିକାରୀ ଶେଖ ଅଲିନୁର, ରାୟଗଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ପ୍ରସନ୍ନ କୁମାର ଗନ୍ତାୟତ, ଡାକ୍ତର ଡି.କେ.ଦେବ,ଉତ୍କଳ ଆଲୁମିନା କମ୍ପାନୀ ଲୋକ ସଂପର୍କ ଅଧିକାରୀ ପୀତବାସ,ଜେକେ କାଗଜ କଳ ଲୋକ ସଂପର୍କ ଅଧିକାରୀ ମିଲନ ଲେଙ୍କାଙ୍କ ସମେତ ଆୟୋଜକ କମିଟିର ସାଂଗଠନିକ ସଂପାଦକ ରାଜେଶ୍ୱର ପଟ୍ଟନାୟକ ଓ ରାଜ୍ୟ ସଂଘ ସଂପାଦକ ଡାକ୍ତର ଞାନ ମହାନ୍ତି ପ୍ରମୁଖ ମଂଚାସୀନ ହୋଇଥିବା ବେଳେ କ୍ରୀଡା ଶିକ୍ଷକ ଅଶୋକ କୁମାର ଦାସ ମଂଚରେ ସଂଯୋଜନା କରିଥିଲେ । ରାଜ୍ୟର ୧୫ଟି ଜିଲ୍ଳାର ୧୨୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ୮ଟି ବୟସ ବର୍ଗରେ ଉଭୟ ଯୁବକ ଓ ଯୁବତୀଙ୍କ ପାଇଁ ବିଭିନ୍ନ ଓଜନ ବର୍ଗରେ ପ୍ରତିଯୋଗିତା କରାଯାଇଥିଲା । ଯେଉଁଥିରେ କୋରାପୁଟ ଜିଲ୍ଳା ଚାମ୍ପିୟନ୍ ହୋଇଥିବା ବେଳେ ରନର୍ସ ଅପ୍ ଦଳ ଭାବେ ବରଗଡ ଏବଂ ପ୍ରତିଯୋଗିତାରେ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣକାରୀ ଦଳ ଭାବେ କୋରାପୁଟ ଜିଲ୍ଳାକୁ ମଂଚରେ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ସେହିପରି କୋରାପୁଟ ଜିଲ୍ଳାରୁ ଅଧିକ ସଂଖ୍ୟକ ବାଳିକା ପ୍ରତିଯୋଗୀ ଭାଗ ନେଇଥିବାରୁ କୋରାପୁଟ ଜିଲ୍ଳାକୁ ପୁଣିଥରେ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଶୃଙ୍ଖଳିତ ଦଳ ଭାବେ କେନ୍ଦୁଝର ଜିଲ୍ଳା ଏବଂ ଶ୍ରେଷ୍ଠ ସାଂଗଠନିକ ପରିଚାଳନା ଦଳ ଭାବେ ରାୟଗଡା ଦଳକୁ ପୁରସ୍କୃତ କରାଯାଇଥିଲା । ସେହିପରି ଅଶୋକ କୁମାର ଦାସ,ପ୍ରମିଳା କମୁାରୀ ମହାପାତ୍ର, ସତୀଶ କୁମାର ଏବଂ ଏସଏମପି ପାବନୀଙ୍କୁ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବେ ପୁରସ୍କୃତ କରାଯାଇଥିଲା । ଉଦଯାପନୀ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ମଂଚରେ ସମ୍ମାନୀତ କରାଯାଇଥିଲା । ପ୍ରଥମ ଦିନର ଉଦଘାଟନୀ ଉତ୍ସବରେ ନଗରପାଳ ପି.ମହେଶ ପଟ୍ଟନାୟକ, ସିଡିଏମଓ ଡା.ଲାଲମୋହନ ରାଉତରାଏ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଳା ଜୁରରୀକାଳୀନ ଅଧିକାରୀ ସୂର୍ଯ୍ୟକାନ୍ତି ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ଗଜପତି ଛକରୁ ଏକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଶୀର୍ଷକ ସଚେତନତା ରାଲିର ଆୟୋଜନ କରାଯାଇଥିଲା ।