ଖଡଗେଙ୍କ ବିରୋଧରେ ୧୦୦ କୋଟିର ମାନହାନି ମକଦ୍ଦମା; କୋର୍ଟରୁ ଆସିଲା ସମନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ପରେ ଏବେ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ମାନହାନି ମକଦ୍ଦମା । ଏ ନେଇ ଖଡଗେଙ୍କ ପାଖକୁ ଯାଇଛି କୋର୍ଟ ନୋଟିସ । ଏହି କେସ କରିଛି ବଜରଙ୍ଗ ଦଳ । ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (PFI) ପରି ଦେଶଦ୍ରୋହୀ ସଂଗଠନ ସହ ବଜରଙ୍ଗ ଦଳକୁ ତୁଳନା କରିଥିବାରୁ ୧୦୦ କୋଟିର ମାନହାନୀ ମକଦ୍ଦମା କରିଛି ଦଳ ।

ପଞ୍ଜାବ ସଙ୍ଗରୁ ଜିଲ୍ଲା କୋର୍ଟ  ‘ବଜରଙ୍ଗ ଦଳ ହିନ୍ଦୁସ୍ଥାନ’ ନାମକ ଏକ ସଂଗଠନର ଅଧ୍ୟକ୍ଷ ହିତେଶ ଭରଦ୍ୱାଜଙ୍କ ଅଭିଯୋଗକୁ ଭିତ୍ତି କରି ଏହି ସମନ ଜାରି କରିଛି । ସଂଗଠନ ପକ୍ଷରୁ କୁହାଯାଇଛି, ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ନିଜର ଘୋଷଣାପତ୍ରରେ ବଜରଙ୍ଗ ଦଳର ତୁଳନା ସିମି ଏବଂ ଅଲକାଏଦା ପରି ଦେଶ ବିରୋଧୀ ସଂଗଠନ ସହ  କରିଛି ।

ବଜରଙ୍ଗ ଦଳର ନାଁ ନେଇ କଂଗ୍ରେସ ତାର ନିର୍ବାଚନୀ ଘୋଷଣାନାମାରେ ଏହି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବ ବୋଲି ପ୍ରତିଶୃତି ଦେଇଛି । ଏପରି ପ୍ରତିଶ୍ରୁତି ଅଳ୍ପସଂଖ୍ୟକ ଏବଂ ବହୁସଂଖ୍ୟକ ସମୁଦାୟ ମଧ୍ୟରେ ଶତ୍ରୁତା ଏବଂ ଘୃଣାଭାବ ସୃଷ୍ଟି କରିବ ବୋଲି ବଜରଙ୍ଗ ଦଳ ହିନ୍ଦୁ୍ସ୍ଥାନ ପକ୍ଷରୁ କୁହାଯାଇଛି ।

ଏଠି କହିରଖିବୁ, କଂଗ୍ରେସ ତାର ଘୋଷଣାପତ୍ରରେ କହିଥିଲା, ‘କଂଗ୍ରେସ ଦଳ ଜାତି ଏବଂ ଧର୍ମ ଆଧାରରେ ଲୋକଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଥିବା ବ୍ୟକ୍ତି ଏବଂ ସଂଗଠନ ବିରୋଧରେ ଦୃଢ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଆମେ ମାନୁଛୁ ଆଇନ ଏବଂ ସମ୍ବିଧାନ ପବିତ୍ର ଅଟେ ଏବଂ ବଜରଙ୍ଗ ଦଳ, ପିଏଫଆଇ ପରି  ସଂଗଠନ ଦ୍ୱାରା ଏହାର ଉଲ୍ଲଘଂନ କରାଯାଇ ପାରିବ ନାହିଁ ।’

ଅବଶ୍ୟ କଂଗ୍ରେସର ଏପରି ଘୋଷଣାପତ୍ରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ରାଲିରେ କଟୁ ସମାଲୋଚନା କରିଥିଲେ ଏବଂ କଂଗ୍ରେସ ଉପରେ ବର୍ଷିଥିଲେ । ପିଏମ ମୋଦି ଭୋଟରଙ୍କୁ ଜୟ ବଜରଙ୍ଗବଲି ଜପ କରିବାକୁ କହିବା ସହ ସଂସ୍କୃତିର ଦୁରୁପଯୋଗ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପାଇଁ ଆହ୍ୱାନ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.