ପାଠକଙ୍କ ଆସ୍ଥା ଓ ବିଶ୍ବାସର ପ୍ରତିକ ପାଲଟିଛି ଓଡ଼ିଆ ବାର୍ତ୍ତା

ଗ୍ରୀଷ୍ମ ଉତ୍ସବ ଏବଂ ଓଡ଼ିଆ ବାର୍ତ୍ତା ରୁପ୍ରାରୋଡ଼ କାର୍ଯ୍ୟାଳୟ ଉଦଘାଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଓଡ଼ିଆ ବାର୍ତ୍ତା ଗ୍ରୀଷ୍ମ ଉତ୍ସବ, ନୂତନ କାର୍ଯ୍ୟାଳୟ ଉଦଘାଟନ ଓ ସମ୍ବର୍ଦ୍ଧନା ସମାରୋହ ରୁପ୍ରାରୋଡ ଓଡ଼ିଆ ବାର୍ତ୍ତା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ଼ଠାରେ ଦେବଗିରି ମିଡିଆ ସର୍ଭିସେସ୍ ପକ୍ଷରୁ ଆୟୋଜିତ ଉକ୍ତ ସମାରୋହରେ ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ମାର୍ଶାଲ୍ ଆର୍ଟ୍ସ ଗଟ୍ ଟେଲେଣ୍ଟ ଓ୍ବାର୍ଲ୍ଡ ଚାମ୍ପିଅନ୍ ତପନ ଗଉଡ଼, ଗୁଜରାଟର ବିଶିଷ୍ଟ ସମାଜସେବୀ ହରିଶଭାଇ ମସରିଭାଇ ଢୋକିଆ, ନର୍ଲା ବ୍ଲକ ଯୁବ ବିଜେଡି ସଭାପତି ବିଜୟ ଧଙ୍ଗଡ଼ାମାଝୀ, ସମାଜସେବୀ ରତନ ଅଗ୍ରୱାଲ, ଓଡ଼ିଆ ବାର୍ତ୍ତା ସହସଂପାଦକ ସୁମିତ କୁମାର ଅଗ୍ରୱାଲ, ସାମ୍ବାଦିକ ସୁମିତ କୁମାର ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଆଧୁନିକ ଗଣମାଧ୍ୟମ କ୍ଷେତ୍ରରେ ଓଡ଼ିଆ ବାର୍ତ୍ତା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ସାଧାରଣ ଜନତାଙ୍କ କଥାକୁ ସଠିକ ଢଙ୍ଗରେ ଉତ୍ଥାପନ କରି ଏହା ମାତ୍ର ୬ ବର୍ଷ ମଧ୍ୟରେ ପାଠକଙ୍କ ଆସ୍ଥା ଓ ବିଶ୍ବାସର ପ୍ରତିକ ପାଲଟିବା ସହ ଲୋକାଦୃତ ହୋଇପାରିଛି । ଦ୍ରୁତ ଓ ସଠିକ ଖବର ପ୍ରସାରଣ ସହ ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଏହାର ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ମଞ୍ଚାସୀନ ଅତିଥିମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ରୁପ୍ରାରୋଡରେ ଓଡ଼ିଆ ବାର୍ତ୍ତାର ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଥିଲା । ପ୍ରାରମ୍ଭରେ ସଂପାଦକ ଶ୍ରୀ ଧଙ୍ଗଡ଼ାମାଝୀ ଓ ସହସଂପାଦକ ଶ୍ରୀ ଅଗ୍ରୱାଲ ଆନୁଷ୍ଠାନିକ ଭାବେ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କରାଟେ ଖେଳାଳି ତପନ ଗଉଡ଼ ଓ ରାଜକୋଟର ଏସଭିସି କମ୍ପାନୀର ଏମଡି ହରିଶଭାଇ ମସରିଭାଇ ଢୋକିଆଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଓଡ଼ିଆ ବାର୍ତ୍ତାର ପୃଷ୍ଠପୋଷକ ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲ ଓ ତାଙ୍କ ଦିବଙ୍ଗତ ପୁତ୍ର ବଣ୍ଟୁ ଭାଇଙ୍କ ପ୍ରତି ସଭାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଓଡ଼ିଆ ବାର୍ତ୍ତା ପରିଚାଳନା ସଂପାଦକ ସଞ୍ଜୟ ଧଙ୍ଗଡ଼ାମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ସହସଂପାଦକ ସଲିଲ କୁମାର ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଷ୍ଟାଫ୍ ରିପୋର୍ଟର୍ ନିଲେଶ କୁମାର ନାଗଙ୍କ ସମେତ ଚିରାଗ ଜୈନ, କାହ୍ନା ଶର୍ମା ପ୍ରମୁଖ ସହଯୋଗ କରିଥିଲେ । ଏହି ଉତ୍ସବରେ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଓଡ଼ିଆ ବାର୍ତ୍ତାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.